ବିଭାଗୀୟ ମୁଖ୍ୟ ଦପ୍ତରର ଅଧିକାରୀଙ୍କ ପଦୋନ୍ନତି ପ୍ରକ୍ରିୟା ବଦଳିଲା: ପାଞ୍ଚ ସେବା କ୍ୟାଡର୍ ନିୟମାବଳୀରେ ସଂଶୋଧନ

ଭୁବନେଶ୍ବର : ରାଜ୍ୟ ସରକାରଙ୍କ ଚାରିଟି ସେବା କ୍ୟାଡର୍ର ନିୟମାବଳୀରେ ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ ଦେଇଛି। ଓଡ଼ିଶା ବିଭାଗୀୟ ମୁଖ୍ୟ ଦପ୍ତର କମନ୍ କ୍ୟାଡର୍ ନିୟମାବଳୀର ସଂଶୋଧନ କରାଯାଇଛି। ନୂଆ ବ୍ୟବସ୍ଥାରେ ଏଣିକି ପ୍ରତିଷ୍ଠାନ ଅଧିକାରୀରୁ ପ୍ରଶାସନିକ ଅଧିକାରୀ ଏବଂ ପ୍ରଶାସନିକ ଅଧିକାରୀରୁ ବରିଷ୍ଠ ପ୍ରଶାସନିକ ଅଧିକାରୀ ପଦବିକୁ ପଦୋନ୍ନତି ହେବା ନିମନ୍ତେ ଆବଶ୍ୟକ କରୁଥିବା ଏକ ବର୍ଷର ଅଭିଜ୍ଞତା ଅବଧି ରହିବନି। ଅଧିକାରୀମାନଙ୍କ ବରିଷ୍ଠତାକୁ ଦୃଷ୍ଟିରେ ରଖି ଯୋଗ୍ୟତା ଓ ଉପଯୋଗିତା ଆଧାରରେ ପଦୋନ୍ନତି ଦିଆଯିବ।

ଓଡ଼ିଶା ସିଭିଲ୍ ସର୍ଭିସ୍ ନିୟମାବଳୀ, ୧୯୯୨ରେ ସଂଶୋଧନ କରାଯାଇଛି। ଏହି ସଂଶୋଧନ ଅନୁଯାୟୀ ଗ୍ରୁପ୍-ସି କର୍ମଚାରୀଙ୍କ ପଦୋନ୍ନତି ପାଇଁ ଉଚ୍ଚ ଅଧିକାରୀଙ୍କ ଦ୍ବାରା ବାର୍ଷିକ ଗୋପନୀୟ ଚରିତ୍ର ପଞ୍ଜିକା/ କାର୍ଯ୍ୟଦକ୍ଷତା ମୂଲ୍ୟାଙ୍କନ ରିପୋର୍ଟ ଲେଖିବା ଆବଶ୍ୟକ ନାହିଁ। ଏହା ପରିବର୍ତ୍ତେ ଯେଉଁ ଅଧିକାରୀଙ୍କ ଅଧୀନରେ କର୍ମଚାରୀମାନେ ବର୍ଷକ ମଧ୍ୟରେ କାର୍ଯ୍ୟ କରିଛନ୍ତି, ସେମାନେ ଗ୍ରୁପ୍-ସି କର୍ମଚାରୀଙ୍କ କାର୍ଯ୍ୟଦକ୍ଷତାକୁ ଆକଳନ କରିବେ। ଏଚ୍ଆର୍‌ଏମ୍ଏସ୍ ସିଷ୍ଟମରେ ‘ଉଚ୍ଚ ଦାୟିତ୍ବ ବହନ କରିବାକୁ ଫିଟ୍’ କିମ୍ବା ‘ଉଚ୍ଚ ଦାୟିତ୍ବ ବହନ କରିବା ପାଇଁ ଫିଟ୍ ନୁହେଁ’ ବୋଲି ରେକର୍ଡ କରିବେ। ଏହାକୁ ନେଇ ଡିପିସି ପଦୋନ୍ନତିର ବିଚାର କରିବ।

ଓଡ଼ିଶା ଗ୍ରାମପଞ୍ଚାୟତ ନିର୍ବାହୀ ଅଧିକାରୀ(ନିଯୁକ୍ତି ଓ ସେବା ସର୍ତ୍ତବାଳୀ ପ୍ରଣାଳୀ) ନିୟମାବଳୀରେ ସଂଶୋଧନ କରାଯାଇଛି। ନୂଆ ନିୟମ ଅନୁସାରେ ଖାଲି ଥିବା ସମସ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀ ପଦବି ନିମନ୍ତେ ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ ମାଧ୍ୟମରେ ପ୍ରତ୍ୟକ୍ଷ ନିଯୁକ୍ତି ପରୀକ୍ଷା କରାଯାଇ ପୂରଣ କରାଯିବ। ଏହି ନୂଆ ନିୟମାବଳୀରେ ଗ୍ରାମ ରୋଜଗାର ସେବକମାନଙ୍କ ନିମନ୍ତେ ୪୫ ବର୍ଷ ବୟସ ପର୍ଯ୍ୟନ୍ତ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଭାଗ ନେବା ନିମନ୍ତେ ବୟସକୁ କୋହଳ କରାଯାଇଛି। ଏହା ବାଦ୍ ଗ୍ରାମ ରୋଜଗାର ସେବକମାନଙ୍କୁ ପ୍ରତ୍ୟେକ ଏକ ବର୍ଷର ନିରବଚ୍ଛିନ୍ନ ଚାକିରି କରିଥିବା କ୍ଷେତ୍ରରେ ଏକ ପ୍ରତିଶତ ହିସାବରେ ସର୍ବାଧିକ ୧୫ ପ୍ରତିଶତ ପର୍ଯ୍ୟନ୍ତ ନମ୍ବର ଦିଆଯାଇ ଗ୍ରାମ ରୋଜଗାର ସେବକମାନଙ୍କର ଯୋଗ୍ୟ ତାଲିକା ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ ଦ୍ବାରା ପ୍ରସ୍ତୁତ ହେବ।

ଓଡ଼ିଶା ଅଧସ୍ତନ ପରିସଂଖ୍ୟାନ ଓ ଅର୍ଥନୀତି ସେବା ନିୟମ, ୧୯୯୪ରେ ସଂଶୋଧନ ଆଣିବା ପ୍ରସ୍ତବାକୁ କ୍ୟାବିନେଟ୍ ସ୍ବୀକୃତି ଦେଇଛି। ସଂଶୋଧିତ ବ୍ୟବସ୍ଥାରେ ପ୍ରାଥମିକ ଅନୁସନ୍ଧାନକାରୀ/ ପରିସଂଖ୍ୟାନ ସହାୟକ/ ପରିସଂଖ୍ୟାନ ଅନୁସନ୍ଧାନକାରୀ ପଦବିଗୁଡ଼ିକ ଯଥାକ୍ରମେ ଅନୁସନ୍ଧାନକାରୀ/ ସହକାରୀ ପରିସଂଖ୍ୟାନ ଅନୁସନ୍ଧାନକାରୀ/ ପରିସଂଖ୍ୟାନ ଅଧିକାରୀ ନାମରେ ନାମିତ କରାଗଲା। ଏହି ପଦବିଗୁଡ଼ିକ ପୂରଣ ନିମନ୍ତେ ଓପିଏସ୍‌ସି ଦ୍ବାରା ଲିଖିତ ଓ ମୌଖିକ ପରୀକ୍ଷା ଦ୍ବାରା ପୂରଣ କରାଯିବ। ତେବେ ଅନୁସନ୍ଧାନକାରୀ ପଦବି ଗ୍ରେଡ୍ ପେ’ ଲେବଲ୍-୫ ହୋଇଥିବାରୁ ଅନୁସନ୍ଧାନକାରୀ ପଦବି ପୂରଣ ଓଡ଼ିଶା କର୍ମଚାରୀ ଚୟନ ଆୟୋଗ ମାଧ୍ୟମରେ କରାଯିବ।

ଓଡ଼ିଶା କାରାଗାର ଫାର୍ମାସିଷ୍ଟ ସେବା ନିୟମାବଳୀରେ ସଂଶୋଧନ କରାଯାଇଛି। ଜେଲ୍ଗୁଡ଼ିକରେ ବନ୍ଦୀମାନଙ୍କ ସ୍ବାସ୍ଥ୍ୟର ଯତ୍ନ ପାଇଁ ଫାର୍ମାସିଷ୍ଟ ନିଯୁକ୍ତି ପାଇଥା’ନ୍ତି। କିନ୍ତୁ ସେମାନଙ୍କ ପାଇଁ ପଦୋନ୍ନତିର ସୁବିଧା ନ ଥିବାରୁ ସେମାନେ ସେହି ପଦରେ ଅବସର ନେଉଛନ୍ତି। ଏହାକୁ ନେଇ ସେମାନଙ୍କ ମଧ୍ୟରେ ବହୁ ଦିନ ହେଲା ଅସନ୍ତୋଷ ରହିଛି। ନିୟମାବଳୀରେ ସଂଶୋଧନ ହେଲା ପରେ ଏଣିକି ଖାଲି ପଦବି ପୂରଣରେ ରହିଥିବା ସମସ୍ୟା ଦୂର ହେବା ସହ ଫର୍ମାସିଷ୍ଟମାନଙ୍କ ପଦୋନ୍ନତି ସୁଯୋଗ ସୃଷ୍ଟି ହେବ।

ସମ୍ବନ୍ଧିତ ଖବର