ଅବସରପ୍ରାପ୍ତ ଓ ମୃତ ଶିକ୍ଷକଙ୍କୁ ବି ପଦୋନ୍ନତି!

ଅନୁଗୁଳ/କଣାସ : ଗତକାଲି ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ୨୧୭୩ ଜଣ ସହକାରୀ ଶିକ୍ଷକଙ୍କୁ ପ୍ରଧାନଶିକ୍ଷକ ପଦକୁ ପଦୋନ୍ନତି କରିଛନ୍ତି। ଏହି ପଦୋନ୍ନତି ଯୋଗୁ ରାଜ୍ୟର ୨୬୦୦ ସ୍କୁଲ୍‌ରେ ଯେଉଁ ଅଚଳାବସ୍ଥା ସୃଷ୍ଟି ହୋଇଥିଲା ତାହା ପ୍ରାୟତଃ ଦୂର ହୋଇଛି, ଯଦିଓ ଆଉ କିଛି ସ୍କୁଲ୍‌ରେ ପ୍ରଧାନଶିକ୍ଷକ ନିଯୁକ୍ତି ନେଇ ସରକାର କୌଣସି ନିଷ୍ପତ୍ତି ଗ୍ରହଣ କରିନାହାନ୍ତି। ସରକାରଙ୍କ ଏହି ନିଷ୍ପତ୍ତିକୁ ବିଭିନ୍ନ ମହଲରେ ସ୍ବାଗତ୍‌ କରାଯାଇଥିବାବେଳେ କେତେକ ଜାଗାରେ ସାଂଘାତିକ ତ୍ରୁଟି ସାମ୍‌ନାକୁ ଆସିଛି। କେତେଜଣ ଅବସରପ୍ରାପ୍ତ ଓ ମୃତ ଶିକ୍ଷକଙ୍କୁ ବି ପଦୋନ୍ନତି ଦିଆଯାଇଛି।

ପୁରୀ ଜିଲ୍ଲା କଣାସ ବ୍ଲକ୍‌ରେ ଏହିଭଳି ତ୍ରୁଟିକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏହି ବ୍ଳକ୍‌ ଅନ୍ତର୍ଗତ କଉଡୁଖଣି କାଦୁଆଘାଟ ଏକାଡେମିର ଶିକ୍ଷକ ରମେଶ ଚନ୍ଦ୍ର ମିଶ୍ରଙ୍କୁ ପ୍ରଧାନଶିକ୍ଷକ ପଦକୁ ପଦୋନ୍ନତି କରାଯାଇଛି। କିନ୍ତୁ, ଶ୍ରୀ ମିଶ୍ର ଶିକ୍ଷକତା କରୁଥିବାବେଳେ ୨୦୧୯ ମସିହା ମେ ମାସରେ ହୃଦ୍‌ଘାତରେ ତାଙ୍କର ପରଲୋକ ଘଟିଛି। କିଭଳି ଏହି ତ୍ରୁଟି ହେଲା, ତାହାକୁ ନେଇ ଶିକ୍ଷକ ମହଲରେ ଗଭୀର ଆଲୋଡ଼ନ ସୃଷ୍ଟି ହୋଇଛି। ଅନ୍ୟ ଏକ ଘଟଣା ଘଟିଛି ଏହି ବ୍ଲକ୍‌ ଅନ୍ତର୍ଗତ ଗଡ଼ସାନପୁଟ ଉଚ୍ଚ ବିଦ୍ୟାଳୟରେ। ଏହି ବିଦ୍ୟାଳୟର ପ୍ରଧାନଶିକ୍ଷକ ଭାବେ ଜମ୍ବେଶ୍ବର ସାମନ୍ତରାୟଙ୍କୁ ପଦୋନ୍ନତି ପ୍ରଦାନ କରାଯାଇଛି। ମାତ୍ର, ଚଳିତବର୍ଷ ଜାନୁଆରି ମାସଠାରୁ ଶ୍ରୀ ସାମନ୍ତରାୟ ଅବସର ଗ୍ରହଣ କରିସାରିଛନ୍ତି।

ସେହିଭଳି, ଅନୁଗୁଳ ଜିଲ୍ଲାରେ ମଧ୍ୟ ସମାନ ଘଟଣା ଘଟିଛି। ପଦୋନ୍ନତି ତାଲିକାର ୪୯ ନମ୍ବରରେ ଥିବା ଏହି ଜିଲ୍ଲା ଅନ୍ତର୍ଗତ ବ୍ରାହ୍ମଣବିଲ ହାଇସ୍କୁଲର ଅଖିଳ କୁମାର ପ୍ରଧାନ ଇତିମଧ୍ୟରେ ଅବସର ଗ୍ରହଣ କରିଛନ୍ତି। ହେଲେ ଏହି ଅବସରପ୍ରାପ୍ତ ଶିକ୍ଷକଙ୍କୁ ବି ପଦୋନ୍ନତି ଦିଆଯାଇଥିବା ତାଲିକାରେ ଦର୍ଶାଯାଇଛି। ଯଦି, ଆଗରୁ ଏହି ପଦୋନ୍ନତି ମିଳିଥାନ୍ତା, ହୁଏତ ସେ ଲାଭାନ୍ବିତ ହୋଇଥାନ୍ତେ। କେବଳ ସେତିକି ନୁହେଁ, ଭିଜିଲାନ୍ସ ହାତରେ ଧରାପଡ଼ିଥିବା ଜଣେ ସହକାରୀ ଶିକ୍ଷକଙ୍କୁ ମଧ୍ୟ ପ୍ରଧାନଶିକ୍ଷକ ଭାବେ ପଦୋନ୍ନତି ମିଳିଥିବା ଏହି ତାଲିକାରେ ଦର୍ଶାଯାଇଛି।

ପଦୋନ୍ନତି ତାଲିକାରେ ଥିବା ତ୍ରୁଟିବିଚ୍ୟୁତିକୁ ନେଇ ତୀବ୍ର ଅସେନ୍ତାଷ ପ୍ରକାଶ ପାଇଛି। ତେବେ, ଏ ସଂକ୍ରାନ୍ତରେ ବିଭାଗୀୟ ନିର୍ଦ୍ଦେଶକଙ୍କୁ ଅବଗତ କରାଯାଇଥିବା ଅନୁଗୁଳ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧିତ ଖବର