ପୁରୀ: ପୁରୀରେ ମଠ ସମ୍ପତ୍ତି ଉପରେ ଜମିମାଫିଆଙ୍କ ଲୋଲୁପ ଦୃଷ୍ଟି। ବଢ଼ିଚାଲିଛି ଜବରଦଖଲ, ଅସୁରକ୍ଷିତ ହୋଇପଡ଼ିଛି ମଠ ସମ୍ପତ୍ତି। କେଉଁଠି କିଏ ମଠ ସମ୍ପତ୍ତିକୁ ମାଡ଼ି ବହୁତଳ କୋଠା କଲାଣି ତ କେଉଁଠି ଏକାଧିକ ଥର ମଠ ସମ୍ପତ୍ତିକୁ ବିକ୍ରି କରିସାରିଲାଣି। ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟଙ୍କ ଗୋବର୍ଦ୍ଧନ ମଠ ବି ଏଥିରୁ ବାଦ୍ ପଡ଼ିନି। ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟଙ୍କ ସମାଧିଙ୍କୁ ମାଡ଼ି ବସିଲେଣି। ସମାଧିକୁ ଭାଙ୍ଗି ଘର ତିଆରି କଲେଣି। ଗୋବର୍ଦ୍ଧନ ମଠ ପଛପାର୍ଶ୍ବ ସ୍ବର୍ଗଦ୍ବାର ସାତସାନ ରୋଡ୍କୁ ଲାଗି ଏଭଳି ସ୍ଥିତି ଦେଖିବାକୁ ମିଳିଛି। ଯାହାକୁ ନେଇ କ୍ଷୋଭ ପ୍ରକାଶ କରିଛି ଗୋବର୍ଦ୍ଧନ ମଠ କର୍ତ୍ତୃପକ୍ଷ। ଏ ସଂପର୍କରେ ଥାନାରେ ଲିଖିତ ଅଭିଯୋଗ ହେବ ବୋଲି ମଠ କାର୍ଯ୍ୟାଳୟ ସଂପାଦକ ସୁୟଷ ପ୍ରଶାନ୍ତ କହିଛନ୍ତି।
ଜଗଦ୍ଗୁରୁ ଶଙ୍କରଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ ମହାରାଜା ହେଉଛନ୍ତି ପୁରୀ ଗୋବର୍ଦ୍ଧନ ମଠର ମଠାଧୀଶ। ସେ ୧୪୫ତମ ଶଙ୍କରାଚାର୍ଯ୍ୟ। ଏଣୁ ଏହା ପୂର୍ବରୁ ଯେଉଁ ଶଙ୍କରାଚାର୍ଯ୍ୟମାନେ ଥିଲେ, ସେମାନଙ୍କ ସମାଧି ପୁରୀ ଗୋବର୍ଦ୍ଧନ ମଠ ପରିସରରେ ରହିଛି। ଏହି ସମାଧି ଭିତରେ ଶିବଲିଙ୍ଗ ସ୍ଥାନିତ ହୋଇଛି। କିନ୍ତୁ ଗୋବର୍ଦ୍ଧନ ମଠ ପଛପାର୍ଶ୍ବ ସାତସାନ ଲେନ୍କୁ ଲାଗି ରହିଥିବା ଏହି ସମାଧିରୁ ୫ରୁ ଅଧିକ ସମାଧିକୁ ଭାଙ୍ଗି ଦିଆଯାଇଛି ଓ ଏହା ଉପରେ ଘର ନିର୍ମାଣ କରାଯାଉଛି। ତିନି ସମାଧି ଉପରେ ଘର ନିର୍ମାଣ ସରିଥିବାବେଳେ ବାକି ଦୁଇ ସମାଧିକୁ ଭାଙ୍ଗି ଘରନିର୍ମାଣ ଚାଲିଛି।
ଗୋବର୍ଦ୍ଧନ ମଠ କାର୍ଯ୍ୟାଳୟ ସଂପାଦକ ପ୍ରଶାନ୍ତ କହିଛନ୍ତି, ମଠ ରେକର୍ଡ ଅନୁସାରେ ପୂର୍ବରୁ ୧୨୮ଜଣ ଆଚାର୍ଯ୍ୟଙ୍କ ୧୨୮ଟି ସମାଧି ଗୋବର୍ଦ୍ଧନ ମଠ ପରିସରରେ ଥିଲା। ଏହା ସମୁଦ୍ର ପର୍ଯ୍ୟନ୍ତ ଲମ୍ବିଥିଲା। ଏହା ଭିତରୁ ପ୍ରାୟ ସବୁ ସମାଧି ଭାଙ୍ଗି ଜବରଦଖଲ ସରିଲାଣି ଓ ଘର ନିର୍ମାଣ ସରିଲାଣି। ଆଉ ମାତ୍ର ୨୧ଟି ସମାଧି ରହିଛି। ଯେଉଁଥିରୁ ୩ଟିକୁ ଭାଙ୍ଗି ଜବରଦଖଲକାରୀମାନେ ଘର ତିଆରି କରିସାରିଲେଣି। ଏପରିକି ସମାଧିର ଦ୍ବାରକୁ ବି ବନ୍ଦ କରି ଦିଆଯାଇଛି। ଆଉ ଦୁଇ ସମାଧିକୁ ଗତକାଲି ଘର ତିଆରି ପାଇଁ ଭାଙ୍ଗି ଦିଆଯାଇଛି। କିଛି ନ୍ୟସ୍ତସ୍ବାର୍ଥ ବ୍ୟକ୍ତି ସମାଧିକୁ ଅସମ୍ମାନ ପ୍ରଦର୍ଶନ କରିବା ସହ ଏହା ଉପରେ ଘର ଦିଆରି କରୁଛନ୍ତି। ସମାଧିକୁ ଜୋରଜବଦସ୍ତ ମାଡ଼ି ରାସ୍ତା ଉପରେ ଘର ତିଆରି କରୁଛନ୍ତି। ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟ ଏବେ ତୀର୍ଥ ଭ୍ରମଣରେ ଅଛନ୍ତି। ଆସନ୍ତା ୫ ତାରିଖରେ ସେ ପୁରୀ ଫେରିବେ। ଏ ସମ୍ପର୍କରେ ଜଗଦ୍ଗୁରୁଙ୍କ ସହ ଯୋଗାଯୋଗ ଚାଲିଛି। ଯୋଗାଯୋଗ ଓ ସହମତି ପରେ ଥାନାରେ ଲିଖିତ ଅଭିଯୋଗ କରିବୁ ବୋଲି ଶ୍ରୀ ପ୍ରଶାନ୍ତ କହିଛନ୍ତି।