ବାଲିପାଟଣା: ସ୍ବାଧୀନତା ଦିବସ ଓ ପବିତ୍ର ଜନ୍ମାଷ୍ଟମୀ ପାଇଁ ସବୁଠି ଥିଲା ଖୁସିର ବାତାବରଣ। କିନ୍ତୁ ଅପରାହ୍ଣ ପ୍ରାୟ ୨ଟା ବେଳେ ବାଲିପାଟଣା ଥାନାସାହିରେ ଘଟିଗଲା ଏକ ଅଭାବନୀୟ ଘଟଣା। ଅବସରପ୍ରାପ୍ତ ପୁଲିସ କର୍ମଚାରୀ ସୁରେନ୍ଦ୍ର ମଠିଆଙ୍କ ଘରେ ତାଙ୍କ ପ୍ରଥମ ପତ୍ନୀଙ୍କ ପୁଅ ଜ୍ୟୋତିରଞ୍ଜନ ମଠିଆ (୪୦) ଜଳିଗଲେ। ପେଟ୍ରୋଲ୍ ନିଆଁରେ ୮୦ ପ୍ରତିଶତ ପୋଡ଼ି ଯାଇଥିବା ଜ୍ୟୋତିଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଏମ୍ସକୁ ନିଆଯାଇଥିଲେ ହେଁ ରାତିରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ବାପା ସୁରେନ୍ଦ୍ର, ସାବତ ମାଆ ପ୍ରଭାତୀ ଓ ଭାଇ ପ୍ରଶାନ୍ତ ଓରଫ ଜେଲୁ ମିଶି ତାଙ୍କ ଦେହରେ ପେଟ୍ରୋଲ୍ ଢାଳି ନିଆଁ ଲଗାଇଦେଲେ ବୋଲି ଡାକ୍ତରଖାନାରେ ଜ୍ୟୋତି ପୁଲିସକୁ ବୟାନ ଦେଇଥିଲେ। ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ଜ୍ୟୋତିଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ ବେହେରା ମଧ୍ୟ ବାଲିପାଟଣା ଥାନାରେ ଅଭିଯୋଗ କରିଥିଲେ। ଜ୍ୟୋତିଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀ ଓ ସ୍ତ୍ରୀ ବିଜୟଲକ୍ଷ୍ମୀଙ୍କ ଅଭିଯୋଗ ଆଧାରରେ ପୁଲିସ ସୁରେନ୍ଦ୍ର, ତାଙ୍କ ଦ୍ବିତୀୟ ପତ୍ନୀ ପ୍ରଭାତୀ ଓ ପୁଅ ପ୍ରଶାନ୍ତକୁ କୋର୍ଟ ଚାଲାଣ କରିଛି।
ସେପଟେ ମୃତ ଜ୍ୟୋତି ଓ ବିଜୟଲକ୍ଷ୍ମୀଙ୍କ ଅଭିଯୋଗକୁ ୩ ଅଭିଯୁକ୍ତ ଖଣ୍ଡନ କରିଛନ୍ତି ଏବଂ ଜ୍ୟୋତି ନିଜେ ହିଁ ସେମାନଙ୍କ ସମ୍ମୁଖରେ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଥିଲେ ବୋଲି ସଫେଇ ଦେଇଛନ୍ତି। ତେଣୁ କେଉଁ ପୃଷ୍ଠଭୂମିରେ ଜ୍ୟୋତି ଜଳିଗଲେ, ସେ ନେଇ ପୁଲିସ ଛାନ୍ଭିନ୍ ଚଳାଇଛି। ତେବେ ଘଟଣା ପଛରେ ସମ୍ପତ୍ତି ଭାଗବଣ୍ଟାକୁ ନେଇ ପୁରୁଣା ବିବାଦ ଥିଲା ବୋଲି ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ୧୫ ତାରିଖ ଅପରାହ୍ଣରେ ବାପା ସୁରେନ୍ଦ୍ରଙ୍କ ଘର ଭିତରେ ଜ୍ୟୋତିଙ୍କ ବିକଳ ଚିତ୍କାର ଶୁଣି ପତ୍ନୀ ବିଜୟଲକ୍ଷ୍ମୀ ଧାଇଁଯାଇଥିଲେ। ସେତେବେଳକୁ ଜ୍ୟୋତିଙ୍କ ଶରୀର ପ୍ରାୟ ୮୦ ଶତକଡ଼ା ପୋଡ଼ି ଯାଇଥିଲା। ପାଖ ପଡ଼ୋଶୀଙ୍କ ସହାୟତାରେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ନିଆଯାଇଥିଲା। ବାପା, ସାବତ ମାଆ ଓ ସାବତ ଭାଇ ମିଶି ତାଙ୍କ ଉପରେ ପେଟ୍ରୋଲ ପକାଇ ନିଆଁ ଲଗାଇଦେଲେ ବୋଲି ଜ୍ୟୋତି କହିଥିଲେ। ରାତି ପ୍ରାୟ ୪ଟାରେ ଚିକିତ୍ସାଧୀନ ଅବସ୍ଥାରେ ଏମ୍ସରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।
ବନ୍ଧାହେଲେ ସାବତ ମାଆ, ଭାଇ ଓ ବାପା
‘ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ’
ପୁଲିସ ଏଏସ୍ଆଇ ଥିବା ବେଳେ ବିବାଦୀୟ କାରଣରୁ ସୁରେନ୍ଦ୍ର ଚାକିରିରୁ ବହିଷ୍କୃତ ହୋଇଥିଲେ। ପ୍ରଥମ ସ୍ତ୍ରୀ ତଥା ଜ୍ୟୋତିଙ୍କ ମାଆଙ୍କ ମୃତ୍ୟୁ ପରେ ସେ ପ୍ରଭାତୀଙ୍କୁ ଦ୍ବିତୀୟ ବିବାହ କରିଥିଲେ ଏବଂ ପୈତୃକଘର କାକଟପୁର ମଙ୍ଗଳପୁର ନ ଫେରି ବାଲିପାଟଣା ଛକ ନିକଟରେ ଘର କରି ରହୁଥିଲେ। ଦ୍ୱିତୀୟ ପତ୍ନୀ ପ୍ରଭାତୀ ଗୋଟିଏ ପୁଅ ଜେଲୁ ଓ ଗୋଟିଏ ଝିଅ ଜନ୍ମ ଦେଇଥିଲେ। ବିବାହ ପରେ ଝିଅର ମୃତ୍ୟୁ ହୋଇ ଯାଇଥିଲା। ଜ୍ୟୋତି ୨୦୨୩ ମସିହାରେ ସ୍ଥାନୀୟ ଆଳୋଇ ଗାଁର ବିଜୟଲକ୍ଷ୍ମୀଙ୍କୁ ବିବାହ କରିଥିଲେ। ଏହା ପରେ ପ୍ରଭାତୀଙ୍କ ପୁଅ ଜେଲୁର ବିବାହ ହୋଇଥିଲା। ୨୦୨୨ ମସିହାରେ ସୁରେନ୍ଦ୍ର ବିଶ୍ୱନାଥପୁର ମୌଜାରେ ଥିବା ଏକ ମୂଲ୍ୟବାନ ଜମିକୁ ପ୍ରଭାତୀ ଓ ଜେଲୁ ନାଁରେ ପଞ୍ଜୀକରଣ କରିଥିଲେ। ଏଇଥିରୁ ଆରମ୍ଭ ହୋଇଥିଲା ବିବାଦ। ବଡ଼ପୁଅ ଜ୍ୟୋତିକୁ ଭାଗ ନ ମିଳିବାରୁ ସେ ପ୍ରତିବାଦ କରିଥିଲେ। ତେଣୁ ରାଗରେ ସୁରେନ୍ଦ୍ର, ଜ୍ୟୋତି ଓ ବିଜୟଲକ୍ଷ୍ମୀଙ୍କୁ ଘରୁ ବାହାର କରିଦେଲେ। କିଛି ଦିନ ପାଇଁ ଜ୍ୟୋତି ସ୍ତ୍ରୀ ଓ ପୁଅକୁ ନେଇ ଭଡ଼ାଘରେ ରହିଥିଲେ। ନିକଟରେ ସୁରେନ୍ଦ୍ର ନିଜ ଘରୁ ଗୋଟିଏ ବଖରା ଦେବା ପରେ ଜ୍ୟୋତି ଓ ବିଜୟଲକ୍ଷ୍ମୀ ସେଠାରେ ରହୁଥିଲେ। ପୁଣି ସେହି ୧ ବଖରା ଘରକୁ ପାଚେରି ପକାଇ ଅଲଗା କରାଯାଇଥିଲା ଏବଂ ସୁରେନ୍ଦ୍ର ଦାବି କରି ପୁଅଠାରୁ ମାସିକ କିଛି ଟଙ୍କା ନେଉଥିଲେ। କିନ୍ତୁ ଜ୍ୟୋତିଙ୍କ ଦାବି ଥିଲା ବିଶ୍ବନାଥପୁର ମୌଜା ଜମିରୁ ଭାଗ ପାଇବା। ମାତ୍ର ତାଙ୍କୁ ଭାଗ ଦେବା ପାଇଁ ସୁରେନ୍ଦ୍ର, ପ୍ରଭାତୀ ଓ ଜେଲୁ ରୋକ୍ଠୋକ ମନା କରିଦେଇଥିଲେ।
କଂଗ୍ରେସ ପକ୍ଷରୁ ରାସ୍ତାରୋକ ବ୍ୟବଚ୍ଛେଦ ପରେ ଜ୍ୟୋତିଙ୍କ ମୃତଦେହ ବାଲିପାଟଣା ଅଣାଯାଇଥିଲା। ଉପଯୁକ୍ତ ତଦନ୍ତ ଓ କ୍ଷତିପୂରଣ ଦାବିରେ ସମ୍ପର୍କୀୟମାନଙ୍କ ସହ ବାଲିପାଟଣା ବ୍ଲକ୍ କଂଗ୍ରେସର ପୂର୍ବତନ ସଭାପତି ବଟକୃଷ୍ଣ ରାଉତରାୟଙ୍କ ନେତୃତ୍ବରେ ରାସ୍ତା ଅବରୋଧ କରାଯାଇଥିଲା। ଫଳରେ ସରଦେଇପୁର-ନିମାପଡ଼ା ରାସ୍ତା ପାଖାପାଖି ୨ଘଣ୍ଟା ବନ୍ଦ ହୋଇ ଯାଇଥିଲା। ବିଜୟଲକ୍ଷ୍ମୀଙ୍କୁ ସରକାରୀ ଚାକିରି ଓ ୨୫ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରି ଲୋକେ ଆନ୍ଦୋଳନକୁ ଓହ୍ଲାଇଥିଲେ। ପୂର୍ବରୁ ଏହି ମାମଲାରେ ପୁଲିସ ଜ୍ୟୋତିଙ୍କୁ ଉପଯୁକ୍ତ ନ୍ୟାୟ ଦେଇ ନଥିବାରୁ ଏଭଳି ଅଘଟଣ ଘଟିଲା ବୋଲି ବିକ୍ଷୋଭକାରୀମାନେ ଅଭିଯୋଗ କରିଥିଲେ। ବାଲିପାଟଣା ଅତିରିକ୍ତ ତହସିଲଦାର ମିଲନ୍ ଜୟସ୍ବାଲ୍ ଆନ୍ଦୋଳନରତ ଲୋକଙ୍କୁ ବୁଝାସୁଝା କରିବା ସହ ସରକାରୀ ସହାୟତା ପ୍ରଦାନ ଦିଗରେ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ହଟିଥିଲା।