କେନ୍ଦୁଝର : ଜରିମାନା ଖିଲାପି ୩ ଜଣ ଖଣି ଲିଜ୍ଧାରୀଙ୍କ ସମ୍ପତ୍ତି ବାଜ୍ୟାପ୍ତ କରିବାକୁ ଆଜି ଜିଲ୍ଲାପାଳଙ୍କ କୋର୍ଟ ନିର୍ଦେଶ ଦେଇଛନ୍ତି। ଏହି ୩ ଖଣି କମ୍ପାନି ହେଲା ଏସ୍ଡି ଶର୍ମା, ଅର୍ଜୁନ ଲୋଧା ଓ ମେସର୍ସ ଗନ୍ଧମାର୍ଦ୍ଦନ ସ୍ପଞ୍ଜ ଇଣ୍ଡଷ୍ଟ୍ରିଜ୍ ପ୍ରାଇଭେଟ ଲିମିଟେଡ୍। ଆଜି କେନ୍ଦୁଝର ଜିଲ୍ଲାପାଳଙ୍କ କୋର୍ଟରେ ୫ଟି ଖଣିର ଶୁଣାଣି ଥିଲା। ଜିଲ୍ଲାପାଳଙ୍କ କୋର୍ଟ ୩ ଟି ଖଣି ଲିଜ୍ଧାରୀଙ୍କ ସମ୍ପତ୍ତି ଜବତ କରି ଜରିମାନା ଅର୍ଥ ଆଦାୟ କରିବାକୁ ନିର୍ଦେଶ ଜାରି କରିଛନ୍ତି।
ଆଜି ଯୋଡ଼ା ଖଣି ମଣ୍ଡଳର ଏସ୍ଡି ଶର୍ମା, ଅର୍ଜୁନ ଲୋଧା, ମିଡ୍ଇଷ୍ଟ ଇଣ୍ଟିଗ୍ରେଟେଡ ଷ୍ଟିଲ ଲି. ଏବଂ କେନ୍ଦୁଝର ଖଣି କାର୍ଯ୍ୟାଳୟ ଅନ୍ତର୍ଗତ ମେସର୍ସ ଗନ୍ଧମାର୍ଦ୍ଦନ ସ୍ପଞ୍ଜ ଇଣ୍ଡଷ୍ଟ୍ରିଜ୍ ପ୍ରାଇଭେଟ ଲି.ର ଶୁଣାଣି ଥିଲା। ଏହି ଶୁଣାଣିରେ ଜିଲ୍ଲାପାଳଙ୍କ କୋର୍ଟ ସାର୍ଟିଫିକେଟ କେଶ ନଂ ୨୮/୨୦୧୮କୁ ବିଚାର କରି ଏସ୍ଡି ଶର୍ମା ଖଣି ଲିଜ୍ଧାରୀଙ୍କ ଗାଡ଼ିମୋଟର ଓ ବ୍ୟାଙ୍କ ଆକାଉଣ୍ଟ ଜବତ କରିବା ପାଇଁ ୱାରେଣ୍ଟ ଜାରି କରିଛନ୍ତି। ସେହିପରି ଓପିଡିଆର୍ କେସ୍ ନଂ ୩୩/୨୦୧୮ ର ମେସର୍ସ ଗନ୍ଧମାର୍ଦ୍ଦନ ସ୍ପଞ୍ଜ ଇଣ୍ଡଷ୍ଟ୍ରିଜ୍ ପ୍ରାଇଭେଟ ଲି. ଉପରେ ୨୯୫ କୋଟି ୭୫ଲକ୍ଷ ୩୦ହଜାର ୫୦୧ ଟଙ୍କା ଜରିମାନା ହୋଇଥିଲା। ଖଣି କର୍ତ୍ତୃପକ୍ଷ ଉତ୍ତରାଧିକାରୀ ଦର୍ଶାଉନଥିବା ଓ ଜରିମାନା ଅର୍ଥ ଦାଖଲ କରୁନାହାନ୍ତି। ଏହି କାରଣରୁ ସଂପୃକ୍ତ ଖଣି କର୍ତ୍ତୃପକ୍ଷଙ୍କ ସଂପତ୍ତି ଜବତ କରିବାକୁ ୱାରେଣ୍ଟ ଜାରି ହୋଇଛି। ଏଥିସହ ଓପିଡିଆର୍ କେଶ ନଂ ୪୦/୨୦୧୮ ର ଅର୍ଜୁନ ଲୋଧା ଲିଜ୍ଧାରୀଙ୍କ ମାମଲା ବିଚାର କରି ଲିଜ୍ଧାରୀଙ୍କ ବ୍ୟାଙ୍କ ଆକାଉଣ୍ଟ ସହ ତାଙ୍କର ସଂପତ୍ତି ଜବତ କରି ଜରିମାନା ଅର୍ଥ ଆଦାୟ କରିବା ପାଇଁ ୱାରେଣ୍ଟ ଜାରି ହୋଇଛି। ଏସ୍ଡି ଶର୍ମା ଖଣି ମାଲିକ ଓ ଅର୍ଜୁନ ଲୋଧା ଖଣି ମାଲିକଙ୍କର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଓଡ଼ିଶାରେ ନଥିବାରୁ ବାହାର ରାଜ୍ୟରେ ଥିବା ସମ୍ପତ୍ତି ଜବତ କରିବାକୁ ଆଇନଗତ ପଦକ୍ଷେପ ନିଆଯିବ ବୋଲି ଜଣାପଡ଼ିଛି।
ଅପରପକ୍ଷରେ ସାର୍ଟିଫିକେଟ କେଶ ନଂ ୪୮/୨୦୧୮ ର ମିଡ୍ଇଷ୍ଟ ଇଣ୍ଟିଗ୍ରେଟେଡ ଷ୍ଟିଲ ଲି.ର ବିଚାର କରି କେନ୍ଦ୍ରୀୟ ଖଣି ଟ୍ରିବ୍ୟୁନାଲ ନିର୍ଦେଶ ମୁତାବକ ଜରିମାନା ଅର୍ଥ ପୈଠ କରିବାକୁ ନିର୍ଦେଶ ହୋଇଥିଲା। ଏହାବାଦ କେଶ ନଂ ୬୪/୨୦୧୮ ର ମିଡଇଷ୍ଟ ଇଣ୍ଟିଗ୍ରେଟେଡ ଷ୍ଟିଲ ବଡ଼ବିଲର ବିଚାର କରାଯାଇଥିବାବେଳେ ଖଣି କମ୍ପାନି ପକ୍ଷରୁ ଆଗାମୀ ୭ଦିନ ମଧ୍ୟରେ ଦୁଇଟି କିସ୍ତିରେ ବକେୟା ଜରିମାନା ଅର୍ଥ ପୈଠ କରିବାକୁ ଜିଲ୍ଲାପାଳଙ୍କ କୋର୍ଟ ଶନିବାର ନିର୍ଦେଶ ଜାରି କରିଛନ୍ତି। ପ୍ରକାଶ ଥାଉକି ଜରିମାନା ଖିଲାପି ୩୧ଟି ଖଣିର ୨୩ଜଣ ଲିଜ୍ଧାରୀଙ୍କ ନାମରେ ଓପିଡିଆର୍ ସାର୍ଟିଫିକେଟ କେଶ ଦାୟର ହୋଇ ୬ ହଜାର ୩୫୦ କୋଟି ଟଙ୍କା ଜରିମାନା ଧାର୍ଯ୍ୟ କରାଯାଇଥିଲା। ଇତିମଧ୍ୟରେ କେତେକ ଲିଜ୍ଧାରୀଙ୍କ ବିରୋଧରେ ଆଇନଗତ ପଦକ୍ଷେପ ନେଇ ସମ୍ପତ୍ତି ଜବତ ପାଇଁ ପ୍ରକ୍ରିୟା ଜାରି ରହିଛି।