ଭୁବନେଶ୍ବର : ଯେଉଁ ସରକାରୀ କର୍ମଚାରୀମାନେ ଡିସେମ୍ବର ୩୧ତାରିଖ ସୁଦ୍ଧା ପଦୋନ୍ନତି ପାଇବାକୁ ଯୋଗ୍ୟ ଅଥଚ ପଦୋନ୍ନତି ପାଇନାହାନ୍ତି, ସେମାନଙ୍କୁ ଖୁବ୍ ଶୀଘ୍ର ପଦୋନ୍ନତି ମିଳିବ। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ପଦୋନ୍ନତି ପାଇବାକୁ ଥିବା କର୍ମଚାରୀମାନଙ୍କୁ [email protected]ରେ ଆବେଦନ କରିବାକୁ ହେବ। ଏହାପରେ ଜାନୁଆରି ୨୮ରୁ ୩୧ ତାରିଖ ପର୍ଯ୍ୟନ୍ତ ୬ଟି ସ୍ଥାନରେ ବସିବାକୁ ପଦୋନ୍ନତି ଅଦାଲତରେ ଆବଦେନ କରିଥିବା କର୍ମଚାରୀମାନଙ୍କର ପଦୋନ୍ନତି ନେଇ ଶୁଣାଣି ହେବ।। ମୁଖ୍ୟ ଶାସନ ସଚିବଙ୍କ ସମେତ ୬ଜଣ ବରିଷ୍ଠ ଅଧିକାରୀ ଏହି ଅଦାଲତରେ କର୍ମଚାରୀମାନଙ୍କ ଆବେଦନ ଉପରେ ଶୁଣାଣି କରିବେ ବୋଲି ନିଷ୍ପତ୍ତି ହୋଇଛି।
ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ବସିବାକୁ ଥିବା ପଦୋନ୍ନତି ଅଦାଲତରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଶୁଣାଣି କରିବେ। ଏଥିରେ ୨୮ ତାରିଖରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଏବଂ ଯୋଜନ ସମନ୍ବୟ ବିଭାଗ, ୨୯ରେ ଗ୍ରାମ୍ୟ ଉନ୍ନୟନ ଓ ଇସ୍ପାତ ଏବଂ ଖଣି ବିଭାଗ, ୩୧ତାରିଖରେ ଜଙ୍ଗଲ ଓ ପରିବେଶ ବିଭାଗର କର୍ମଚାରୀମାନଙ୍କର ଶୁଣାଣି ହେବ।
ସେହିପରି ଗୋପବନ୍ଧୁ ଏକାଡେମିରେ ବସିବାକୁ ଥିବା ପଦୋନ୍ନତି ଅଦାଲତରେ ଉନ୍ନୟନ କମିସନର ଶୁଣାଣି କରିବେ। ଏଥିରେ ୨୮ ତାରିଖରେ ଉଚ୍ଚଶିକ୍ଷା, ବିଜ୍ଞାନ ଓ ପ୍ରଯୁକ୍ତି ଜ୍ଞାନ, ସାଧାରଣ ଉଦ୍ୟୋଗ ବିଭାଗର କର୍ମଚାରୀଙ୍କର, ୨୯ରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, କ୍ରୀଡ଼ା ଓ ଯୁବ ସେବା ବିଭାଗ, ଶ୍ରମ ଏବଂ କର୍ମଚାରୀ ରାଜ୍ୟ ବୀମା ବିଭାଗ, ୩୧ରେ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗ, ଅବକାରୀ, ସୂଚନା ଓ ଲୋକସମ୍ପର୍କ ବିଭାଗର କର୍ମଚାରୀଙ୍କର ଶୁଣାଣି ହେବ।
ସେହିପରି କୃଷି ଉତ୍ପାଦନ କମିସନର ପ୍ରଦୀପ୍ତ କୁମାର ମହାପାତ୍ର କୃଷି ଭବନ ପ୍ରେକ୍ଷାଳୟରେ ପଦୋନ୍ନତି ଅଦାଲତର ଶୁଣାଣି କରିବେ। ଏଥିରେ ୨୮ ତାରିଖରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ, ବାଣିଜ୍ୟ ଓ ପରିବହନ ବିଭାଗ (ବାଣିଜ୍ୟ ବିଭାଗ), ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ, ୨୯ରେ ଜଳସମ୍ପଦ ବିଭାଗ, ପୂର୍ତ୍ତ ବିଭାଗ, ବାଣିଜ୍ୟ ଓ ପରିବହନ ବିଭାଗ (ପରିବହନ ବିଭାଗ), ୩୧ରେ ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ, ସମନ୍ବୟ ବିଭାଗ କର୍ମଚାରୀଙ୍କର ଶୁଣାଣି ହେବ।
ଅତିରିକ୍ତ ମୁଖ୍ୟ ଶାସନ ସଚିବ ଆର୍.କେ ଶର୍ମା କଳିଙ୍ଗ ଷ୍ଟାଡିୟମ ସମ୍ମିଳନୀ କକ୍ଷରେ ବସିବାକୁ ଥିବା ପଦୋନ୍ନତି ଅଦାଲତରେ ଶୁଣାଣି କରିବେ। ଏଠାରେ ୨୮ରେ ମହିଳା ଓ ଶିଶୁ କଲ୍ୟାଣ ବିଭାଗ, ଅର୍ଥ ବିଭାଗ, ୨୯ରେ ଶକ୍ତି, ହସ୍ତତନ୍ତ ଓ ବୟନଶିଳ୍ପ ବିଭାଗ, ୩୧ରେ ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର କର୍ମଚାରୀମାନଙ୍କ ଶୁଣାଣି ହେବ।
ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଏସ୍ଆଇଆର୍ଡି ସମ୍ମିଳନୀ କକ୍ଷରେ ବସିବାକୁ ଥିବା ପଦୋନ୍ନତି ଅଦାଲତରେ ଶୁଣାଣି କରିବେ। ଏଠାରେ ୨୮ ତାରିଖରେ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ, ସଂସଦୀୟ ବ୍ୟାପାର ବିଭାଗ, ୨୯ରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବିଭାଗ, ୩୧ରେ ଗୃହ, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ କର୍ମଚାରୀମାନଙ୍କର ଶୁଣାଣି ହେବ।
ଅତିରିକ୍ତ ମୁଖ୍ୟ ଶାସନ ସଚିବ ମୋନା ଶର୍ମା ଇଡ୍କୋର ୫ମ ମହଲାସ୍ଥିତ ସମ୍ମିଳନୀ କକ୍ଷରେ ହେବାକୁ ଥିବା ପଦୋନ୍ନତି ଅଦାଲତରେ ଶୁଣାଣି କରିବେ। ଏଥିରେ ୨୮ରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ, ଆଇନ ବିଭାଗର, ୨୯ରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ, ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ବିଭାଗ, ୩୧ରେ ଶିଳ୍ପ, ଏମ୍ଏସ୍ଏମ୍ଇ ବିଭାଗର କର୍ମଚାରୀମାନଙ୍କର ଶୁଣାଣି ହେବ।