କଟକ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଓଡ଼ିଶା ସେତୁ ଓ ନିର୍ମାଣ ନିଗମ (ଓବିସିସି)ର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ପ୍ରଦୀପ କୁମାର ରଥ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ତାଙ୍କ ଘରୁ ଏକ କେଜିର ସୁନା ଅଳଙ୍କାର, ୩୦୦ ଗ୍ରାମ ରୁପା, ୧ କୋଟି ୩୮ ଲକ୍ଷ ଟଙ୍କାର ଜମା, ୪୨ଟି ପ୍ଲଟ୍ ସମେତ ମୂଲ୍ୟବାନ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଜବତ ହୋଇଛି। କଟକ ଭିଜିଲାନ୍ସ ଟିମ୍ ୧୨ଟି ସ୍ଥାନରେ ଚଢ଼ଉ ଜାରି ରଖିଥିବା ବେଳେ ଶ୍ରୀ ରଥଙ୍କ ସମ୍ପତ୍ତି ପରିମାଣ ବୃଦ୍ଧି ପାଇବାକୁ ଯାଉଛି। ଆଖି ଖୋସି ହେଲା ଭଳି ସମ୍ପତ୍ତି ଦେଖି ଭିଜିଲାନ୍ସ ଅଧିକାରୀମାନେ ବି ତାଜୁବ ହୋଇ ଯାଇଛନ୍ତି। ଆର୍‌ଆଣ୍ଡବି (କଟକ ସର୍କଲ୍‌)ର ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଥିବା ଓଡ଼ିଶା ବ୍ରିଜ୍‌ ଆଣ୍ଡ କନଷ୍ଟ୍ରକ୍ସନ୍‌ କର୍ପୋରେସନ୍‌ର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ପ୍ରଦୀପ କୁମାର ରଥଙ୍କୁ ଭିଜିଲାନ୍ସ ସ୍କାନର୍‌ରେ ରଖିଥିଲା। କଟକ ଭିଜିଲାନ୍ସ ସ୍ପେସାଲ୍‌ ଜଜ୍‌ଙ୍କ ପକ୍ଷରୁ ଜାରି ସର୍ଚ୍ଚ ଵାରେଣ୍ଟ ବଳରେ ୯ ଡିଏସ୍‌ପି, ୧୧ ଇନ୍‌ସ୍ପେକ୍ଟର୍‌ ଏବଂ ଅନ୍ୟ କର୍ମଚାରୀଙ୍କୁ ନେଇ ସ୍ବତନ୍ତ୍ର ଟିମ୍ ଗଠନ କରିଥିଲା ଭିଜିଲାନ୍ସ।

Advertisment

ଏହି ଟିମ୍ ଭୁବନେଶ୍ବର, କଟକ, ଭଦ୍ରକ, ଯାଜପୁର ଓ ଖୋର୍ଧାର ୧୨ଟି ସ୍ଥାନରେ ସୋମବାର ଚଢ଼ଉ କରିଥିଲା। ଶ୍ରୀ ରଥଙ୍କ ଭୁବନେଶ୍ବର ରସୁଲଗଡ଼ର ସତ୍ୟବିହାରରେ ଥିବା ତିନିମହଲା ଆବାସିକ ଘର, ଭୁବନେଶ୍ବର ଚନ୍ଦ୍ରଶେଖରପୁରରେ ଥିବା ଆପାର୍ଟମେଣ୍ଟ (ବି-୨), ପାତ୍ରପଡ଼ାରେ ଥିବା ଗୋଟିଏ ଫ୍ଲାଟ୍‌, ଭଦ୍ରକ ଟାଉନ୍‌ରେ ଥିବା ଦୁଇମହଲା କୋଠା, କଟକ ବାରବାଟୀ ଷ୍ଟାଡିୟମ୍‌ ନିକଟରେ ଥିବା କାର୍ଯ୍ୟାଳୟ, ଭଦ୍ରକ ଅଗରପଡ଼ାରେ ପୈତୃକ ଘର, ଭଦ୍ରକରେ ଥିବା ଅନ୍ୟ ଏକ ପୈତୃକ ଘର, ଯାଜପୁର, ଖୋର୍ଧା ଓ କଟକରେ ଥିବା ଜମି, ଯାଜପୁର ଟାଉନ୍‌ରେ ଥିବା ଜଣେ ନିକଟତମ ସହଯୋଗୀଙ୍କ ଘର, ଭୁବନେଶ୍ବର ଶାସ୍ତ୍ରୀନଗରରେ ଥିବା ଜଣେ ଘନିଷ୍ଠ ସହଯୋଗୀଙ୍କ ଆବାସିକ ଘର, ଭୁବନେଶ୍ବର ନୟାପଲ୍ଲୀ ଇନ୍ଦ୍ରଧନୁ ମାର୍କେଟ୍‌ରେ ଥିବା ପୁଅର ଔଷଧ ଦୋକାନରେ ଭିଜିଲାନ୍ସ ଏକକାଳୀନ ଯାଞ୍ଚ କରୁଛି।

ଭିଜିଲାନ୍ସ ଜାଲରେ କୁବେର ବାବୁ
୧୨ଟି ସ୍ଥାନରେ ଏକକାଳୀନ ଚଢ଼ଉ
୮୮ ଲକ୍ଷର ଜମା ଟଙ୍କା, ୫୦ ଲକ୍ଷର ବୀମା, କ୍ରସର୍‌ ଓ ଫ୍ଲାଟ୍‌

ଏହାବାଦ୍ ଶ୍ରୀ ରଥଙ୍କର ଢେଙ୍କାନାଳ ଜିଲ୍ଲା ଘଟିପିରିରେ ଥିବା ଗୋଟିଏ କ୍ରସର୍‌ ୟୁନିଟ୍, ୪୨ଟି ପ୍ଲଟ୍‌, ବିଭିନ୍ନ ବ୍ୟାଙ୍କ ଓ ଡାକଘରେ ନଗଦ ୮୮ ଲକ୍ଷ ଟଙ୍କା, ବିଭିନ୍ନ ବୀମା କମ୍ପାନିରେ ୫୦ ଲକ୍ଷ ଟଙ୍କାର ବୀମା, ଗୋଟିଏ ଚାରିଚକିଆ କାର୍, ଦୁଇଟି ଦୁଇଚକିଆ, ୨ଟି ଜେସିବି, ଗୋଟିଏ ଏସ୍କାଭେଟର୍ ଇତ୍ୟାଦି ଜବତ ହୋଇଛି। ଠାବ ହୋଇଥିବା ଏହି ପ୍ଲଟ୍‌ଗୁଡ଼ିକ ଭୁବନେଶ୍ବର, ଖୋର୍ଧା, କଟକ, ଢେଙ୍କାନାଳ, ଭଦ୍ରକ ଓ ଯାଜପୁର ଜିଲ୍ଲାରେ ରହିଛି। ଏଥିରୁ ୬ଟି ଭୁବନେଶ୍ବର, ଗୋଟିଏ କଟକରେ, ଚାରିଟି ଭଦ୍ରକରେ, ଦୁଇଟି ଢେଙ୍କାନାଳ ଓ ୨୯ଟି ପ୍ଲଟ୍‌ ଯାଜପୁର ଜିଲ୍ଲାରେ ରହିଛି। ଏହି ପ୍ଲଟ୍‌ଗୁଡ଼ିକ ଶ୍ରୀ ରଥ ନିଜ ନାଁରେ କରିବା ସହିତ ପରିବାରର ଅନ୍ୟ ସଦସ୍ୟଙ୍କ ନାଁରେ ବି କରିଥିଲେ। ଠାବ ହୋଇଥିବା ପ୍ଲଟ୍‌ର ମୋଟ ମୂଲ୍ୟ ୧ କୋଟି ୩୬ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି। କିନ୍ତୁ ଏହାର ପ୍ରକୃତ ମୂଲ୍ୟ ଅଧିକ ହେବ ବୋଲି କୁହାଯାଉଛି। ତେବେ କୋଠା, ଫ୍ଲାଟ୍‌, କ୍ରସର୍‌ ୟୁନିଟ୍‌, ଔଷଧ ଦୋକାନଗୁଡ଼ିକ ଭିଜିଲାନ୍ସ ବୈଷୟିକ ଶାଖା ଆକଳନ କରୁଛି। ଚଢ଼ଉ ଜାରି ରହିଥିବା ବେଳେ ସମ୍ପତ୍ତି ପରିମାଣ ବଢ଼ିବାକୁ ଯାଉଥିବା ଭିଜିଲାନ୍ସ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି।