ଆଦିବାସୀଙ୍କ ଜମି ୧୫ଜଣଙ୍କୁ ବାଣ୍ଟି ଦେଇଥିବା ନେଇ ସଙ୍ଗୀନ ଅଭିଯୋଗ ଆଣିଲେ ଗଜପତି ଜିଲ୍ଲା ସ୍ଵତନ୍ତ୍ର ଉନ୍ନୟନ ପରିଷଦର ପୂର୍ବତନ ଅଧ୍ୟକ୍ଷ

ରା.ଉଦୟଗିରି: ତଳତଳିଆ ଭୁଲ୍ କଲେ ହିତାଧିକାରୀ କିମ୍ବା ସାଧାରଣ ଜନତା ଉପରିସ୍ଥ ଅଧିକାରୀଙ୍କୁ ଅଭିଯୋଗ କରନ୍ତି । ଆଉ ଯଦି ଖୋଦ୍ ଅଧିକାରୀ ଭୁଲ୍ କରନ୍ତି ତେବେ ସାଧାରଣ ଜନତା ଗୁହାରୀ କରିବେ କାହାକୁ l ନିଜେ କରିଥିବା ଭୁଲ୍‌କୁ ତଳତଳିଆଙ୍କ ମୁଣ୍ଡରେ ଅଠା ବୋଳି ନିଜେ ଖସିବା ପ୍ରୟାସ ଆଦିବାସୀ ଉନ୍ନୟନ ବିଭାଗର ଏକ ରୀତିମତ ଅଭ୍ୟାସ। ନହେଲେ ଜଣେ ନୁହଁ କି ଦିଜଣ ନୁହଁ, ଆଦିବାସୀଙ୍କ ଜମିକୁ ଏକା ଥରେ ୧୫ଜଣଙ୍କୁ ବାଣ୍ଟିଦେବା ଭଳି ଜଘନ୍ୟ କାମ ତଳ ସ୍ତରରେ କେବେ ସମ୍ଭବ ନୁହେଁ । ଏଭଳି ସଙ୍ଗୀନ ଅଭିଯୋଗ କରିଛନ୍ତି ଗଜପତି ଜିଲ୍ଲା ସ୍ଵତନ୍ତ୍ର ଉନ୍ନୟନ ପରିଷଦର ପୂର୍ବତନ ଅଧ୍ୟକ୍ଷ ତଥା ପୂର୍ବତନ ମୋହନା ବିଧାୟକ ପ୍ରାର୍ଥୀ ଅନ୍ତର୍ଯ୍ୟାମୀ ଗମାଙ୍ଗ ।

ନୂଆଗଡ଼ ବ୍ଲକ୍‌ର ପାଇକ ଅନ୍ତରଡ଼ା ପଞ୍ଚାୟତର ରୁବୁଡ଼ି ସିଂ ଗ୍ରାମରେ ହୋଇଥିବା ଚଞ୍ଚକତାକୁ ତଳତଳିଆ କର୍ମଚାରୀଙ୍କ ମୁଣ୍ଡରେ ଅଠା ବୋଳିବା ପାଇଁ ବିଭାଗୀୟ ସ୍ତରରେ ଯେମିତି ଉଦ୍ୟମ ଆରମ୍ଭ ହୋଇଛି ତାକୁ ନାପସନ୍ଦ କରିଛନ୍ତି ଶ୍ରୀ ଗମାଙ୍ଗ । ତାଙ୍କ କହିବା କଥା ହେଲା ଯେତେବେଳେ ଏହି କଥା ସାର୍ବଜନୀନ ହେଲା ତାପରଠାରୁ ଆଇଟିଡିଏର ବଡ଼ପଣ୍ଡା କରିଛନ୍ତି କଣ ? ୨୦୧୪ରେ ଆଇଟିଡିଏ ଦ୍ବାରା ପ୍ରସ୍ତୁତ ହୋଇଥିବା ଏହି ଜମିପଟ୍ଟା ଫାଇଲ୍‌କୁ କିଏ ରିସିଭ୍ କରିଥିଲେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ । ଜିଲ୍ଲାପାଳଙ୍କ କାନକୁ ଖବର ଗଲାପରେ ସେ ନିଜ ପକ୍ଷରୁ ତଦନ୍ତ କରାଇଥିଲେ । ବର୍ତ୍ତମାନ ଏହି ପଟ୍ଟା ସବୁ କେବଳ ଖାରଜ କରାଯିବ। ଅର୍ଥାତ୍ ଦୋଷୀଙ୍କୁ ଆଉ ଚିହ୍ନଟ କରାଯିବ ନାହିଁ । ଯଦିଓ ତଳ ସ୍ତରରୁ (ଭିଲେଜ୍ କମିଟି) ତ୍ରୁଟିପୂର୍ଣ୍ଣ କାଗଜପତ୍ର ପ୍ରସ୍ତୁତ ହୋଇଥିଲା, ତଥାପି ଫାଇନାଲ୍ ପଟ୍ଟା ପ୍ରସ୍ତୁତ ସମୟରେ ଟିକିନିଟ୍‌ ଯାଞ୍ଚ କରିବା ଦାୟିତ୍ବ ଆଦିବାସୀ ଉନ୍ନୟନ ବିଭାଗର ଥିଲା । କିନ୍ତୁ ୨୦୧୪ରେ ସେଭଳି ହୋଇନଥିଲା । ତେବେ ୨୦୨୦ ଜାନୁଆରୀରେ ଏହା ଜଣାପଡ଼ିବା ପରେ ମଧ୍ୟ ଆଦିବାସୀ ଉନ୍ନୟନ ବିଭାଗ କୌଣସି ପଦକ୍ଷେପ ନେଇନାହିଁ । ଏଥିପାଇଁ ଉପ ଜିଲ୍ଲାପାଳଙ୍କୁ ତଦନ୍ତ କରିବାକୁ ପଡ଼ିଥିଲା ।

ଏନେଇ ଆଇଟିଡିଏ ପ୍ରକଳ୍ପ ପ୍ରଶାସକଙ୍କ ମତ ଥିଲା ଯେ, ଏଥିରେ କିଛି ଏଫଆର୍‌ଏ ଅମିନ ଓ ରାଜସ୍ୱ ନିରୀକ୍ଷକ ସାମିଲ୍ ଥିବା ଜଣାପଡ଼ୁଛି । ଏଣୁ ଯେତେଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କାହାକୁ ଛଡ଼ାଯିବ ନାହିଁ । ତେବେ ବିଭାଗ ପକ୍ଷରୁ ପଟ୍ଟା ପ୍ରସ୍ତୁତ ହେଉଥିବାରୁ, ଭୁଲ୍ ପଟ୍ଟା କିଭଳି ପ୍ରସ୍ତୁତ ହେଲା ଏବଂ ସାମିଲ୍ ଥିବା ବିଭାଗୀୟ କର୍ମଚାରୀଙ୍କ ଉପରେ କାହିଁକି କାର୍ଯ୍ୟାନୁଷ୍ଠାନ ହେବ ନାହିଁ ପ୍ରଶ୍ନରେ ନିରୁତ୍ତର ରହିଥିଲେ ପ୍ରକଳ୍ପ ପ୍ରଶାସକ ସରୋଜ ବେହେରା।

ବିଭାଗୀୟ କର୍ମଚାରୀଙ୍କୁ ସୁରକ୍ଷା ଦେବା ଓ ଭୁଲକୁ ପ୍ରୋତ୍ସାହନ ଦେଉଥିବାରୁ ଏହି ବିଭାଗ ଆଦିବାସୀଙ୍କ ସ୍ବାର୍ଥରେ କାମ କରୁଛି ନା ନିଜ ସ୍ବାର୍ଥ ସାଧନ କରୁଛି ସେନେଇ ଦ୍ବନ୍ଦରେ ଅଛନ୍ତି ଶ୍ରୀ ଗମାଙ୍ଗ । ଭୁଲ୍ ପଟ୍ଟା ତ ଖାରଜ ହେବ। ତେବେ ଯେଉଁମାନେ ଏଭଳି କାର୍ଯ୍ୟରେ ଲିପ୍ତ ଥିଲେ ସେମାନଙ୍କ ପ୍ରତି ଦୃଢରୁ ଦୃଢ ଦଣ୍ଡବିଧାନ ଗ୍ରହଣ କରାଯାଉ ବୋଲି ଦାବୀ କରିଛନ୍ତି ପୁର୍ବତନ ଉନ୍ନୟନ ପରିଷଦ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ଗମାଙ୍ଗ ।

ସମ୍ବନ୍ଧିତ ଖବର