ଚନ୍ଦ୍ରଶେଖରପୁର : ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ସନ୍ଧ୍ୟାରେ ଜନଗହଳିପୂର୍ଣ୍ଣ ଶୈଳଶ୍ରୀବିହାର-୨ ଛକ ନିକଟରେ ଆଜି ପୁଣିଥରେ ଯୁବତୀମାନଙ୍କୁ ଟାର୍ଗେଟ୍‌ କରାଯାଇଛି। ତିନି ଜଣ ଯୁବକ ଗାଡ଼ିରେ ଆସି ଯୁବତୀଙ୍କଠାରୁ ମୋବାଇଲ୍‌ ଛଡ଼ାଇ ନେବା ବେଳେ ନିର୍ଧୂମ ଛେଚା ଖାଇଛନ୍ତି।

Advertisment

ଡମଣା ହାଟରୁ ଦୁଇ ଜଣ ଯୁବତୀ ଘରକୁ ଫେରୁଥିଲେ। ଏହି ସମୟରେ ତିନି ଜଣ ଯୁବକ ଏକ ସ୍କୁଟିରେ ଉକ୍ତ ଯୁବତୀଙ୍କ ପିଛା କରିଥିଲେ। ଶୈଳଶ୍ରୀବିହାର-୨ ଛକ ନିକଟରେ ଜନଗହଳି କମ୍‌ ଥିବା ଦେଖି ଜଣେ ଯୁବକ ଗାଡ଼ିରୁ ଓହ୍ଲାଇ ଯୁବତୀଙ୍କ ହାତରୁ ମୋବାଇଲ୍‌ ଛଡ଼ାଇ ନେଇଥିଲା। ସେମାନେ ଚାଲିଯିବାକୁ ଉଦ୍ୟମ କଲାବେଳେ ଯୁବତୀମାନେ ଚିତ୍କାର କରି ଉଠିଥିଲେ। ନିକଟରେ ଥିବା ଲୋକେ ସମ୍ପୃକ୍ତ ତିନି ଯୁବକଙ୍କୁ କାବୁ କରି ନେଇଥିଲେ। ଲୁଟ୍‌ କରୁଥିବା ଜାଣିବା ପରେ ଲୋକେ ସେମାନଙ୍କୁ ନିଧୁର୍ମ ଛେଚିଥିଲେ। ରାସ୍ତାରେ ପକାଇ ମାରିବା ସହ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚିବା ପରେ ଲୋକେ ସମ୍ପୃକ୍ତ ଲୁଟେରାଙ୍କୁ ହସ୍ତାନ୍ତର କରିଥି‌ଲେ।