ଭୁବନେଶ୍ବର: ରାଜଧାନୀରେ ଏକାଧିକ ବିଳାସପୂର୍ଣ୍ଣ ଫ୍ଲାଟ। ରାଜପ୍ରସାଦ ଭଳି ଘର। ଭୁବନେଶ୍ବର, କଟକ, ଝାରସୁଗୁଡ଼ାର ପ୍ରମୁଖ ସ୍ଥାନରେ ପ୍ଲଟ୍। ବ୍ୟାଙ୍କ୍ ଆକାଉଣ୍ଟ୍ରେ କୋଟି କୋଟି ଟଙ୍କା; ଆଲ୍ମିରାରେ ପୁଳା ପୁଳା ସୁନାଗହଣା, ହୀରା। ଖାଲି ଏତିକି ନୁହେଁ ବାବୁ ବେଶ୍ ସୌଖୀନ ବି ଥିଲେ। ମଝିରେ ମଝିରେ କଳା ଟଙ୍କାରେ ବିଦେଶ ବୁଲି ମଉଜ କରୁଥିଲେ। ଦାମୀ ଗାଡ଼ି ଚଢ଼ୁଥିଲେ। ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ଉ ବେଳେ ରାସ୍ତା ଓ କୋଠାବାଡ଼ିର ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରା ପ୍ରସାଦ ମିଶ୍ରଙ୍କ ଏଭଳି ସମ୍ପତ୍ତି ଦେଖି ଅଧିକାରୀ ତାଜୁବ୍ ହୋଇଛନ୍ତି। ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଭୁବନେଶ୍ବରଙ୍କ ନିର୍ଦ୍ଦେଶ କ୍ରମେ ଭିଜିଲାନ୍ସର ୯ଟି ଟିମ୍ ଆଜି ଶ୍ରୀ ମିଶ୍ରଙ୍କ ଭୁବନେଶ୍ବର ନୂଆପଲ୍ଲୀସ୍ଥିତ ଅବାସିକ ଘର, କଟକ ଆଠଗଡ଼ସ୍ଥିତ ପୈତୃକ ଘର ଆଦି ୯ଟି ସ୍ଥାନରେ ଚଢ଼ଉ କରି ୨୦ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ କରିଛନ୍ତି।
୨୦ କୋଟିରୁ ଊର୍ଧ୍ବ ଟଙ୍କାର ସମ୍ପତ୍ତି ଠାବ
୧୦ ଫ୍ଲାଟ୍, ୭ପ୍ଲଟ୍, ବ୍ୟାଙ୍କରେ ୨.୭ କୋଟି
ଘରୁ ମିଳିଲା ଅଢ଼େଇ କେଜି ସୁନା, ୩୭୦ ଗ୍ରାମ ହୀରା ଓ ବିଦେଶୀ ମୁଦ୍ରା
ଚଢ଼ଉ ବେଳେ ଭୁବନେଶ୍ବର ଓ ଝାରସୁଗୁଡ଼ାରୁ ଶ୍ରୀ ମିଶ୍ରଙ୍କ ୧୦ଟି ବିଳାସପୂର୍ଣ୍ଣ ଫ୍ଲାଟ ଠାବ କରାଯଇଛି। କେବଳ ଭୁବନେଶ୍ବରର ନୀଳାଦ୍ରିବିହାର, ଆଇଗିଣିଆ, ଭରତପୁର, ହଂସପାଳ ଅଞ୍ଚଳରେ ଥିବା ପ୍ରତିଷ୍ଠିତ ଆପାର୍ଟମେଣ୍ଟରେ ବାବୁଙ୍କର ୭ଟି ଦାମୀ ଫ୍ଲାଟ ରହିଛି। ବାକି ଝାରସୁଗୁଡ଼ାରେ ୩ଟି ଫ୍ଲାଟ ରହିଛି। ୧୦ଟି ଫ୍ଲାଟର ମୂଲ୍ୟ ୧୫ କୋଟିରୁ ଊର୍ଧ୍ବ ଟଙ୍କା ହେବ। ସେହିପରି ଭୁବନେଶ୍ବର, କଟକ, ଜଟଣୀର ପ୍ରମୁଖ ସ୍ଥାନରେ ୭ଟି ପ୍ଲଟ ରହିଛି। ଯାହାର ମୂଲ୍ୟ ୨.୫ କୋଟିରୁ ଊର୍ଧ୍ବ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଘରୁ ନଗଦ ୬ ଲକ୍ଷ ଟଙ୍କା, ୩୭୦ ଗ୍ରାମ ହୀରା, ୨.୫୫୫ କେଜି ସୁନା ଗହଣା, ୧୩ଲକ୍ଷ ଟଙ୍କା ମୂଲ୍ୟର ରୋଲେକ୍ସ ଘଡ଼ି, ଲକ୍ଷାଧିକ ଟଙ୍କାର ଆସବାବପତ୍ର ଜବତ କରାଯାଇଛି। ଗୋଟିଏ ମର୍ସିଡିଜ୍, ଗୋଟିଏ କିଆ କାର୍ ଠାବ କରାଯାଇଛି। ବୀମା ଓ ବଣ୍ଡ୍ ଜମା ମଧ୍ୟ ଥିବା ଜଣାପଡ଼ିଛି। ଏକାଧିକ ବ୍ୟାଙ୍କର ଲକର ଠାବ କରାଯିବା ସହ କିଛି ବ୍ୟାଙ୍କର ଜମା ହିସାବ କରାଯାଇଛି। ଏପର୍ଯ୍ୟନ୍ତ ହୋଇଥିବା ହିସାବରୁ ବ୍ୟାଙ୍କରେ ୨.୭କୋଟି ଟଙ୍କା ଜମାଥିବା ଟିମ୍ ଜାଣିବାକୁ ପାଇଛି।
ଖାଲି ଏତିକି ନୁହେଁ, ବାବୁଙ୍କ ଘରୁ ଆମେରିକା, ଥାଇଲାଣ୍ଡ, ଭିଏତ୍ନାମ, ୟୁଏଇ, କାନାଡ଼ା, ମେକ୍ସିକୋ, ମାଲେସିଆ ଓ ସିଙ୍ଗାପୁର ମୁଦ୍ରା ଜବତ କରାଯାଇଛି। ଏହାଛଡ଼ା ଝିଅର ଡାକ୍ତରୀ ପଢ଼ା ପାଇଁ ୮୦ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି। ଚଢ଼ଉ ଜାରି ରହିଥିବା ବେଳେ ଆଗକୁ ଢେର୍ ଅଧିକ ସମ୍ପତ୍ତି ଠାବ ହେବ ବୋଲି ଅନୁମାନ କରାଯାଉଛି। ଏନେଇ ଭିଜିଲାନ୍ସ ଟିମ୍ ଅଧିକ ଖୋଳତାଡ଼ କରୁଛି। ୧୨ଜଣ ଡିଏସ୍ପିଙ୍କ ସମେତ ୧୨ଜଣ ଆଇଆଇସି, ୧୬ ଏଏସ୍ଆଇ ଓ ଅନ୍ୟ କର୍ମଚାରୀମାନେ ଚଢ଼ଉରେ ସାମିଲ ହୋଇଥିଲେ।
ତାରାଙ୍କ ଉତ୍ଥାନ ପଛରେ ଯାଜପୁର ଲିଙ୍କ୍, ପାଣିକୋଇଲି ଡିଭିଜନ୍ରେ ରହିଥିଲେ ୭ ବର୍ଷ
ଯାଜପୁର: ପୂର୍ତ୍ତ ବିଭାଗର ପ୍ରଭାବଶାଳୀ ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରାପ୍ରସାଦ ମିଶ୍ରଙ୍କ ସମ୍ପତ୍ତି ଦେଖି ଭିଜିଲାନ୍ସ ଟେରା ହୋଇଯାଇଛି। ଅଢ଼େଇ କେଜିର ସୁନାଗହଣା, ୩୦୦ ଗ୍ରାମରୁ ଅଧିକ ହୀରା, ଦାମୀ କାର୍, ଏକାଧିକ ଫ୍ଲାଟ୍ ଓ ପ୍ଲଟ୍ ହାତେଇଥିବା ଶ୍ରୀ ମିଶ୍ର ଏବେ ଅଡ଼ୁଆରେ ପଡ଼ିଛନ୍ତି। ତାରାଙ୍କ ନାମ ପୂର୍ତ୍ତ ବିଭାଗର ଏକ ପ୍ରଭାବଶାଳୀ ନାଁ। ପୂର୍ବ ସରକାରରେ ପାୱାର କରିଡର ଲିଙ୍କ୍ରେ ଥିବା ତାରା ମିଶ୍ରଙ୍କ ଏଭଳି ଉତ୍ଥାନ ପଛରେ ଯାଜପୁର ଲିଙ୍କ୍ ନେଇ ବର୍ତ୍ତମାନ ଚର୍ଚ୍ଚା ଜୋର୍ ଧରିଛି। ଯାଜପୁର ନେତାଙ୍କ ଛତ୍ରଛାୟାରେ ରହି ସେ ଅଖଣ୍ଡ କ୍ଷମତା ଭୋଗ କରୁଥିଲେ। ପାଣିକୋଇଲିରେ ଥାଇ ସେ ସାରା ରାଜ୍ୟର ବିଭିନ୍ନ ପ୍ରକଳ୍ପ କାମରେ ମାମଲତକାର କରୁଥିଲେ। ସେ ନ ଚାହିଁବା ଯାଏ ପ୍ରକଳ୍ପ ଚୂଡ଼ାନ୍ତ ହେଉନଥିଲା। ଯାଜପୁର ଓ କଟକର ଏକାଧିକ ବୃହତ୍ ପ୍ରକଳ୍ପ ତାଙ୍କ ସମୟରେ ହୋଇଥିଲା। ଏପରିକି ଅବସର ପରେ ମଧ୍ୟ କଟକ ପୂର୍ତ୍ତ ବିଭାଗରେ ତାଙ୍କ ପ୍ରଭାବ ଅକ୍ଷୁଣ୍ଣ ରହିଥିଲା।
ଶ୍ରୀ ମିଶ୍ର ନିର୍ମାଣ ବିଭାଗର ମୁଖ୍ୟଯନ୍ତ୍ରୀ ହେବା ପୂର୍ବରୁ ଯାଜପୁର ଜିଲ୍ଲାର ପାଣିକୋଇଲିରେ ୨୦୧୩ରୁ ୨୦୧୯ ୭ ବର୍ଷ ଧରି ନିର୍ବାହୀଯନ୍ତ୍ରୀ ଥିଲେ। ଯାଜପୁର ସହର ବିକାଶ କାର୍ଯ୍ୟର ସେ ଥିଲେ ମୁଖ୍ୟ ସୂତ୍ରଧର। ତାଙ୍କ ସମୟରେ ଯାଜପୁରରେ ଅନେକ ପ୍ରକଳ୍ପ ନିର୍ମାଣ ହୋଇଥିଲା। ପାଣିକୋଇଲିରେ ଥିବାବେଳେ ଶ୍ରୀ ମିଶ୍ରଙ୍କ ଯାଜପୁର ଲିଙ୍କ୍ ମଜଭୁତ ହୋଇଥିଲା। ଏଠାରୁ ସେ ରାଜ୍ୟର ବିଭିନ୍ନ ପ୍ରକଳ୍ପରେ ମାମଲତି କରୁଥିଲେ। କଟକ ପୂର୍ତ୍ତ ବିଭାଗ ଅଧୀନରେ ଚାଲିଥିବା ଅନେକ ବୃହତ୍ ପ୍ରକଳ୍ପରେ ତାଙ୍କ ପ୍ରଭାବ ରହିଥିଲା। ପାଣିକୋଇଲି ପରେ ଶ୍ରୀ ମିଶ୍ର କଟକର ଅଧୀକ୍ଷଣ ଯନ୍ତ୍ରୀ ରହିଥିଲେ। ଶୁଭଦୃଷ୍ଟିରେ ଥିବାରୁ ସେ ମୁଖ୍ୟଯନ୍ତ୍ରୀ ଭାବେ ଭୁବନେଶ୍ବରରେ ଅବସ୍ଥାପିତ ହୋଇଥିଲେ। ଅଖଣ୍ଡ କ୍ଷମତା ରଖୁଥିବା ଶ୍ରୀ ମିଶ୍ରଙ୍କ ଅଜାଣତରେ କୌଣସି ପ୍ରକଳ୍ପ ଚୂଡ଼ାନ୍ତ ହୋଇ ପାରୁନଥିଲା। ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ବାଳାଶ୍ରମ ପଡ଼ିଆ ପୋତିବା କାର୍ଯ୍ୟ, ବୈତରଣୀ ନଦୀପଠା ପୋତି ମେଡିକାଲ କଲେଜ ନିର୍ମାଣ ଓ କୁସୁମା ସମ୍ମୁଖ ପ୍ରାଶାସନିକ ଭବନ ନିର୍ମାଣ ପାଇଁ ଖାଲଜମି ପୋତିବା କାମ ସେ ତଦାରଖ କରୁଥିଲେ।