ପଦୋନ୍ନତି ଅଦାଲତ : ପ୍ରଥମ ପର୍ଯ୍ୟାୟ ଶୁଣାଣି ପାଇଁ ୨୨୭୩ ଦରଖାସ୍ତ

ଭୁବନେଶ୍ବର : ଚଳିତ ମାସ ୨୮ତାରିଖରୁ ୩ଦିନ ଧରି ହେବାକୁ ଥିବା ପଦୋନ୍ନତି ଅଦାଲତରେ ଶୁଣାଣି ପାଇଁ ଅନଲାଇନ୍ ଆବେଦନ କରିବାର ଅନ୍ତିମ ଦିବସ ଗତକାଲି ଶେଷ ହୋଇଛି। ୨୮,୨୯ ଓ ୩୧ତାରିଖରେ ହେବାକୁ ଥିବା ଏହି ଅଦାଲତ ପାଇଁ ସମୁଦାୟ ୮୯୦୯ ଦରଖାସ୍ତ ସରକାରଙ୍କ ନିକଟରେ ପହଞ୍ଚିଛି। ଅଧିକ ସଂଖ୍ୟକ ଦରଖାସ୍ତକୁ ନଜରରେ ରଖି ସରକାର ପ୍ରଥମ ପର୍ଯ୍ୟାୟରେ ୨୨୭୩ ଆବେଦନର ଶୁଣାଣି କରିବା ପାଇଁ ନିଷ୍ପତ୍ତି ନିଆଯାଇଛି।

ଆଜି ସମସ୍ତ ବିଭାଗର ସଚିବଙ୍କୁ ନେଇ ଲୋକସେବା ଭବନରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତା କରିଥିଲେ। ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ, ଦରଖାସ୍ତ ଦେଇଥିବା ସମସ୍ତ କର୍ମଚାରୀଙ୍କୁ ଏକ ପ୍ରାପ୍ତି ସ୍ବୀକୃତିପ୍ରାପ୍ତ ପତ୍ର ଇ-ମେଲ୍‌ ଜରିଆରେ ପଠାଯିବ। ସମ୍ପୃକ୍ତ ଆବେଦନକାରୀଙ୍କୁ ଶୁଣାଣି ସମୟରେ ସାଧାରଣ ପ୍ରଶାସନ ବିଭ‌ାଗ ପକ୍ଷରୁ ଇ-ମେଲ୍‌ ଜରିଆରେ ପଠାଯାଇଥିବା ପତ୍ରକୁ ସାଙ୍ଗରେ ଆଣିବାକୁ ହେବ। କେବଳ ଆବେଦନକାରୀଙ୍କୁ ହିଁ ଅଦାଲତାରେ ପ୍ରବେଶ ଅନୁମତି ଦିଆଯିବ। ଆବେଦନକାରୀ କର୍ମଚାରୀଙ୍କ ଛଡ଼ା ତାଙ୍କ ଓକିଲ କିମ୍ବା ଦ୍ବିତୀୟ ବ୍ୟକ୍ତିଙ୍କୁ ଏଥିରେ ପ୍ରବେଶ ଅନୁମତି ଦିଆଯିବ ନାହିଁ। ପ୍ରଥମ ପର୍ଯ୍ୟାୟ ଶୁଣାଣିରେ ଯେଉଁମାନେ ଅଂଶଗ୍ରହଣ କରିବେ ସେମାନଙ୍କ ସଂପର୍କରେ ସୂଚନା ୱେବସାଇଟ୍‌ରେ ଉପଲବ୍ଧ ହେବ। ଏହାସହ ଆସନ୍ତାମାସ ୨୭,୨୮ ଓ ୨୯ତାରିଖରେ ପରବର୍ତୀ ପର୍ଯ୍ୟାୟ ପଦୋନ୍ନତି ଅଦାଲତ ଅନୁଷ୍ଠିତ ହେବ। ତେବେ ଯେଉଁ କର୍ମଚାରୀମାନେ ପ୍ରଥମ ପର୍ଯ୍ୟାୟ ଶୁଣ‌ାଣିରେ ସାମିଲ ହୋଇପାରି ନ ଥିବେ ସେମାନଙ୍କୁ ଦ୍ବିତୀୟ ପର୍ଯ୍ୟାୟରେ ସାମିଲ କରାଯିବ। ଆଜିର ବୈଠକରେ ସାଧାରଣ ପ୍ରଶାସନ ବିଭାଗର ପ୍ରମୁଖ ସଚିବ ସଂଜୀବ ଚୋପ୍ରା, ଉନ୍ନୟନ କମିସନର ସୁରେଶ ଚନ୍ଦ୍ର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଯେଉଁ କର୍ମଚାରୀମାନେ ଗତବର୍ଷ ଡିସେମ୍ବର ୩୧ତାରିଖରେ ପଦୋନ୍ନତି ପାଇବାରେ ଯୋଗ୍ୟ ଥିଲେ ହେଁ କୌଣସି କାରଣରୁ ସେମାନେ ବାଦ୍ ପଡ଼ିଛନ୍ତି, ସେହି କର୍ମଚାରୀଙ୍କ ସଂପର୍କରେ ଚଳିତମାସରେ ହେବାକୁ ଥିବା ଅଦାଲତରେ ବିଚାର କରିବା ପାଇଁ ନିଷ୍ପତ୍ତି ହୋଇଛି।

ପ୍ରଥମ ପର୍ଯ୍ୟାୟ ଶୁଣାଣିରେ ୬ଜଣ ବରିଷ୍ଠ ଅଧିକାରୀ ୬ଟି ସ୍ଥାନରେ ଏହାର ଶୁଣାଣି କରିବେ। ମୁଖ୍ୟ ସଚିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ରାଜସ୍ବ ଓ ବିପର୍ଯ୍ୟୟ, ଯୋଜନା ଓ ସମନ୍ବୟ, ଗ୍ରାମୀଣ ବିକାଶ, ଷ୍ଟିଲ୍ ଓ ମାଇନ୍‌ସ, ଜଙ୍ଗଲ ଓ ପରିବେଶ ବିଭାଗର ଶୁଣାଣି କରିବେ। ଉନ୍ନୟନ କମିସନର ସୁରେଶ ଚନ୍ଦ୍ର ମହାପାତ୍ର ଗୋପବନ୍ଧୁ ଏକାଡେମିରେ ଉଚ୍ଚଶିକ୍ଷା, ବିଜ୍ଞାନ ଓ ବୈଷୟିକ, ସାଧାରଣ ଉଦ୍ୟୋଗ, ବିଦ୍ୟାଳୟ ଓ ଗଣଶିକ୍ଷା, କ୍ରୀଡ଼ା ଓ ଯୁବ ବ୍ୟାପାର, ଶ୍ରମ ଓ ଇଏସ୍‌ଆଇ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, ଅବକାରୀ, ସୂଚନା ଓ ଲୋକସଂପର୍କ ବିଭାଗର ଶୁଣାଣି କରିବାକୁ ନିଷ୍ପତ୍ତି ହୋଇଛି। ସେହିପରି ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କୃଷି ଭବନରେ ଖାଦ୍ୟ ଯୋଗାଣ, ବାଣିଜ୍ୟ ଓ ପରିବହନ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ, ଜଳସଂପଦ, ପୂର୍ତ, ମତ୍ସ୍ୟ ଓ ପଶୁସଂପଦ ବିଭାଗର ଶୁଣାଣିରେ ସାମିଲ ହେବେ।

ସେହିପରି ଅତିରିକ୍ତ ମୁଖ୍ୟ ସଚିବ ରାଜ କୁମାର ଶର୍ମା ଏସ୍‌ଆଇଆରଡି ସମ୍ମିଳନୀ କକ୍ଷରେ ମହିଳା ଓ ଶିଶୁ ବିକାଶ, ଅର୍ଥ, ଶକ୍ତି, ହସ୍ତତନ୍ତ ଓ ହସ୍ତଶିଳ୍ପ, ପର୍ଯ୍ୟଟନର ଶୁଣାଣି କରିବାକୁ ଥିବା ବେଳେ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା କୃଷି ଓ କୃଷକ ସଶକ୍ତୀକରଣ, ସ୍ବାସ୍ଥ୍ୟ, ଏସ୍‌ଟି ଓ ଏସ୍‌ସି ବିଭାଗ, ଗୃହ, ସାଧାରଣ ପ୍ରଶାସନ ଓ ସଂସଦୀୟ ବ୍ୟାପାରର ଶୁଣାଣି କରିବେ। ଅତିରିକ୍ତ ମୁଖ୍ୟ ସଚିବ ମୋନା ଶର୍ମା ପଞ୍ଚାୟତିରାଜ ଓ ପାନୀୟଜଳ, ଆଇନ, ଗୃହ ଓ ନଗର ଉନ୍ନୟନ, ଇଲେକଟ୍ରୋନିକ୍ସ ଓ ଆଇଟି, ଶିଳ୍ପ ଓ ଏମ୍‌ଏସ୍‌ଏମ୍‌ଇର ବିଭାଗର ଶୁଣାଣି ଇଡକୋ ଟାୱାରରେ କରିବେ।

ସମ୍ବନ୍ଧିତ ଖବର