ଭୁବନେଶ୍ବର: ଆସନ୍ତା ଫେବ୍ରୁଆରି ୧ରୁ ୩ ତାରିଖ ପର୍ଯ୍ୟନ୍ତ ପଦୋନ୍ନତି ଅଦାଲତ ଆୟୋଜନ ହେବ। ୨୦୨୨ ଡିସେମ୍ବର ୩୧ ତାରିଖ ସୁଦ୍ଧା ଯେଉଁ ସରକାରୀ କର୍ମଚାରୀମାନେ ପଦୋନ୍ନତି ପାଇପାରିଥାନ୍ତେ କିନ୍ତୁ ପାଇନାହାନ୍ତି ସେସବୁ ପଦୋନ୍ନତି ପ୍ରସଙ୍ଗଗୁଡ଼ିକ ପଦୋନ୍ନତି ଅଦାଲତରେ ବିଚାରକୁ ନିଆଯିବ।
ଇ-ମେଲ୍ ଜରିଆରେ ସମୁଦାୟ ୧୩୨୬ଟି ଆବେଦନପତ୍ର ଗ୍ରହଣ କରାଯାଇଛି। ସେଥିରୁ [email protected] ଜରିଆରେ ମିଳିଥିବା ୬୭୧ଟି ଆବେଦନପତ୍ର ଓ ପଦୋନ୍ନତି ଅଦଲାତ ପୋର୍ଟାଲ http://promotion.hrmsodisha.gov.in ଜରିଆରେ ମିଳିଥିବା ୬୫୫ଟି ଆବେଦନପତ୍ରକୁ ପଦୋନ୍ନତି ଅଦାଲତରେ ଉପସ୍ଥାପନ କରାଯିବ। ଆବେଦନକାରୀମାନଙ୍କୁ ପ୍ରାପ୍ତିସ୍ବୀକାର ପଠାଇ ଦିଆଯାଇଛି। ଇ-ମେଲ ବା ପଦୋନ୍ନତି ଅଦାଲତ ପୋର୍ଟାଲରେ ଉପଲବ୍ଧ ପ୍ରାପ୍ତିସ୍ବୀକାରର ଗୋଟିଏ ଫଟୋ କପି ଆଣିବାକୁ ଆବେଦନକାରୀଙ୍କୁ ପରାମର୍ଶ ଦିଆଯାଇଛି। ପଦୋନ୍ନତି ଅଦାଲତ ଅନୁଷ୍ଠିତ ହେଉଥିବା ସ୍ଥାନଗୁଡ଼ିକୁ କେବଳ ଆବେଦନକାରୀମାନେ ପ୍ରବେଶ କରିପାରିବେ।
ପଦୋନ୍ନତି ଅଦାଲତଗୁଡ଼ିକର ବିସ୍ତୃତ କାର୍ଯ୍ୟସୂଚୀ ସାଧାରଣ ପ୍ରଶାସନ ଓ ପେନ୍ସନ ଅଭିଯୋଗ ବିଭାଗର ୱେବସାଇଟରୁ ମିଳିପାରିବ। ପଦୋନ୍ନତି ଅଦାଲତର ଅଧିକାରୀ, ସ୍ଥାନ, ବିଭାଗ, ତାରିଖ ଓ ସମୟ ନିର୍ଘଣ୍ଟ ଆଦି ସ୍ଥିରୀକୃତ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଫେବ୍ରୁ୍ଆରି ୧ ତାରିଖ ସକାଳ ୧୦ଟାରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ, ଅପରାହ୍ଣ ୩ଟାରେ ଯୋଜନା ଓ ସଂଯୋଜନ ବିଭାଗ, ଫେବ୍ରୁଆରି ୨ତାରିଖ ସକାଳ ୧୦ଟାରେ ଗ୍ରାମ୍ୟ ଉନ୍ନୟନ ବିଭାଗ, ଅପରାହ୍ଣ ୩ଟାରେ ଇସ୍ପାତ ଓ ଖଣି ବିଭାଗ, ଫେବ୍ରୁଆରି ୩ ତାରିଖ ସକାଳେ ଜଙ୍ଗଲ ଓ ପରିବେଶ ବିଭାଗର ଆବେଦନଗୁଡ଼ିକର ବିଚାର ପାଇଁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ଦାୟିତ୍ବ ଦିଆଯାଇଛି। ସେହିପରି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠଠାରେ ଫେବ୍ରୁଆରି ୧ତାରିଖ ସକାଳ ୧୦ଟାରେ ଉଚ୍ଚଶିକ୍ଷା ବିଭାଗ, ଅପରାହ୍ଣ ୩ଟାରେ ବିଜ୍ଞାନ ଓ ବୈଷୟିକ ବିଭାଗ, ଫେବ୍ରୁଆରି ୨ତାରିଖ ସକାଳ ୧୦ଟାରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ୩ଟାରେ ସାଧାରଣ ଉଦ୍ୟୋଗ ବିଭାଗ, ଫେବ୍ରୁଆରି ୩ ତାରିଖ ସକାଳ ୧୦ଟାରେ କ୍ରୀଡ଼ା ଓ ଯୁବସେବା ବିଭାଗ, ଅପରାହ୍ଣ ୩ଟାରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗରୁ ମିଳିଥିବା ଆବେଦନଗୁଡ଼ିକ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ କିଶୋର ସୁନ୍ଦରାୟଙ୍କ ଅଦାଲତରେ ବିଚାର କରାଯିବ।
ଗୋପବନ୍ଧୁ ଏକାଡେମିର ନୂତନ ସମ୍ମିଳନୀ କକ୍ଷରେ ଫେବ୍ରୁଆରି ୧ ତାରିଖ ସକାଳ ୧୦ଟାରେ ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ବିଭାଗ, ଅପରାହ୍ଣ ୩ଟାରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ, ଫେବ୍ରୁଆରି ୨ତାରିଖ ସକାଳ ୧୦ଟାରେ ଅବକାରୀ ବିଭାଗ, ଅପରାହ୍ଣ ୩ଟାରେ ସୂଚନା ଓ ଲୋକସଂପର୍କ ବିଭାଗ, ଫେବ୍ରୁଆରି ୩ତାରିଖ ସକାଳ ୧୦ଟାରେ ସମବାୟ ବିଭାଗର ଆବେଦନଗୁଡ଼ିକର ବିଚାର ପାଇଁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ରାଜ କୁମାର ଶର୍ମାଙ୍କୁ ଦାୟିତ୍ବ ଦିଆଯାଇଛି। କଳିଙ୍ଗ ଷ୍ଟାଡିୟମର ସମ୍ମିଳନୀ କକ୍ଷରେ ଫେବ୍ରୁଆରି ୧ତାରିଖ ସକାଳ ୧୦ଟାରେ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗ, ଅପରାହ୍ଣ ୩ଟାରେ ବାଣିଜ୍ୟ ଓ ପରିବହନ ବିଭାଗ, ଫେବ୍ରୁଆରି ୨ତାରିଖ ସକାଳ ୧୦ଟାରେ ଜଳସଂପଦ ବିଭାଗ, ଅପରାହ୍ଣ ୩ଟାରେ ପୂର୍ତ ବିଭାଗ, ଫେବ୍ରୁଆରି ୩ତାରିଖ ସକାଳ ୧୦ଟାରେ ବାଣିଜ୍ୟ ଓ ପରିବହନ ବିଭାଗ, ଅପରାହ୍ଣ ୩ଟାରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗରୁ ମିଳିଥିବା ଆବେଦନଗୁଡ଼ିକୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଂଜନ କୁମାର ସିଂହ ବିଚାର କରିବେ।
ଇଡ୍କୋ ଭବନର ୫ମ ମହଲାସ୍ଥିତ ସମ୍ମିଳନୀ କକ୍ଷରେ ଫେବ୍ରୁଆରି ୧ତାରିଖ ୧୦ଟାରେ ମହିଳା ଓ ଶିଶୁ କଲ୍ୟାଣ ବିଭାଗ, ଅପରାହ୍ଣ ୩ଟାରେ ଅର୍ଥ ବିଭାଗ, ଫେବ୍ରୁଆରି ୨ତାରିଖ ସକାଳ ୧୦ଟାରେ ଶକ୍ତି ବିଭାଗ, ଅପରାହ୍ଣ ୩ଟାରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ, ଫେବ୍ରୁଆରି ୩ ତାରିଖ ସକାଳ ୧୦ଟାରେ ପର୍ଯ୍ୟଟନ ବିଭାଗ, ଅପରାହ୍ଣ ୩ଟାରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଆବେଦନର ଅତିରିକ୍ତ ମୁଖ୍ୟ ଶାସନ ସଚିବ ମୋନା ଶର୍ମାଙ୍କୁ ଦାୟିତ୍ବ ଦିଆଯାଇଛି। କୃଷି ଭବନ ପ୍ରେକ୍ଷାଳୟରେ ଫେବ୍ରୁଆରି ୧ ତାରିଖ ସକାଳ ୧୦ଟାରେ କୃଷି ବିଭାଗ, ଅପରାହ୍ଣ ୩ଟାରେ ସଂସଦୀୟ ବ୍ୟାପାର ବିଭାଗ, ଫେବ୍ରୁଆରି ୨ତାରିଖ ସକାଳ ୧୦ଟାରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଅପରାହ୍ଣ ୩ଟାରେ ଅନୁସୂଚତି ଜାତି ଓ ଜନଜାତି ଉନ୍ନୟନ ବିଭାଗ, ଫେବ୍ରୁଆରି ୩ ତାରିଖ ସକାଳ ୧୦ଟାରେ ଗୃହ ବିଭାଗ, ଅପରାହ୍ଣ ୩ଟାରେ ସାଧାରଣ ଅଭିଯୋଗ ବିଭାଗର ଆବେଦନଗୁଡ଼ିକୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ବିଚାର କରିବେ।
ୟୁନିଟ୍-୮ସ୍ଥିତ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ପ୍ରତିଷ୍ଠାନ(ଏସ୍ଆଇଆରଡି) ସମ୍ମିଳନୀ କକ୍ଷରେ ଫେବ୍ରୁଆରି ୧ ତାରିଖ ସକାଳ ୧୦ଟାରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ, ଅପରାହ୍ଣ ୩ଟାରେ ଆଇନ ବିଭାଗ, ଫେବ୍ରୁଆରି ୨ତାରିଖ ସକାଳ ୧୦ଟାରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ, ଅପରାହ୍ଣ ୩ଟାରେ ଇଲେକଟ୍ରୋନିକ୍ସ ଓ ଆଇଟି ବିଭାଗ, ଫେବ୍ରୁଆରି ୩ ତାରିଖ ସକାଳେ ଶିଳ୍ପ ବିଭାଗ, ଅପରାହ୍ଣ ୩ଟାରେ ଏମ୍ଏସ୍ଏମ୍ଇ ବିଭାଗର ଆବେଦନପତ୍ର ଗୁଡ଼ିକର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଦାଲତରେ ଉପସ୍ଥାପନ କରାଯିବ। ଆବଶ୍ୟକସ୍ଥଳେ ସମୟ ନିର୍ଘଣ୍ଟକୁ ବୃଦ୍ଧି କରାଯାଇପାରେ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।