ଖଣିମନ୍ତ୍ରୀଙ୍କ ନିଜର ଗାଡ଼ି ନାହିଁ

୫ ମନ୍ତ୍ରୀଙ୍କର ରାଜଧାନୀରେ ଘର ନାହିଁ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ତାଙ୍କ ମନ୍ତ୍ରିମଣ୍ଡଳର ସଦସ୍ୟମାନେ ୨୦୧୬-୧୭ ବର୍ଷ ପାଇଁ ନିଜ ନିଜ ସଂପତ୍ତି ତାଲିକା ଦାଖଲ କରିବା ପରେ ଏହାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ପୂର୍ବରୁ ‘ସମ୍ବାଦ’ରେ ମୁଖ୍ୟମନ୍ତ୍ରୀ ଓ କୋଟିପତି ମନ୍ତ୍ରୀମାନଙ୍କ ସଂପତ୍ତି ତାଲିକା ପ୍ରକାଶ ପାଇ ସାରିଛି। ତେବେ ମନ୍ତ୍ରିମଣ୍ଡଳରେ ଏମିତି କିଛି ମନ୍ତ୍ରୀ ଅଛନ୍ତିି, ଯେଉଁମାନଙ୍କ ଉଭୟ ସ୍ଥାବର ଏବଂ ଅସ୍ଥାବର ସଂପତ୍ତି ତୁଳନାତ୍ମକ ଭାବେ କମ୍‌ ଥିବା ଉକ୍ତ ତାଲିକାରୁ ଜଣାପଡ଼ିଛି। ଏମାନଙ୍କ ମଧ୍ୟରେ ଥିବା ଖଣିମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କର ନିଜସ୍ୱ କାର୍‌ ନ ଥିବା ବେଳେ ୫ଜଣଙ୍କର ରାଜଧାନୀ ଭୁବନେଶ୍ୱରରେ ନିଜସ୍ୱ ଘର ନାହିଁ।

ଅର୍ଥ ଏବଂ ଅବକାରୀ ମନ୍ତ୍ରୀ ଶଶିଭୂଷଣ ବେହେରା, ତାଙ୍କ ପତ୍ନୀ ସୁପ୍ରଭା କୁମାରୀ ମହାନ୍ତି ଏବଂ କନ୍ୟା ସୁଶ୍ରୀ ଭାରତୀଙ୍କ ନଗଦ ଟଙ୍କା, ବ୍ୟାଙ୍କ ଆକାଉଣ୍ଟରେ ଜମା, ସୁନାଗହଣା ଭଳି ଅସ୍ଥାବର ସଂପତ୍ତି ତାଲିକାରେ ପ୍ରାୟ ୮୭ ଲକ୍ଷ ଟଙ୍କା ଥିବା ଦର୍ଶାଯାଇଛି। ତାଙ୍କର ଏବଂ ତାଙ୍କ ପତ୍ନୀଙ୍କ ନାମରେ ୭.୫୮ ଏକର ଜମି ରହିଛି। ତା’ର ବର୍ତମାନ ମୂଲ୍ୟ ପ୍ରାୟ ୧୭ ଲକ୍ଷ ଟଙ୍କା। ସେହିପରି ତାଙ୍କର ଥିବା ଜମି, ନିଜ ଭାଗରେ ଥିବା ୨୧୦୦ ବର୍ଗଫୁଟ୍‌ ପରିମିତ ଘରଡିହର ବର୍ତମାନ ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା ହେବ। କିନ୍ତୁ ତାଙ୍କର ଭୁବନେଶ୍ୱର ସହିତ କୌଣସି ସହରାଞ୍ଚଳରେ ବାସଗୃହ ନ ଥିବା ସେ ଦର୍ଶାଇଛନ୍ତି। ବରଂ ତାଙ୍କ ପତ୍ନୀଙ୍କ ନାମରେ ୪.୩୧ ଲକ୍ଷ ଟଙ୍କାର ଋଣ ରହିଛି।

ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କ ସ୍ଥାବର ସଂପତ୍ତି ତାଲିକାରେ କାମାକ୍ଷାନଗରରେ ପୈତୃକ ଘରଡିହରେ ପ୍ରାୟ ୨୦ ଲକ୍ଷ ଟଙ୍କା ବ୍ୟୟରେ ବାସଗୃହ ନିର୍ମାଣ ହୋଇଥିବା ଦର୍ଶାଯାଇଛି। ଏହାଛଡ଼ା ତାଙ୍କ ଭାଗରେ ପ୍ରାୟ ୪ ଲକ୍ଷ ଟଙ୍କା ମୂଲ୍ୟର ଜମି ରହିଛି। ମଲ୍ଲିକ ଦଂପତିଙ୍କ ନାମରେ ପ୍ରାୟ ୩୫ ହଜାର ଟଙ୍କାର ବ୍ୟାଙ୍କ ଜମା, ପତ୍ନୀଙ୍କ ନାମରେ ୮୦ ଗ୍ରାମ ଓଜନର(୨.୪୦ ଲକ୍ଷ ଟଙ୍କା)ର ସୁନା ଅଳଙ୍କାର, ୬୦ ହଜାର ଟଙ୍କାର ଆସବାବପତ୍ର ରହିଛି। କିନ୍ତୁ ତାଙ୍କର ନିଜସ୍ୱ ଗାଡ଼ି ନାହିଁ।

ଅନୁସୂଚିତ ଜାତି, ଜନଜାତି ଉନ୍ନୟନ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝୀ ତାଙ୍କ ଅସ୍ଥାବର ସଂପତ୍ତି ତାଲିକାରେ ପ୍ରାୟ ୧୫ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା, ୩.୩୦ ଲକ୍ଷ ଟଙ୍କାର ସୁନାଗହଣା, ଋଣରେ ନେଇଥିବା ସ୍କୋର୍ପିଓ, ଅଏଲ୍‌ ଟ୍ୟାଙ୍କର ଥିବା ଦର୍ଶାଇଛନ୍ତି। ସ୍ଥାବର ସଂପତ୍ତିରେ ରହିଛି ପ୍ରାୟ ୨୬ ଲକ୍ଷ ଟଙ୍କାର କୃଷି ଜମି, ୧୭ ଲକ୍ଷର ଅଣକୃଷି ଜମି, ୧୩୦୫୦ ବର୍ଗଫୁଟ୍‌ର ଗ୍ରାମ ବାସଗୃହ ଇତ୍ୟାଦି।

ହସ୍ତଶିଳ୍ପ, ବୟନଶିଳ୍ପ ଓ ହସ୍ତତନ୍ତ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କ ସ୍ଥାବର ଅସ୍ଥାବର ସଂପତ୍ତିର ମୂଲ୍ୟ ୧ କୋଟି ୨୮ ଲକ୍ଷ ୫୧ ହଜାର ୯୪୫.୮୦ ଟଙ୍କା ବୋଲି ସେ ଦର୍ଶାଇଛନ୍ତି। (ଗତକାଲି ‘ସମ୍ବାଦ’ରେ ଭୁଲବଶତଃ ତାଙ୍କ ସଂପତ୍ତିର ମୂଲ୍ୟ ୧୨ କୋଟି ୮ ଲକ୍ଷ ୫୧ ହଜାର ୯୪୫ ଟଙ୍କା ବୋଲି ପ୍ରକାଶ ପାଇଥିଲା।)

ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ସ୍ଥାବର ସଂପତ୍ତି ତାଲିକାରେ ଭୁବନେଶ୍ୱରର ଏକାଧିକ ପ୍ଲଟ୍‌ ରହିଥିବା ଦର୍ଶାଯାଇଛି। ସେଥିମଧ୍ୟରୁ ପ୍ରାୟ ୩.୪୮ କୋଟିର ପୈତୃକ ସଂପତ୍ତି ଥିବା ବେଳେ ନିଜସ୍ୱ ସଂପତ୍ତିର ମୂଲ୍ୟ ପ୍ରାୟ ୪୬ ଲକ୍ଷ ଟଙ୍କା। ତାଙ୍କ ପତ୍ନୀଙ୍କ ନାମରେ ପ୍ରାୟ ୭୪ ଲକ୍ଷ ଟଙ୍କାର ପ୍ଲଟ୍‌, ବାସଗୃହ, ୧୧ ଲକ୍ଷ ୩୪ ହଜାର ଟଙ୍କାର ଗାଡ଼ି, ୨.୯୬ ଲକ୍ଷ ନଗଦ ଟଙ୍କା, ପ୍ରାୟ ୩ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା ଇତ୍ୟାଦି ରହିଛି। ମନ୍ତ୍ରୀ ଶ୍ରୀ ପଣ୍ଡାଙ୍କ ଅସ୍ଥାବର ସଂପତ୍ତି ତାଲିକାରେ ଇନୋଭା, ମାରୁତି ଓ୍ଵାଗନର୍‌, ପ୍ରାୟ ୧୭ ଲକ୍ଷର ବ୍ୟାଙ୍କ ଜମା, ଜୀବନବୀମା ଇତ୍ୟାଦି ଅନ୍ତର୍ଭୁକ୍ତ।

ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ରଙ୍କ ସଂପତ୍ତି ତାଲିକାରେ ପ୍ରାୟ ୧୩ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା, ୨୩. ୫୨ ଲକ୍ଷର ଇନୋଭା ଗାଡ଼ି, ପତ୍ନୀ ସ୍ୱର୍ଣ୍ଣପ୍ରଭାଙ୍କ ନାମରେ ୧୫୦ ଗ୍ରାମ ସୁନା ଅଳଙ୍କାର, ଉଭୟ କୃଷି ଓ ଅଣକୃଷି ଜମି, ବାସଗୃହ ଆଦି ଥିବା ଦର୍ଶାଯାଇଛି।

ଶ୍ରମ ଓ କର୍ମଚାରୀ ବୀମା ମନ୍ତ୍ରୀ ସୁଶାନ୍ତ ସିଂଙ୍କ ନାମରେ ୭ ଏକର କୃଷି ଓ ଅଣକୃଷି ଜମି, ୬୦୦୦ ବର୍ଗଫୁଟ୍‌ ପରିମିତ ବାସଗୃହ, ୪ ଲକ୍ଷରୁ ଅଧିକ ଟଙ୍କାର ବ୍ୟାଙ୍କ ଜମା, କାର୍‌, ବୁଲେଟ୍‌ ମୋଟରସାଇକେଲ, ୧୬୦ ଗ୍ରାମ ସୁନାଗହଣା ରହିଛି।

ଆଇଟି ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରାଙ୍କର ପ୍ରାୟ ୨୫ ଲକ୍ଷ ଟଙ୍କାର କୃଷି ଜମି, ଘରଡିହ, ଭୁବନେଶ୍ୱର ନୟାପଲ୍ଲୀରେ ୭୨ ଲକ୍ଷ ଟଙ୍କାର ପୈତୃକ ଘର ରହିଛି।

ସମ୍ବନ୍ଧିତ ଖବର