୯୪୪ ପୁଲିସ କନଷ୍ଟେବଳଙ୍କୁ ନ୍ୟାୟ; ଏଏସ୍‌ଆଇ ପାହ୍ୟାକୁ ପଦୋନ୍ନତି

କଟକ : ୨୦୨୦ରେ ପୁଲିସ କନଷ୍ଟେବଳରୁ ଏଏସଆଇ ପଦବିକୁ ପଦୋନ୍ନତି ପାଇଁ ହୋଇଥିବା ପରୀକ୍ଷାରେ ୯୪୪ ଜଣ କନଷ୍ଟେବଳଙ୍କୁ ପଦୋନ୍ନତି ମିଳିଛି। ଏମାନଙ୍କ ନାଁ ଚୟନ ହୋଇଥିବା ସତ୍ତ୍ବେ ଓଡ଼ିଶା ପୁଲିସ ସେମାନଙ୍କୁ ପଦୋନ୍ନତିରୁ ବଞ୍ଚିତ କରିଥିବା ଅଭିଯୋଗରେ କନଷ୍ଟେବଳମାନେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ହାଇକୋର୍ଟ ଏମାନଙ୍କ ସପକ୍ଷରେ ରାୟ ଦେବା ପରେ ଓଡ଼ିଶା ପୁଲିସ ଏହି ପଦୋନ୍ନତି ପ୍ରଦାନ କରିଥିବା ସୂଚନା ମିଳିଛି।

ସୂଚନା ଅନୁଯାୟୀ, ଓଡ଼ିଶା ପୁଲିସ କନଷ୍ଟେବଳରୁ ଏଏସଆଇ ପଦବିକୁ ପଦୋନ୍ନତି ପାଇଁ ୨୦୨୦ ଡିସେମ୍ବର ୬ ତାରିଖରେ ଲିଖିତ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ସେହି ବର୍ଷ ଡିସେମ୍ବର ୧୪ରେ ପ୍ରଥମ ମେଧା ତାଲିକା ଓ ଡିସେମ୍ବର ୨୨ରେ ସଂଶୋଧିତ ମେଧା ତାଲିକା ପ୍ରକାଶ ପାଇଥିଲା। ତାଲିକାରେ ଅସଂରକ୍ଷିତ ବର୍ଗର ୨ ହଜାର ୪୯୧ ଜଣ ଓ ସଂରକ୍ଷିତ ବର୍ଗର ୨୯୧ ଜଣ କନଷ୍ଟେବଳଙ୍କ ନାଁ ସ୍ଥାନ ପାଇଥିଲା। ୨୦୨୦ ଡିସେମ୍ବର ୨୬ରେ ୯୨୫ ଜଣ କନଷ୍ଟେବଳଙ୍କୁ ଏଏସଆଇ ପଦୋନ୍ନତି ସମ୍ପର୍କିତ ତାଲିମ୍ ପାଇଁ ପଠାଯାଇଥିଲା। ଏହି ମେଧା ତାଲିକା ୨୦୨୦ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ବୈଧ ରହିବ ବୋଲି କୁହାଯାଇଥିଲା। ଫଳରେ ଲିଖିତ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ମେଧା ତାଲିକାରେ ସ୍ଥାନ ପାଇଥିବା ଦେଢ଼ ହଜାରରୁ ଅଧିକ କନଷ୍ଟେବଳ ଏଏସଆଇ ପଦବିକୁ ପଦୋନ୍ନତିରୁ ବଞ୍ଚିତ ହୋଇଥିବାରୁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ‘ସମ୍ବାଦରେ କନଷ୍ଟେବଳଙ୍କ ପଦୋନ୍ନତି ପ୍ରକ୍ରିୟାକୁ ନେଇ ନିୟମିତ ଖବର ପ୍ରକାଶ ପାଇଥିଲା। ଏମାନଙ୍କ ସପକ୍ଷରେ ହାଇକୋର୍ଟ ୨୦୨୧ ସେପ୍ଟେମ୍ବରରେ ରାୟ ପ୍ରଦାନ କରିଥିଲେ। ଗଲା ୨୧ ତାରିଖରେ ପୁଲିସ ବିଭାଗ ଏହି କନଷ୍ଟେବଳଙ୍କୁ ପଦୋନ୍ନତି ମିଳିଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର