ବରଗଡ଼: ବରଗଡ଼ ଜିଲ୍ଲା କ୍ରମଶଃ ଶିଳ୍ପବିହୀନ ହେବାକୁ ଲାଗିଛି। ପ୍ରଥମେ ସ୍ପିନି˚ ମିଲ୍ ଏବେ ଚିନି କାରଖାନା। ଏହି ଦୁଇଟି କାରଖାନା ଜିଲ୍ଲାବାସୀଙ୍କ ପାଇଁ ଅତ୍ୟନ୍ତ ଜରୁରୀ ଥିଲା। କାରଣ ଉଭୟ ଶିଳ୍ପାନୁଷ୍ଠାନ ଉପରେ ଜିଲ୍ଲାର ସାମାଜିକ ବିକାଶ ସ୍ଥିତି ନିର୍ଭର କରୁଛି। ସ୍ପିନି˚ ମିଲ୍ ସିଧାସଳଖ ବୁଣାକାରଙ୍କ ଜୀବନଧାରା ସହ ଜଡ଼ିତ। ସେହିପରି ଧକେଇ ଚାଲିଥିବା ଚିନିକଳ ଆଖୁଚାଷୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛି। ଜୀର୍ଣ୍ଣ ଅବସ୍ଥାରେ ଥିବା ଚିନିକଳ ବିକ୍ରି ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଚିନିକଳର ସମ୍ପତ୍ତି ମୂଲ୍ୟାୟନ ଆରମ୍ଭ ହୋଇଛି। ଜମି, ଯନ୍ତ୍ରାଂଶ ଏବଂ ଆସବାବପତ୍ରର ହିସାବ ଚାଲିଛି। ପ୍ରାୟ ଦୁଇମାସ ଭିତରେ ଚିନିକଳ ବିଧିବଦ୍ଧ ବନ୍ଦ ହେବ ବୋଲି ରାଜ୍ୟ ସମବାୟ ବିଭାଗ ନିବନ୍ଧକ ଉଦ୍ଧବ ମାଝୀ କହିଛନ୍ତି।
ଏହି ଅବଧି ଭିତରେ ଏଠାକାର କର୍ମଚାରୀଙ୍କ ବକେୟା ପ୍ରାପ୍ୟ ଉପରେ ବି ପଦକ୍ଷେପ ନିଆଯିବ। ସୂଚନାଯୋଗ୍ୟ, ୨୦୧୮ ମସିହା ପରେ ଚିନିକଳରେ ମେସିନ୍ ବୁଲି ନାହିଁ। ୧୯୭୫ ମସିହାରେ ଏହି ମିଲ୍ ସ୍ଥାପନ ହୋଇଥିଲା। ଚିନିକଳରେ ୨୫୨ଜଣ ସ୍ଥାୟୀ କର୍ମଚାରୀ ରହିଥିଲେ। ଏହା ସହିତ ଚିନି ଉତ୍ପାଦନ ସମୟରେ ଅତିରିକ୍ତ ଶହେ କର୍ମଚାରୀ ନିୟୋଜିତ ହୋଇଥାନ୍ତି। କାରଖାନା ବନ୍ଦ ପରେ କର୍ମଚାରୀଙ୍କ ଜୀବନ ଦୟନୀୟ ହୋଇପଡ଼ିଛି। ଏମାନଙ୍କ ପାଇଁ କୌଣସି ସ୍ଥାୟୀ ଦରମା ଉତ୍ସ ନାହିଁ। କାରଖାନାରୁ ଉତ୍ପାଦିତ ଚିନି ବିକ୍ରି ହେବା ପରେ ଉକ୍ତ ରାଶିରୁ କର୍ମଚାରୀଙ୍କୁ ଦରମା ମିଳିଥାଏ। କାରଖାନା ଅଚଳ ହୋଇ ପଡ଼ିଥିବାରୁ କର୍ମଚାରୀଙ୍କ ଭବିଷ୍ୟତ ଅନ୍ଧାର ଘେରରେ। ଏବେ ସେମାନଙ୍କ ପାଇଁ କ’ଣ ପଦକ୍ଷେପ ହେଉଛି, ତାହା ଦେଖିବାକୁ ବାକି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/10/sfhhsfhhffh.jpg)