ଓଡ଼ିଶା ହୋମ୍ସର ସମ୍ପତ୍ତି ନିଲାମ ହେବ, ନିଲାମଲବ୍ଧ ଅର୍ଥ କ୍ଷତିଗ୍ରସ୍ତ ଜମାକାରୀଙ୍କ ମଧ୍ୟରେ ବଣ୍ଟାଯିବ: କୋର୍ଟ

କଟକ : ଓଡ଼ିଶା ହୋମ୍ସ ପ୍ରାଇଭେଟ୍ ଲିମିଟେଡର ସ୍ଥାବର ଓ ଅସ୍ଥାବର ସ˚ପତ୍ତି ବାଜ୍ୟାପ୍ତି କରି ନିଲାମ କରିବା ପାଇଁ ଚିଟ୍‌ଫଣ୍ତ ମାମଲାର ଶୁଣାଣି ଲାଗି ଗଠିତ କଟକ ସ୍ବତନ୍ତ୍ର ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ନିଲାମଲବ୍ଧ ଅର୍ଥ ଏହି ସ˚ସ୍ଥାର କ୍ଷତିଗ୍ରସ୍ତ ଜମାକାରୀଙ୍କୁ ପ୍ରଦାନ କରିବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି।

ଅଦାଲତ ରାୟରେ ସ୍ପଷ୍ଟ କରିଛନ୍ତି ଯେ ଓଡ଼ିଶା ହୋମ୍ସ ସ˚ସ୍ଥାର ଜଟଣୀ ତହସିଲ ଅନ୍ତର୍ଗତ କୁହା ମୌଜାରେ ଥିବା ୧୮ ଏକର ୩୦ ଡିସିମିଲ ଜମି ଓ ବ୍ୟାଙ୍କରେ ଜମା ଥିବା ୮ ଲକ୍ଷ ୮୭ ହଜାର ୪୩୩ ଟଙ୍କା ବାଜ୍ୟାପ୍ତି କରାଯାଇ ସ˚ପୃକ୍ତ ଅର୍ଥକୁ ଏହି ଚିଟ୍‌ଫଣ୍ତ୍‌ ସ˚ସ୍ଥା ଦ୍ବାରା କ୍ଷତିଗ୍ରସ୍ତ ଜମାକାରୀଙ୍କ ମଧୢରେ ବଣ୍ଟନ କରାଯିବ। ଏହି ଜମିର କ୍ରୟ ମୂଲ୍ୟ ୧ କୋଟି ୫ ଲକ୍ଷ ୯୨ ହଜାର ୨୯୧ ଟଙ୍କା ହୋଇଥିବା ବେଳେ ଏହାକୁ ନିଲାମ କରାଯିବ ଓ ନିଲାମଲବ୍ଧ ଅର୍ଥ ସଂସ୍ଥା ଦ୍ବାରା କ୍ଷତିଗ୍ରସ୍ତ ଜମାକରୀଙ୍କୁ ବଣ୍ଟନ କରାଯିବ। ଏଠାରେ ସୂଚନା ଯୋଗ୍ୟ ଯେ ଚିଟଫଣ୍ଡ ସଂସ୍ଥାର ସଂପତ୍ତି ବାଜ୍ୟାପ୍ତି ପ୍ରସଂଗରେ ଏହା ହେଉଛି କଟକ ସ୍ବତନ୍ତ୍ର ଅଦାଲତଙ୍କ ୧୯ତମ ରାୟ।

ଜମାକାରୀଙ୍କ ସ୍ବାର୍ଥରକ୍ଷା ପାଇଁ ପ୍ରଣୟନ କରାଯାଇଥିବା ଓଡିଶା ପ୍ରୋଟେକ୍ସନ୍‌ ଅଫ୍‌ ଇଣ୍ଟରେଷ୍ଟସ୍‌ ଅଫ୍‌ ଡିପୋଜିଟରସ୍‌(ଇନ୍‌ ଫାଇନାରେନସିଆଲ ଏଷ୍ଟାବ୍ଲିସମେଣ୍ଟ) ଆକ୍ଟ, ୨୦୧୧(ଓପିଆଇଡି ଆଇନ୍‌)ର ଧାରା ୪(୩)ରେ ପ୍ରାଧିକୃତ ଅଧିକାରୀ ଓଡ଼ିଶା ହୋମ୍ସର ଜମି ଓ ବ୍ୟାଙ୍କ ଜମାକୁ ଜମାକାରୀଙ୍କ ମଧ୍ୟରେ ବାଣ୍ଟିବା ପାଇଁ ଅନୁମତି ଲୋଡି କଟକ ସ୍ବତନ୍ତ୍ର ଅଦାଲତରେ ୨୦୧୯, ଜାନୁଆରି ୧୫ରେ ଆବେଦନ କରିଥିଲେ। ମାମଲାରେ ସଂସ୍ଥାର ଏମଡି ଜଗତଜୀବନ ନାୟକ, ନିର୍ଦ୍ଦେଶକ ସୁମନ୍ତ କୁମାର ଆଚାର୍ଯ୍ୟ, ଶଙ୍କର ପ୍ରସାଦ ପାଣିଗ୍ରାହୀ ଓ ତ୍ରିସାତ ଇଷ୍ଟେଟ୍ସ ଆଣ୍ଡ କନଷ୍ଟ୍ରକସନ ପ୍ରାଇଭେଟ ଲିମିଟେଡକୁ ପକ୍ଷଭୁକ୍ତ କରାଯାଇଥିଲା। ମାମଲାର ଶୁଣାଣି କରି ଅଦାଲତ ପ୍ରତିପକ୍ଷଙ୍କୁ ନୋଟିସ୍ ଜାରି କରିଥିଲେ। ଶୁଣାଣି ସମୟରେ ପ୍ରାଧିକୃତ ଅଧିକାରୀ ତଥା କଟକର ପୂର୍ବତନ ଏଡିଏମ୍ ହରିଶଚନ୍ଦ୍ର ନାୟକ, ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ)ର ଇନ୍ସପେକ୍ଟର ତଥା ତଦନ୍ତକାରୀ ଅଧିକାରୀ ସୁଚୀସ୍ମିତା ଦାଶ ଅଦାଲତରେ ହାଜର ହୋଇ ସାକ୍ଷ୍ୟ ପ୍ରଦାନ କରିବା ସହିତ ଦାଖଲ ହୋଇଥିବା ବିଭିନ୍ନ ନଥିପତ୍ର ଚିହ୍ନଟ କରିଥିଲେ। ସରକାରଙ୍କ ତରଫରୁ ସ୍ବତନ୍ତ୍ର ପବ୍ଲିକ୍ ପ୍ରସିକ୍ୟୁଟର ସୁବ୍ରତ କୁମାର ମହାନ୍ତି ମାମଲା ପରିଚାଳନା କରୁଥିବା ବେଳେ ଏସ୍‌ପିପି ବିଶ୍ବଜିତ ମହାପାତ୍ର ସହାୟତା କରୁଥିଲେ।

ଉଲ୍ଲେଖଯୋଗ୍ୟ ଯେ ୨୦୧୮ରେ ଇଓଡବ୍ଲୁ ଓଡ଼ିଶା ହୋମ୍ସ ଠକେଇ ନେଇ ମାମଲା ରୁଜୁ କରି ଏମଡି ଶ୍ରୀ ନାୟକଙ୍କୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର