ଆଜି ବସିବ ପଦୋନ୍ନତି ଅଦାଲତ; ଓକିଲଙ୍କ ସହାୟତା ନେବେନି, ନିଜ ପକ୍ଷ ରଖିବେ କର୍ମଚାରୀ

ବିଚାର ପାଇଁ ଆସିଛି ୮୯୦୯ ଦରଖାସ୍ତ
ପ୍ରଥମ ରାଉଣ୍ଡ୍‌ ଅଦାଲତରେ ୨୨୭୩ ଜଣଙ୍କ ଶୁଣାଣି ହେବ
ଫେବ୍ରୁଆରି ୨୭ରୁ ଦ୍ବିତୀୟ ରାଉଣ୍ଡ୍‌ ଅଦାଲତ

ଭୁବନେଶ୍ବର : ବିଭିନ୍ନ କାରଣରୁ ପଦୋନ୍ନତିରୁ ବଞ୍ଚିତ ହୋଇଥିବା ସରକାରୀ କର୍ମଚାରୀଙ୍କ ପାଇଁ ମଙ୍ଗଳବାର ଠାରୁ ପଦୋନ୍ନତି ଅଦାଲତ ବସିବ। ଅଦାଲତରେ ବିଚାର ପାଇଁ ୮୯୦୯ଟି ଦରଖାସ୍ତ ଆସିଛି। ୨୮, ୨୯ ଓ ୩୧ ତାରିଖ ତିନି ଦିନ ଧରି ପ୍ରଥମ ରାଉଣ୍ଡ୍‌ ପଦୋନ୍ନତି ଅଦାଲତରେ ବିଚାର ନିମନ୍ତେ ୨୨୭୩ଟି ଦରଖାସ୍ତ ତାଲିକାଭୁକ୍ତ ହୋଇଛି। ଓକିଲଙ୍କ ସହାୟତା ନ ନେଇ କର୍ମଚାରୀମାନେ ନିଜେ ଉପସ୍ଥିତ ରହି ପକ୍ଷ ରଖିବେ। ଅବଶିଷ୍ଟ ଦରଖାସ୍ତ ଫେବ୍ରୁଆରିରେ ହେବାକୁ ଥିବା‌ ଦ୍ବିତୀୟ ରାଉଣ୍ଡ୍‌ ଅଦାଲତରେ ବିଚାର ହେବ।

ପଦୋନ୍ନତି ଅଦାଲତର ସୁପରିଚାଳନା ପାଇଁ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ପ୍ରମୁଖ ଶାସନ ସଚିବ ସଞ୍ଜୀବ ଚୋପ୍ରାଙ୍କ ଅଧ୍ୟକ୍ଷତାରେ ଆଜି ସନ୍ଧ୍ୟାରେ ବିଭାଗୀୟ ଅଧିକାରୀଙ୍କ ବୈଠକ ବସିଥିଲା। ବୈଠକରେ ପରେ ଶ୍ରୀ ଚୋପ୍ରା କହିଛନ୍ତି, ଡିସେମ୍ବର ୩୧ ତାରିଖ ସୁଦ୍ଧା ପଦୋନ୍ନତି ପାଇବାକୁ ଯୋଗ୍ୟ ଥାଇ ବି ପଦୋନ୍ନତିରୁ ବଞ୍ଚିତ ହୋଇଥିବା ସରକାରୀ କର୍ମଚାରୀଙ୍କ ପାଇଁ ଏହି ଅଦାଲତ ବସୁଛି। ଯେଉଁମାନେ ଦରଖାସ୍ତ କରିଛନ୍ତି, ସେମାନଙ୍କ ନାମ ୱେବ୍‌ସାଇଟ୍‌ରେ ଅପ୍‌ଲୋଡ୍‌ କରାଯାଇଛି। ଦରଖାସ୍ତକାରୀଙ୍କୁ ଇମେଲ୍‌ ମାଧ୍ୟମରେ ସ୍ବୀକୃତିପତ୍ର, ଶୁଣାଣି, ସ୍ଥାନ ଓ ତାରିଖ ପଠାଯାଇଛି। କେବଳ ସ୍ବୀକୃତି ପତ୍ର ପାଇଥିବା କର୍ମଚାରୀମାନେ ନିର୍ଦ୍ଧାରିତ ତାରିଖ ଅନୁସାରେ ଅଦାଲତକୁ ଆସିବେ। ଆସିବା ବେଳେ ସାଙ୍ଗରେ ସ୍ବୀକୃତି ପତ୍ର ଆଣିବେ। କର୍ମଚାରୀମାନେ ନିଜର ପକ୍ଷ ରଖିବେ। ସେମାନଙ୍କ ପକ୍ଷରୁ ଓକିଲ କିମ୍ବା କୌଣସି ଦ୍ବିତୀୟ ବ୍ୟକ୍ତି ପକ୍ଷ ରଖିପାରିବେ ନାହିଁ। ଯେଉଁ ଆବେଦକାରୀମାନେ ପ୍ରଥମ ରାଉଣ୍ଡ୍‌ରୁ ବାଦ୍ ପଡ଼ିଛନ୍ତି, ସେମାନଙ୍କ ଶୁଣାଣି ଦ୍ବିତୀୟ ରାଉଣ୍ଡ୍‌ରେ ହେବ। ସେମାନଙ୍କୁ ଇମେଲ୍‌ ମାଧ୍ୟମରେ ସ୍ବୀକୃତି ପତ୍ର ପଠାଇ ଦିଆଯିବ। ଫେବ୍ରୁଆରି ୨୭,୨୮ ଓ ୨୯ ତାରିଖରେ ଦ୍ବିତୀୟ ରାଉଣ୍ଡ୍‌ ଅଦାଲତ ବସିବ।

ରାଜ୍ୟ ସରକାରଙ୍କ ବିଭିନ୍ନ ବର୍ଗର କର୍ମଚାରୀମାନଙ୍କ ପଦୋନ୍ନତିରେ ବିଳମ୍ବ ହେଉଥିବା ନେଇ ବହୁ ସମୟରେ ଅଭି‌େଯାଗ ଆସେ। ଉପଯୁକ୍ତ ସମୟରେ ପଦୋନ୍ନତି ମିଳୁ ନ ଥିବାରୁ କର୍ମଚାରୀମାନେ ଅସନ୍ତୋଷ ପ୍ରକାଶ କରୁଥିଲେ। ଏହି ସମସ୍ୟାର ସମାଧାନ ପାଇଁ ପ୍ରତି ବର୍ଷ ଡିସେମ୍ବର ୩୧ ତାରିଖ ସୁଦ୍ଧା ପଦୋନ୍ନତି ପ୍ରକ୍ରିୟା ଶେଷ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସେହି ଅନୁଯାୟୀ ୨୦୧୯ ଡିସେମ୍ବର ଶେଷ ସପ୍ତାହରେ ୩୧୬୬ ଜଣ କର୍ମଚାରୀ ପଦୋନ୍ନତି ପାଇଥିଲେ, ଯାହା କି ଏକ ରେକର୍ଡ ବୋଲି କୁହାଯାଉଛି। ପ୍ରତି ବର୍ଷ ଡିସେମ୍ବରରେ ପଦୋନ୍ନତି ନେଇ ସ୍ବତନ୍ତ୍ର ଅଭିଯାନ ଜାରି ରଖିବାକୁ ସବୁ ବିଭାଗକୁ କୁହାଯାଇଛି। କୌଣସି କାରଣରୁ ନିର୍ଦ୍ଧାରିତ ସମୟରେ ପଦୋନ୍ନତି ପାଇ ପାରି ନ ଥିବା କର୍ମଚାରୀମାନଙ୍କ ସମସ୍ୟାର ସମାଧାନ ପାଇଁ ‘ପଦୋନ୍ନତି ଅଦାଲତ’ ଗଠନ କରାଯାଇଛି।

ମୁଖ୍ୟ ଶାସନ ସଚିବଙ୍କ ସମେତ ବିଭିନ୍ନ ବିଭାଗର ପ୍ରଶାସନିକ ଦାୟିତ୍ବରେ ଥିବା ୫ ଜଣ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ପଦୋନ୍ନତି ଅଦାଲତ ଗଠନ ହୋଇଛି। ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀଙ୍କ ଅଦାଲତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଉନ୍ନୟନ କମିସନର୍‌ ସୁରେଶ ମହାପାତ୍ରଙ୍କ ଅଦାଲତ ଗୋପବନ୍ଧୁ ଏକାଡେମି ସମ୍ମିଳନୀ କକ୍ଷ, ପ୍ରଦୀପ୍ତ କୁମାର ମହାପାତ୍ରଙ୍କ ଅଦାଲତ କୃଷି ଭବନ, ଆର୍‌ କେ ଶର୍ମାଙ୍କ ଅଦାଲତ କଳିଙ୍ଗ ଷ୍ଟାଡିୟମ୍‌ ସମ୍ମିଳନୀ କକ୍ଷ, ପ୍ରଦୀପ କୁମାର ଜେନାଙ୍କ ଅଦାଲତ ଏସ୍‌ଆଇଆର୍‌ଡି ସମ୍ମିଳନୀ କକ୍ଷ ଓ ମୋନା ଶର୍ମାଙ୍କ ଅଦାଲତ ଇଡ୍‌କୋର ପଞ୍ଚମ ମହଲା ସମ୍ମିଳନୀ କକ୍ଷରେ ବସିବ।

ସୂଚନ‌ାଯୋଗ୍ୟ ଯେ ଯଦି କୌଣସି କର୍ମଚାରୀ ଯୋଗ୍ୟ ବିବେଚିତ ଥାଇ ବି ତାଙ୍କୁ ପଦୋନ୍ନତି ଦିଆଯାଇ ନ ଥିବ, ତେବେ ସଂପୃକ୍ତ ଉଚ୍ଚ କର୍ତ୍ତୃପକ୍ଷ ଏହି ଭୁଲ୍‌ ପାଇଁ ଦାୟୀ ରହିବେ। ଫଳରେ ପଦୋନ୍ନତିରେ ଦୁର୍ନୀତି ଓ ବରିଷ୍ଠ ଅଧିକାରୀଙ୍କ ମନମାନି ଆଉ ରହିବ ନାହିଁ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର