ଓଡ଼ିଆ ପ୍ରତିରକ୍ଷା ବିଜ୍ଞାନୀଙ୍କୁ ପଦୋନ୍ନତି : ଆଇଆରଡିଇ ନିର୍ଦ୍ଦେଶକ ହେଲେ ବିନୟ ଦାସ

ବାଲେଶ୍ବର : ଡିଆରଡିଓ ଅଧୀନ ଆଇଆରଡିଇ(ଇନଷ୍ଟ୍ରୁମେଣ୍ଟ ରିସର୍ଚ୍ଚ ଆଣ୍ଡ ଡେଭେଲପମେଣ୍ଟ ଏଷ୍ଟାବ୍ଲିସମେଣ୍ଟ)ର ନିର୍ଦ୍ଦେଶକ ହେଲେ ବରିଷ୍ଠ ବୈଜ୍ଞାନିକ ଡକ୍ଟର ବିନୟ କୁମାର ଦାସ। ଡେରାଡୁନ୍‌ସ୍ଥିତ ପ୍ରତିରକ୍ଷା ମନ୍ତ୍ରାଳୟର ଏହି ଗୁରୁତ୍ବପୂର୍ଣ୍ଣ ପ୍ରତିଷ୍ଠାନର ନିର୍ଦ୍ଦେଶକ ଭାବେ ଡକ୍ଟର ଦାସ ହେଉଛନ୍ତି ପ୍ରଥମ ଓଡ଼ିଆ।

ବାଲେଶ୍ବର ଜିଲ୍ଲା ଚାନ୍ଦିପୁର ସ୍ଥିତ ଆଇଟିଆରରେ ଡକ୍ଟର ଦାସଙ୍କ ଚାକିରି ଜୀବନ ଆରମ୍ଭ ହୋଇଥିଲା। ବୈଜ୍ଞାନିକ ଭା‌ବେ ଏଠାରେ ଦୀର୍ଘ ୩୩ ବର୍ଷର ରହଣି ଭିତରେ ଆଇଟିଆରର ଯୁଗ୍ମ ନିର୍ଦ୍ଦେଶକ, ସହକାରୀ ନିର୍ଦ୍ଦେଶକ ଦାୟିତ୍ବ ତୁଲାଇବା ପରେ ଗତ ସାଢ଼େ ୪ ବର୍ଷ ହେଲା ନିର୍ଦେଶକ ଦାୟିତ୍ବରେ ଥିଲେ। ତେବେ ଗତକାଲି ଏକ ଜରୁରୀକାଳୀନ ଭିତ୍ତିରେ ତାଙ୍କୁ ଏଠାରୁ ବଦଳି କରାଯାଇ ତୁରନ୍ତ ଆଇଆରଡିଇର ନିର୍ଦେଶକ ଭାବେ ଯୋଗ ଦେବାକୁ ଡିଆରଡିଓ ତରଫରୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହାପରେ ସେ ତୁରନ୍ତ ନିଜ ଦାୟିତ୍ବ ହସ୍ତାନ୍ତର କରି ଆଜି ସକାଳେ ସେଠାରେ ଆରଆରଡିଇରେ ନିଜ ପଦଭାର ଗ୍ରହଣ କରିଛନ୍ତି। ତେବେ ପିଏକ୍ସଇର ନିର୍ଦେଶକ ଡି କେ ଯୋଶୀଙ୍କୁ ଆଇଟିଆରରେ ଭାରପ୍ରାପ୍ତ ନିର୍ଦେଶକ ଭାବେ ଦାୟିତ୍ବ ଦିଆଯାଇଛି।

ସୂଚନଯୋଗ୍ୟ, ବୈଜ୍ଞାନିକ ଡକ୍ଟର ଦାସ ତାଙ୍କ ତତ୍ତ୍ବାବଧାନରେ ଚାନ୍ଦିପୁର ଆଇଟିଆର ରେଞ୍ଜରେ ଅଗ୍ନି, ପୃଥ୍ବୀ, ବ୍ରହ୍ମୋସ୍‌, ଆକାଶ, ନାଗ, ପିନାକ, ନିର୍ଭୟ ଆଦି ଭଳି ବହୁ ଶକ୍ତିଶାଳୀ କ୍ଷେପଣାସ୍ତ୍ରଗୁଡ଼ିକର ସଫଳ ପରୀକ୍ଷଣ କରି ଭାରତ ସରକାରଙ୍କ ନିକଟରେ ନିଜର ଦକ୍ଷତାର ପ୍ରମାଣ ଦେଇଥିଲେ। ଏଥିସହ କେବଳ ଜଣେ ବୈଜ୍ଞାନିକ ଭାବରେ ନୁହେଁ, ବାଲେଶ୍ବରରେ ତାଙ୍କର ରହଣି ମଧ୍ୟରେ ବିଭିନ୍ନ ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ନିଜେ ପ୍ରତ୍ୟକ୍ଷ ଭାବେ ଜଡ଼ିତ ରହୁଥିଲେ। ଜିଲ୍ଲାର ବିଭିନ୍ନ ପ୍ରକାର ବିକାଶମୂଳକ କାମରେ ନିଜେ ଏବଂ ଆଇଟିଆର ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ସାମିଲ କରାଇ ଡକ୍ଟର ଦାସ ଜଣେ ନିଆରା ବ୍ୟକ୍ତିତ୍ବ ଭାବେ ପରିଚିତ ହୋଇଥିଲେ। ଡକ୍ଟର ଦାସଙ୍କ ପୈତୃକ ଘର ଯାଜପୁରରେ ହୋଇଥିବାବେଳେ ପୁରୀ ଟାଉନ୍‌ରେ ସେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ସ୍କୁଲ ଓ କଲେଜ ଜୀବନ ପୁରୀରେ କଟିଥିଲା।

ସମ୍ବନ୍ଧିତ ଖବର