ରାଉରକେଲାରେ କପଡ଼ା ଦୋକାନର ଗୋଦାମ ଘରେ ନିଆଁ ଲାଗି ପ୍ରାୟ ୭ ଲକ୍ଷ ଟଙ୍କାର ସମ୍ପତ୍ତି ନଷ୍ଟ

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ଅନ୍ତର୍ଗତ ରାଉରକେଲା ସହରରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଥିବା ଜଣାଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ରାଉରକେଲା ସହରର ମଙ୍ଗଳ ଭବନ ନିକଟରେ ଥିବା ଏକ କପଡ଼ା ଦୋକାନର ଗୋଦାମ ଘରେ ନିଆଁ ଲାଗି ଦୋକାନର ପ୍ରାୟ ୭ ଲକ୍ଷ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଛି । ଦୁଇଟି ଦମକଳ ଗାଡ଼ି ଆସି ନିଆଁକୁ ଆୟତ୍ତ କରିଥିଲେ ।

ଗତକାଲି ବିଳମ୍ବିତ ରାତିରେ ମଙ୍ଗଳ ଭବନ ନିକଟରେ ଥିବା କପଡ଼ା ଦୋକାନର ଗୋଦାମ ଘରେ ନିଆଁ ଲାଗିଥିଲା । ଏହା ଦେଖିବାମାତ୍ରେ ସ୍ଥାନୀୟ ଲୋକ ତୁରନ୍ତ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲା। ଅଗ୍ନିକାଣ୍ଡ ଏତେ ଭୟାବହ ଥିଲା ଯେ ଦୁଇଟି ଦମକଳ ଗାଡ଼ିକୁ ଏହି ନିଆଁକୁ ଆୟତ୍ତ କରିବାକୁ ପଡ଼ିଥିଲା । ତେବେ ଏଥିରେ ଦୋକାନର ବ୍ୟାପକ କ୍ଷତି ହୋଇଯାଇଛି । ପ୍ରାୟ ୭ ଲକ୍ଷ ଟଙ୍କାର କପଡ଼ା ପୋଡ଼ି ଯାଇଥିବା କୁହାଯାଉଛି।

ବିଦ୍ୟୁତ୍‌ ସଟ୍‌ ସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଇଛି । ତେବେ ଏତେବଡ଼ ଦୋକାନରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନ ଥିବାରୁ ଏଭଳି ଅଘଟଣ ଘଟିଥିବା କୁହାଯାଉଛି। ଘଟଣା ସଂପର୍କରେ ପୁଲିସ ପକ୍ଷରୁ ଅଧିକ ତଦନ୍ତ ଚାଲିଛି।

ସମ୍ବନ୍ଧିତ ଖବର