ଲୋକଙ୍କ ଅଭିନବ ପ୍ରତିବାଦ : କାଦୁଅ ରାସ୍ତାରେ ଧାନ ରୋଇଲେ

ପାତ୍ରପୁର : ପକ୍କା ରାସ୍ତା ନିର୍ମାଣ ଦାବିରେ ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍‌ ଅନ୍ତର୍ଗତ ବାଦପୁର ଗ୍ରାମର ଅଧିବାସୀ ଅଭିନବ ଢଙ୍ଗରେ ପ୍ରତିବାଦ କରିଛନ୍ତି। ସେମାନେ କାଦୁଅ ପଚପଚ ରାସ୍ତାରେ ଧାନ ରୋଇଛନ୍ତି।

ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, ଦୀର୍ଘଦିନ ହେଲା ରାସ୍ତାର ଅବସ୍ଥା ଶୋଚନୀୟ ହୋଇ ପଡ଼ିରହିଛି। ବର୍ଷା ହେଲେ ରାସ୍ତା ସାରା କାଦୁଅ ପଚପଚ ହେଉଛି। ବହୁବାର କଂକ୍ରିଟ୍ ରାସ୍ତା ନିର୍ମାଣ ଦିଗରେ ପଦକ୍ଷେପ ନେବାକୁ ଦାବି ହେଉଥିଲେ ବି କୌଣସି ପଦକ୍ଷେପ ନିଆଯାଉନି। ଫଳରେ, ସାହିରେ ରହୁଥିବା ୩୦ରୁ ଅଧିକ ପରିବାର ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଥିପାଇଁ ସେମାନେ ଦୃଷ୍ଟି ଆକର୍ଷଣ କରିଥିଲେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ। ଫଳରେ, ସେମାନେ ଆଜି ବାଧ୍ୟ ହୋଇ କାଦୁଅ ରାସ୍ତାରେ ଧାନ‌ ‌ରୋଇ ପ୍ରତିବାଦ ଜଣାଇଥିଲେ। ଯୁଦ୍ଧକାଳୀନ ଭିତ୍ତିରେ ସମସ୍ୟାର ସମାଧାନ ନହେଲେ ‌ଆନ୍ଦୋଳନକୁ ଜୋରଦାର କରାଯିବ ସେମାନେ ଚେତାବନୀ ଦେଇଛନ୍ତି।

ମହାକାଳପଡ଼ା : ଅବଧି ଥିଲା ୬ ମାସ। ହେଲେ, ୮ ମାସ ବିତିଗଲାଣି। ଓରତଠାରୁ ଦେଉଳପଡ଼ା ମାତ୍ର ୧୭ଶହ ମିଟର ରାସ୍ତା କାମ ସରି ପାରୁନାହିଁ। ରାସ୍ତା ସାରା ଖାଲଖମା। ବର୍ଷାରେ ସ୍ଥିତି ସଂଗୀନ ହୋଇ ପଡ଼ୁଛି। ଏହାକୁ ନେଇ ଆଜି ସ୍ଥାନୀୟ ପ୍ରତିବାଦ ଜଣାଇଛନ୍ତି। ଟାୟାର ଜାଳି ରାସ୍ତାରୋକ କରିବା ସହିତ କାଦୁଅ ପଚପଚ ରାସ୍ତାରେ ଧାନତଳି ରୋଇ ଅସନ୍ତୋଷ ଜାହିର କରିଛନ୍ତି।

୨୦୧୯ ମସିହା ଜାନୁଆରି ମାସରେ ୧ କୋଟି ୮୫ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଉକ୍ତ ରାସ୍ତାର ଉନ୍ନତିକରଣ କାର୍ଯ୍ୟର ଶୁଭ ଦିଆଯାଇଥିଲା। ଜୁନ୍‌ ମାସରେ କାମ ସରିବାକୁ ଅବଧି ରହିଥିଲା। ଇତିମଧ୍ୟରେ ୮ମାସରୁ ଅଧିକ ସମୟ ଅତିକ୍ରାନ୍ତ ହୋଇଯାଇଥିଲେ ହେଁ ନିର୍ମାଣ କାମ ଅଧାପନ୍ତରିଆ ଭାବେ ପଡ଼ିରହିଛି। ଠିକାଦାର ଜଣକ ପୁରୁଣା ରାସ୍ତାକୁ ତାଡ଼ି ଏହା ଉପରେ ମେଟାଲ ଓ ଡଷ୍ଟ ବିଛାଇଥିଲେ ବି ବର୍ଷା ହେଲା ପରେ ରାସ୍ତାର ବିଭିନ୍ନ ସ୍ଥାନରେ ଖାଲଖମା ସୃଷ୍ଟି ହୋଇ ପାଣି ଜମି ରହୁଛି। ରାସ୍ତା ଏବେ ମରଣଯନ୍ତା ପାଲଟିଛି। କେନ୍ଦ୍ରାପଡ଼ା-ବଢିହ ମୁଖ୍ୟରାସ୍ତାର ଉକ୍ତ ରାସ୍ତାଟି ଏକ ଅଂଶବିଶେଷ ହୋଇଥିବାରୁ ଏହା ଉପରେ ଦୈନିକ ଶହଶହ ବସ, ଟ୍ରକ୍, ଅଟୋ ଆଦି ଯାତାୟତ କରିଥାଏ। କିନ୍ତୁ ରାସ୍ତାର ଶୋଚନୀୟ ଅବସ୍ଥା ଯୋଗୁଁ ଗମନାଗମନ କ୍ଷେତ୍ରରେ ଅସୁବିଧା ସୃଷ୍ଟି ହେଉଛି। ଅପରପକ୍ଷରେ ବର୍ଷା ପାଇଁ ଠିକାଦାର ଜଣକ ଗତ ୩ ମାସ ଧରି ରାସ୍ତା କାମ ବନ୍ଦ ରଖିଛନ୍ତି।

ଏ ନେଇ ଲୋକେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ। ହେଲେ, ରାସ୍ତା କାମ ଆଗେଇ ପାରି ନ ଥିଲା। ଫଳରେ ସେମାନେ ବାଧ୍ୟ ହୋଇ ଆଜି ରାସ୍ତାକୁ ଓହ୍ଲାଇଛନ୍ତି। ସକାଳ ପ୍ରାୟ ୭ଟାରୁ ଓଳିହା ଗ୍ରାମ ନିକଟରେ ଶତାଧିକ ବ୍ୟକ୍ତି ରାସ୍ତାରୋକ କରିବା ସହ ରାସ୍ତା ଉପରେ ତଳି ରୋଇଥିଲେ। ଫଳରେ ଦୀର୍ଘ ୪ ଘଣ୍ଟା ଗାଡ଼ି ଚଳାଚଳ ବନ୍ଦ ଥିଲା।

ସମ୍ବନ୍ଧିତ ଖବର