ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ମହୁଲପାଲି ଲ୍ୟାମ୍ପସରେ ଚାଲିଥିବା ସମବାୟ ନିର୍ବାଚନରେ ଅନିୟମିତତା ଅଭିଯୋଗରେ ନିର୍ବାଚନ ଅଧିକାରୀ ତଥା ଟାଙ୍ଗରପାଲି ବ୍ଲକ୍ ମେଘଡେଗା ପଞ୍ଚାୟତ ନିର୍ବାହୀ ଅଧିକାରୀ ଲୋକେଶ୍ବର ଚୌଧୁରୀଙ୍କ ପରେ ଟାଙ୍ଗରପାଲି ବ୍ଲକ୍ ମୁଖ୍ୟ ନିର୍ବାହୀ ଅଧିକାରୀ (ଡେପ୍ଲୟଡ୍) ତଥା ସମ୍ବଲପୁର ଏସଏଆରସିଏସ ପ୍ରସନ୍ନ ପଟେଲ ନିଲମ୍ବିତ ହୋଇଛନ୍ତି। ଏହା ପରେ ନିଲମ୍ବିତ ସିଇଓ ଶ୍ରୀ ପଟେଲ ଚର୍ଚ୍ଚାକୁ ଆସିଛନ୍ତି। ଅତୀତରେ ବିଭିନ୍ନ ଦୁର୍ନୀତିରେ ଛନ୍ଦି ହୋଇଥିବା ଏହି ଅଧିକାରୀ ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରିଥିବା ଅଭିଯୋଗ ପରେ ୨୦୦୯ରେ ଭିଜିଲାନ୍ସ ଚଢ଼ାଉ କରି ତାଙ୍କ ଘରୁ ଆୟ ବହିର୍ଭୂତ ସମ୍ପତ୍ତି ଠାବ କରିଥିଲା। ମାମଲା ଏବେ ବି ଅଦାଲତରେ । ତସଲାଡିହି ଧାନ କିଣା ଦୁର୍ନୀତି, ଅଫିସ କାର୍ଯ୍ୟରେ ଅବହେଳା, ହୋମ୍ ବ୍ଲକରେ ନିଯୁକ୍ତି ପାଇ ଭୋଟ୍ ରାଜନୀତିରେ ସିଧାସଳଖ ସମ୍ପୃକ୍ତି ଥିଲେ ମଧ୍ୟ ବିଭାଗ ତାଙ୍କୁ ଘଣ୍ଟ ଘୋଡ଼ାଇ ଆସୁଥିଲା। ବରଂ ଏତେ ଅଭିଯୋଗ ସତ୍ତ୍ବେ ବେନିୟମ ଭାବେ ତାଙ୍କୁ ପଦୋନ୍ନତି ପରେ ପଦୋନ୍ନତି ଦେଇ ଚାଲିଥିଲା। ଏହା ବ୍ୟତୀତ ସମ୍ବଲପୁର ସମବାୟ ସମିତିରୁ ତାଙ୍କୁ ଡେପୁଟେସନରେ ଆଣି ନିଜ ହୋମ ବ୍ଲକ୍ ଟାଙ୍ଗରପାଲିର ସିଇଓ ଭାବେ ଦାୟିତ୍ବ ଅର୍ପଣ କରିଥିଲା ବିଭାଗ।

Advertisment

୨୦୨୦ ମସିହାରେ ତାଙ୍କ ଅଧୀନସ୍ଥ ମହୁଲପାଲି ଲ୍ୟାମ୍ପସର ତସଲାଡିହି ମଣ୍ଡି ଧାନ କିଣା ଦୁର୍ନୀତି ଜିଲ୍ଲାରେ ବେଶ ହଇଚଇ ଖେଳାଇ ଦେଇଥିଲା। ମଣ୍ଡିରେ ଚାଷୀଙ୍କ ନାଁରେ ପଞ୍ଜିକରଣ କରି ଦଲାଲ ଓ ଅଧିକାରୀମାନେ ଟୋକନ ହାତେଇ ଶହ ଶହ କ୍ବିଣ୍ଟାଲ ଧାନ ବିକି ଲକ୍ଷ ଲକ୍ଷ ସରକାରୀ ଟଙ୍କା ହଡ଼ପ କରିଥିଲେ। ମିଥ୍ୟା ପଞ୍ଜିକରଣ ଜରିଆରେ ଟୋକନ ହାସଲ କରିବା ସହ ନିମ୍ନ ମାନର ଧାନ ଦର୍ଶାଇ ଚାଷୀଙ୍କୁ ମଣ୍ଡିରୁ ଫେରାଇ ଦେବା ଓ ପରବର୍ତ୍ତୀ ସମୟରେ ଚାଷୀଙ୍କୁ ଫୁସୁଲାଇ କମ ଦାମରେ ଧାନ କିଣି ସେହି ଧାନକୁ ପୁଣି ସରକାରୀ ଦରରେ ମଣ୍ଡିରେ ବିକ୍ରି କରୁଥିବା ପ୍ରକାଶ ପାଇଥିଲା। ତସଲାଡିହି ମଣ୍ଡିରେ ଏପରି ୧୯ ଜଣ ମିଛ ଚାଷୀଙ୍କ ନାମରେ ଟୋକନ ଇସ୍ୟୁ କରି ବେପାରୀଙ୍କ ଧାନ ବିକ୍ରି କରାଯାଇଥିବା ଜଣାପଡ଼ିଥିଲା। ସମ୍ପୃକ୍ତ ଅଧିକାରୀ ଏହି ଜାଲିଆତି କାରବାରର ମାଷ୍ଟରମାଇଣ୍ଡ ବୋଲି ଚର୍ଚ୍ଚା ହୋଇଥିଲା।

ଏ ସମ୍ପର୍କରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ନିଜେ ମହୁଲପାଲି ଲ୍ୟାମ୍ସ ଓ ଚାଷୀମାନଙ୍କୁ ଭେଟି ତଦନ୍ତ କରିଥିଲେ। ଏହା ପରେ ଲ୍ୟାମ୍ପସ ନିର୍ଦ୍ଦେଶକ ବିକାଶ କୁମାର ଅମାତଙ୍କୁ ନିଲମ୍ବିତ କରାଯାଇଥିଲା। କିନ୍ତୁ ଲ୍ୟାମ୍ପସରେ ଚାଷୀଙ୍କ ପଞ୍ଜିକରଣ ପରେ ଯାଞ୍ଚ (ଭେରିଫିକେସନ୍) ଦାୟିତ୍ବରେ ଥିବା ଅନ୍ୟ କର୍ମଚାରୀ ଓ ଯୋଗାଣ ବିଭାଗ କର୍ମଚାରୀଙ୍କ ସହ ସମ୍ପୃକ୍ତ ଅଧିକାରୀଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିଲା। ଏପରିକି ତଦନ୍ତ ରିପୋର୍ଟରେ ସେମାନଙ୍କ ବିଷୟରେ ପଦୁଟିଏ ମଧ୍ୟ ଉଲ୍ଲେଖ ନଥିବା ଚର୍ଚ୍ଚାର ବିଷୟ ହୋଇଥିଲା। ଅନ୍ୟପଟେ ୨୦୧୬ରେ ମହୁଲପାଲି ଲ୍ୟାମ୍ପସରେ ହୋଇଥିବା ଧାନ କିଣା ଦୁର୍ନୀତିରେ ବଞ୍ଚାଇବାକୁ ଚାକିରି ଛାଡ଼ିଥିବା ଜଣେ ମହିଳା କର୍ମଚାରୀଙ୍କୁ ଅତି ଚତୁରତାର ସହ ବହିଷ୍କାର କରି ସମ୍ପୃକ୍ତ ଅଧିକାରୀଙ୍କ ସମ୍ପର୍କୀୟ ଜଣେ ଡାଟା ଏଣ୍ଟ୍ରି ଅପରେଟରଙ୍କୁ କାର୍ଯ୍ୟାନୁଷ୍ଠାନରୁ ବଞ୍ଚାଇ ଦିଆଯାଇଥିଲା। ଏତେ ସବୁ ଦୁର୍ନୀତି, ପ୍ରିୟାପ୍ରୀତି, ଅର୍ଥ ତୋଷାରପାତ ସତ୍ତ୍ବେ ବିଭାଗ ହାତ ବାନ୍ଧି ବସିଥିଲା। ଶେଷକୁ ଭିଜିଲାନ୍ସ ମାମଲାର ଦୀର୍ଘ ୧୨ ବର୍ଷ ପରେ ନିର୍ବାଚନରେ ଅନିୟମିତତା ଅଭିଯୋଗରେ ବିଭାଗ ତାଙ୍କୁ ନିଲମ୍ବିତ କରିଛି।