ସୁନ୍ଦରଗଡ଼ରେ ଏମ୍‌ସ ପାଇଁ ପ୍ରସ୍ତାବ

କେନ୍ଦ୍ରକୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ, ଭିତ୍ତିଭୂମି ଅଛି, ତୁରନ୍ତ କାର୍ଯ୍ୟକାରୀ ହୋଇପାରିବ

ଭୁବନେଶ୍ୱର : ଓଡ଼ିଶାର ସୁନ୍ଦରଗଡ଼ଠାରେ ଦ୍ବିତୀୟ ଏମ୍‌ସ ପ୍ରତିଷ୍ଠା କରିବା ଲାଗି କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ। ଦ୍ବିତୀୟ ଏମ୍‌ସ ନିର୍ମାଣ ଲାଗି ସୁନ୍ଦରଗଡ଼ରେ ଆବଶ୍ୟକ ଭିତ୍ତିଭୂମି ରହିଛି। ଯଦି କେନ୍ଦ୍ର ସରକାର ଏହି ପ୍ରସ୍ତାବକୁ ସ୍ବୀକୃତି ଦିଅନ୍ତି ତା’ହେଲେ ଖୁବ୍ କମ୍ ସମୟ ଭିତରେ ଏମ୍‌ସ ଭଳି ସ୍ବାସ୍ଥ୍ୟାନୁଷ୍ଠାନ କାର୍ଯ୍ୟକାରୀ ହୋଇପାରିବ ବୋଲି ଚିଠିରେ ‌ଉଲ୍ଲେଖ କରିଛନ୍ତି।

ଶ୍ରୀ ତ୍ରିପାଠୀ କହିଛନ୍ତି ଯେ ବିହାରରେ ଦ୍ବିତୀୟ ଏମ୍‌ସ ପ୍ରତିଷ୍ଠା ହୋଇଥିବା ବେଳେ ଅନ୍ୟ ରାଜ୍ୟରେ ଦ୍ବିତୀୟ ଏମ୍‌ସ ନିର୍ମାଣ ଲାଗି ପ୍ରସ୍ତାବ ରହିଛି। ତେଣୁ ପଶ୍ଚିମ ଓଡ଼ିଶାର ଲୋକମାନଙ୍କୁ ଗୁଣାତ୍ମକ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ଲାଗି ସୁନ୍ଦରଗଡ଼ରେ ଏମ୍‌ସ ପ୍ରତିଷ୍ଠା ପ୍ରସ୍ତାବକୁ ବିଚାର କରାଯାଇପାରେ। ସୁନ୍ଦରଗଡ଼ରେ ଏକ ମେଡିକାଲ କଲେଜ ଓ ହସ୍ପିଟାଲ ନିର୍ମାଣ ପାଇଁ ଏନ୍‌ଟିପିସି ସହିତ ରାଜ୍ୟ ସରକାରଙ୍କ ଏକ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। କର୍ପୋରେଟ୍‌ ସାମାଜିକ ଦାୟିତ୍ବ ଜରିଆରେ ୫ଶହ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ନିର୍ମାଣ କରାଯାଉଛି। ୧୦୦ ଜଣ ଛାତ୍ରଛାତ୍ରୀଙ୍କ ଏମ୍‌ବିବିଏସ୍‌ ପାଠ୍ୟକ୍ରମ ପାଇଁ ସୁବିଧା ରହିଛି। ଏବେ ହସ୍ପିଟାଲର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ବେଳେ ଯନ୍ତ୍ରପାତି କିଣା ଜାରି ରହିଛି। ଏହାସହ ସୁନ୍ଦରଗଡ଼କୁ ରେଳବାଇ ଓ ଝାରସୁଗୁଡ଼ା ବିମାନ ବନ୍ଦର ଜରିଆରେ ଯୋଗାଯୋଗ ହୋଇପାରିବ। ତେଣୁ ଦ୍ବିତୀୟ ଏମ୍‌ସ ପ୍ରତିଷ୍ଠା ହେଲେ ଆଦିବାସୀ ବହୁଳ ଜିଲ୍ଲାରେ ସ୍ବାସ୍ଥ୍ୟସେବାରେ ସୁଧାର ଆସିପାରିବ ବୋଲି ଉଲ୍ଲେଖ କରିଛନ୍ତି।

ସମ୍ବନ୍ଧିତ ଖବର