ବ୍ରାଉନ୍‌ସୁଗାର୍‌ ମାଫିଆ ପାକୁର ସମ୍ପତ୍ତି ଅଚଳ

ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୨କୋଟି ୩୪ ଲକ୍ଷ ଟଙ୍କା
ଅଭିଯୁକ୍ତ ନାମରେ ୪ଟି ବେଆଇନ ନିଶା କାରବାର ସହ ୧୮ଟି ମାମଲା
ବାପା ସୋମନାଥ ସହ ପାକୁ ଏବେ ପୁରୀ ଜେଲ୍‌ରେ

ଖୋର୍ଦ୍ଧା : ‘ ଅଧର୍ମ ବିତ୍ତ ବଢେ଼ ବହୁତ, ଗଲାବେଳେ ଯାଏ ମୂଳ ସହିତ’ । ଏହି ଆପ୍ତ ବଚନ ପୁଣିଥରେ ପ୍ରମାଣିତ ହୋଇଛି। ବିଷାକ୍ତ ନିଶା କାରବାରରୁ ସମ୍ପତ୍ତି ଠୁଳ କରିଥିବା ଖୋର୍ଦ୍ଧା ଓ ପୁରୀ ଜିଲ୍ଲାର ଅନ୍ୟତମ ବ୍ରାଉନ୍‌ସୁଗାର୍‌ ମାଫିଆ ସୋମନାଥ ଭୂଜବଳ ଓରଫ୍‌ ପାକୁର ସମସ୍ତ ସମ୍ପତ୍ତିକୁ ଅଚଳ କରିଦିଆଯାଇଛି। କେବଳ ପାକୁ ନୁହେଁ, ତା’ ପରିବାର ଓ ସମ୍ପର୍କୀୟଙ୍କ ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ମଧ୍ୟ ଅଚଳ ହୋଇଯାଇଛି। ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୨କୋଟି ୩୪ ଲକ୍ଷ ଟଙ୍କା ବୋଲି ଆକଳନ କରାଯାଇଛି।

ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରେ ଗତ ୮ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ବିଷାକ୍ତ ନିଶା ବ୍ରାଉନ୍‌ସୁଗାର୍‌ ଓ ଗଞ୍ଜେଇ ଆଦିର କାରବାର କରିଆସୁଥିଲା ପାକୁ। ତା’ର ଏହି କାର୍ଯ୍ୟରେ ବାପା କୃଷ୍ଣଚନ୍ଦ୍ର ଭୂଜବଳ ସମେତ ଅନ୍ୟ ପରିବାର ସଦସ୍ୟ ଓ ସମ୍ପର୍କୀୟ ମଧ୍ୟ ସହଯୋଗ କରୁଥିଲେ। ଇତିମଧ୍ୟରେ ପୁଲିସ ସେମାନଙ୍କ ବିରୋଧରେ ପଦକ୍ଷେପ ଗ୍ରହଣ କରି ଏକାଧିକ ଥର ଗିରଫ କରିଛି। କିନ୍ତୁ ପ୍ରତି ଅପରାଧରେ ସେମାନେ ଜାମିନରେ ବାହାରକୁ ଆସି ପୁଣି ନିଜର କାରବାର ଚଳାଉଥିଲେ। ଶେଷରେ ପୁଲିସ ଓ ପ୍ରଶାସନ ସୋମନାଥର କାରବାରକୁ ସବୁଦିନ ପାଇଁ ବନ୍ଦ କରିବାକୁ ପଦକ୍ଷେପ ଗ୍ରହଣ କରିଛି। ବେଆଇନ ନିଶା କାରବାରରୁ ଅର୍ଜିଥିବା ସମ୍ପତ୍ତିର ତାଲିକା ପ୍ରସ୍ତୁତ କରିବାକୁ ଖୋର୍ଦ୍ଧା ପୁଲିସ ଚଳିତ ମାସ ୧୨ ତାରିଖରୁ ଅଭିଯାନ ଆରମ୍ଭ କରିଥିଲା। ଦୀର୍ଘ ୧୪ ଦିନର ଖୋଳତାଡ଼ ପରେ ପାକୁ ଓ ତା’ ପରିବାର ୬ ସଦସ୍ୟ ଓ ସହଯୋଗୀଙ୍କ ସମ୍ପତ୍ତି ଅଚଳ କରାଯାଇଛି। ଆଜି ଖୋର୍ଦ୍ଧା ଟାଉନ୍ ଥାନାରେ ଏନେଇ ଖୋର୍ଦ୍ଧା ଏସ୍‌ପି ରାଜ କିଶୋର ଦୋରା ଏକ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି।

ଏସ୍‌ପି ଶ୍ରୀ ଦୋରା କହିଛନ୍ତି, କେନ୍ଦ୍ରାଞ୍ଚଳ ଆଇଜିଙ୍କ ନିର୍ଦ୍ଦେଶାନୁସାରେ ଟାଉନ୍ ଥାନାରେ ୧/୨୦୨୧ ଅର୍ଥନୈତିକ ମାମଲା ରୁଜୁ କରାଯିବା ସହ ତଦନ୍ତ ଭାର ଥାନା ଅଧିକାରୀ ସଂଜୟ କୁମାର ପଟ୍ଟନାୟକଙ୍କୁ ପ୍ରଦାନ କରାଯାଇଥିଲା। ସମ୍ପତ୍ତିର ଖୋଳତାଡ଼ କରିବାକୁ ୩ଟି ଟିମ୍ ଗଠନ କରାଯାଇଥିଲା। ଟିମ୍ ସଦସ୍ୟ ଗତ ୧୪ ଦିନ ନିରନ୍ତର ପ୍ରଚେଷ୍ଟା ପରେ ସାମନ୍ତରାପୁର ଶାଗୁଆନ ବଗିଚାରେ ଥିବା ପାକୁ, ତାଙ୍କ ପତ୍ନୀ ପାପଲି ଗୁରୁ, ବାପା କୃଷ୍ଣଚନ୍ଦ୍ର ଭୂଜବଳ, ମା’ ମୀନତି ଭୂଜବଳଙ୍କ ସମ୍ପତ୍ତି ଏବଂ ବାଘମାରି ନିକଟ ସିମୋରରେ ଥିବା ସମ୍ପର୍କୀୟ ସୋନାଲୀ ଭୂଜବଳ, ପୁଷ୍ପଲତା ସାହୁ, କୋଣାର୍କ ନିକଟ ଅଣସରର ସୂର୍ଯ୍ୟକାନ୍ତ ପରିଡ଼ାଙ୍କ ସମ୍ପତ୍ତି ଆକଳନ କରିଥିଲେ। ବର୍ତ୍ତମାନ ସୁଦ୍ଧା ୧ କୋଟି ୧୦ଲକ୍ଷ ଟଙ୍କାର କୋଠାଘର, ୧୩ଲକ୍ଷ ୫୦ହଜାର ଟଙ୍କାର ଗହଣା, ୭୯ହଜାର ୬୦୦ଟଙ୍କାର ବ୍ୟାଙ୍କ ଜମା, ୩ଲକ୍ଷ ୪୫ହଜାର ଟଙ୍କା ନଗଦ, ୫୦ ହଜାର ଟଙ୍କାର ଦାମୀ କୁକୁର, ୨୪ଲକ୍ଷ ୫୦ ହଜାର ଟଙ୍କାର ଦୋକାନ ଘର ଓ ମୋଟରସାଇକଲ, କାର, ଟିପର ଆଦି ୧୧ଟି ଗାଡ଼ିଥିବା ଆକଳନ କରାଯାଇଛି।

ସମ୍ପତ୍ତିର ଆକଳନ ପରେ ଟାଉନ୍ ଥାନା (ଚିଠି ସଂଖ୍ୟା-୪୧୨୫/୨୪-୧୧-୨୦୨୧)ରେ ସମ୍ପତ୍ତିକୁ ବେଆଇନ ଘୋଷଣା ସହ ଅଚଳ କରିଦିଆଯାଇଛି। କୋର୍ଟଙ୍କ ବିନା ଅନୁମତିରେ ପାକୁ କିମ୍ବା ତାଙ୍କ ସମ୍ପର୍କୀୟ ଅଚଳ ସମ୍ପତ୍ତି କିମ୍ବା ଆକଳନ ହୋଇନଥିବା ଅନ୍ୟ ସମ୍ପତ୍ତିକୁ ବିକ୍ରି, ହସ୍ତାନ୍ତର କିମ୍ବା ଭଡ଼ା ଦେଇପାରିବେ ନାହିଁ ବୋଲି ଏସ୍‌ପି ଶ୍ରୀ ଦୋରା କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଖୋର୍ଦ୍ଧା ଏସ୍‌ଡିପିଓ ସୁଶୀଲ ମିଶ୍ର, ବାଲୁଗାଁ ଏସ୍‌ଡିପିଓ ମାନସ ଦାସ, ଟାଉନ୍‌ ଥାନା ଆଇଆଇସି ସଂଜୟ କୁମାର ପଟ୍ଟନାୟକ, ଏବଂ ଏସ୍‌ଆଇ ବିଜୟ କେତନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

ଉଲ୍ଲେଖଯୋଗ୍ୟ ଯେ ବର୍ତ୍ତମାନ ପାକୁ ଓ ସୋମନାଥ ପୁରି ବାସେଳିସାହିରେ ଘଟିଥିବା ଏକ ବ୍ରାଉନ୍‌ସୁଗାର୍‌ ଓ ବେଆଇନ ଅସ୍ତ୍ରଶସ୍ତ୍ର ମାମଲାରେ ୨୦୨୦ ଅକ୍ଟୋବର ୪ ତାରିଖରୁ ପୁରୀ ଜେଲ୍‌ରେ ଅଛି । କେବଳ ପାକୁ ବିରୋଧରେ ଖୋର୍ଦ୍ଧା ଅବକାରୀ, ଖୋର୍ଦ୍ଧା ଟାଉନ୍ ଥାନା, ପୁରୀ ବାସେଳିସାହି ଥାନାରେ ୪ଟି ବେଆଇନ ନିଶା କାରବାର ମାମଲା ସହ ଅନ୍ୟ ଥାନାରେ ୧୮ଟି ମାମଲା ରହିଛି।

ସମ୍ବନ୍ଧିତ ଖବର