କେନ୍ଦୁଝର: ସରକାରୀ ଚାକିରି କରି ଜମିଦାର ଭଳି ଭୂସମ୍ପତ୍ତି ଅର୍ଜନ କରିଥିଲେ। ନିଜର, ନିଜ ପତ୍ନୀ ଓ ପୁଅଝିଅଙ୍କ ନାମରେ ୧୨୩ଟି ପ୍ଲଟ୍ (ଜାଗା) କିଣିଥିଲେ। ଫାର୍ମ ହାଉସ୍ଠାରୁ ଆରମ୍ଭ କରି ବିଶାଳ ଅଟ୍ଟାଳିକା ନିର୍ମାଣ କରିଥିଲେ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ କେନ୍ଦୁଝର କେନ୍ଦୁପତ୍ର ଡିଭିଜନ୍ର ଡିଏଫ୍ଓ ନିତ୍ୟାନନ୍ଦ ନାୟକଙ୍କୁ ଭିଜିଲାନ୍ସ ଆଜି ଗିରଫ କରିଛି। ଗିରଫ ପରେ ଭିଜିଲାନ୍ସ ସ୍ବତନ୍ତ୍ର ବିଚାରପତିଙ୍କ କୋର୍ଟରେ ତାଙ୍କୁ ହାଜର କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ଶ୍ରୀ ନାୟକଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଅନ୍ୟପକ୍ଷରେ ଭିଜିଲାନ୍ସ ଚଢ଼ଉର ତୃତୀୟ ଦିନରେ ଡିଏଫ୍ଓଙ୍କ ଏକ ଫାର୍ମ ହାଉସ୍ ଠାବ କରାଯାଇଛି। ଏ ନେଇ ଭିଜିଲାନ୍ସ କେସ୍ ନମ୍ବର ୬/୨୦୨୫ରେ ଏକ ମାମଲା ରୁଜୁ କରାଯାଇଛି।
ତୃତୀୟ ଦିନରେ ଠାବ ହେଲା ଫାର୍ମ ହାଉସ୍, ବାହାରିଲା ଆଉ ୮ ପ୍ଲଟ୍
ପ୍ରଥମ ଦିନ କେନ୍ଦୁଝରସ୍ଥିତ କାର୍ଯ୍ୟାଳୟ, ଅନୁଗୁଳରେ ଥିବା ଏକ ଚାରିମହଲା କୋଠା, ବନ୍ତଳା ଥାନା ଅନ୍ତର୍ଗତ ମଦନମୋହନପାଟଣାରେ ପୈତୃକ ଘର, ଅନୁଗୁଳ ଜଗନ୍ନାଥପୁରରେ ଥିବା ଶ୍ବଶୁରଘର, କେନ୍ଦୁଝର ସରକାରୀ ବାସଭବନ, ନୟାଗଡ଼ଜିଲ୍ଲା କୋମଣ୍ଡରେ ପୁଅ ରହୁଥିବା ଘର, ନୟାଗଡ଼ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ପୁଅର ଅଫିସ ପ୍ରକୋଷ୍ଠରେ ଚଢ଼ଉ କରିଥିଲା ଭିଜିଲାନ୍ସ। ଖୋଳତାଡ଼ ବେଳେ ଶ୍ରୀ ନାୟକଙ୍କ ନାମରେ ୫୮ଟି ପ୍ଲଟ୍, ତାଙ୍କ ପତ୍ନୀଙ୍କ ନାମରେ ୪୩ଟି ପ୍ଲଟ୍, ଦୁଇପୁଅଙ୍କ ନାମରେ ୧୮ଟି ପ୍ଲଟ୍ ଏବଂ ଝିଅ ନାମରେ ୪ଟିକୁ ମିଶାଇ ମୋଟ ୧୨୩ଟି ପ୍ଲଟ୍ ଥିବା ଜଣାପଡ଼ିଥିଲା। ଦ୍ବିତୀୟ ଦିନରେ ନଗଦ ୧୦ ଲକ୍ଷ ୨୫ ହଜାର ଟଙ୍କା ଜବତ ହୋଇଥିବାବେଳେ ବ୍ୟାଙ୍କରେ ୫୦ ଲକ୍ଷ ୩୮ହଜାର ଟଙ୍କା ଜମାଥିବା ଭିଜିଲାନ୍ସର ନଜରକୁ ଆସିଥିଲା।
ସେହିପରି ଦୁଇଟି ଚାରିଚକିଆ, ଅନୁଗୁଳରେ ୯୦୦୦ ବର୍ଗଫୁଟର ଏକ କୋଠା ଠାବ କରାଯିବା ସହ ୨୦୦ ଗ୍ରାମର ସୁନାଗହଣା ଜବତ କରାଯାଇଥିଲା। ଆଜି ତୃତୀୟ ଦିନର ଚଢ଼ଉରେ ଅନୁଗୁଳ ଜିଲ୍ଲା ଛେଣ୍ଡିପଦାଠାରେ ଶ୍ରୀ ନାୟକଙ୍କ ଏକ ଫାର୍ମ ହାଉସ୍ ଠାବ ହୋଇଛି। ତାଙ୍କ ବାସଭବନରୁ ମିଳିଥିବା କାଗଜପତ୍ର ଅନୁସାରେ, ଏହି ଫାର୍ମ ହାଉସ୍ ୧ ଏକର ୫୦ ଡିସିମିଲ ଜମିରେ ରହିଛି। ଏଥିରେ ୧୪୩୨ ବର୍ଗଫୁଟର ଗୋଟିଏ ବଡ଼କୋଠା ଏବଂ ୩୧୪ ବର୍ଗଫୁଟର ଘର ରହିଛି। ଫାର୍ମ ହାଉସ୍ ପରିସରରେ ୪୦ ଡିସିମିଲ ଜମିରେ ଏକ ପୋଖରୀ, ଦୁଇଟି ନଳକୂପ, ୧୦୦ରୁ ଊର୍ଦ୍ଧ୍ବ ନଡ଼ିଆଗଛ, କଦଳୀ ଓ ଆମ୍ବବଗିଚା ରହିଛି। ଫାର୍ମ ହାଉସ୍ରେ ମାଟି କାମ ବାବଦକୁ ପ୍ରାୟ ୩୦ ଲକ୍ଷ ଖର୍ଚ୍ଚ ହୋଇଥିବା ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/07/23/fshhfsfhxbvbv-2025-07-23-00-46-43.jpg)