ବିଶ୍ବଐତିହ୍ୟ ପ୍ରକଳ୍ପ ଆଡ଼କୁ ଆଉ ପାଦେ : ପୁରୀରେ ଅନ୍ତର୍ଜାତୀୟ ବିମାନବନ୍ଦର ପ୍ରସ୍ତାବ

ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ନବୀନ
ଶ୍ରୀଜଗନ୍ନାଥଙ୍କ ନାମରେ ନାମକରଣ ହେଉ
ଜମି ଚିହ୍ନଟ ସରିଛି, ଘୋଷଣା ହେଲେ ତୁରନ୍ତ ପ୍ରକଳ୍ପ
ସଂସ୍କୃତି, ପର୍ଯ୍ୟଟନ ଓ ଅର୍ଥନୀତି ବିକାଶ ଯୋଜନା

ଭୁବନେଶ୍ବର : ପୁରୀକୁ ବିଶ୍ବ ଐତିହ୍ୟ ସହରରେ ପରିଣତ କରିବାକୁ ହେଲେ, ତାହାକୁ ଅବଶିଷ୍ଟ ଭାରତ ସହିତ ଯୋଡ଼ିବାକୁ ହେବ। ଯେହେତୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପୁରୀ ସହିତ ବିଶ୍ବର ୧୯୨ଟି ଦେଶରେ ପାଳନ ହେଲାଣି, ଏହା ହିଁ ବିଶ୍ବସ୍ତରର ପର୍ଯ୍ୟଟକଙ୍କର ପୁରୀ ପ୍ରତି ଆକର୍ଷଣ କେତେ ରହିଛି ତାହା ସୂଚାଉଛି। ସମଗ୍ର ବିଶ୍ବକୁ ଜଗନ୍ନାଥ ସଂସ୍କୃତି ପ୍ରସାରଣ ପାଇଁ ପୁରୀକୁ ଯୋଡିବା ଅପରିହାର୍ଯ୍ୟ। କେବଳ ସେତିକି ନୁହେଁ, ବିଶ୍ବପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିର, ପରିବେଶ ପର୍ଯ୍ୟଟନ, ବୌଦ୍ଧ ଐତିହ୍ୟସ୍ଥଳ, ଉପକୂଳ ରାଜପଥ, ଦୁଇ ଦୁଇଟି ବନ୍ଦର ସଂଲଗ୍ନ କାରଣରୁ ପୁରୀର ଗୁରୁତ୍ବ ଏବେ ଯଥେଷ୍ଟ ବଢ଼ିଯାଇଛି।

ଏଭଳି ଏକାଧିକ ଯୁକ୍ତି ରଖି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀରେ ଅନ୍ତର୍ଜାତିକ ବିମାନ ବନ୍ଦର କରାଯିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟରେ ଦାବି ରଖିଛନ୍ତି। କେବଳ ସେତିକି ନୁହେଁ, ଆଉ ପାଦେ ଆଗକୁ ଯାଇ ନବୀନ ଏ ପ୍ରସ୍ତାବ ବି ରଖିଛନ୍ତି ଯେ ଏହି ବିମାନ ବନ୍ଦର ଶ୍ରୀଜଗନ୍ନାଥ ଆନ୍ତର୍ଜାତିକ ବିମାନ ବନ୍ଦର ନାମରେ ନାମିତ ହେବା ଉଚିତ୍।

ନୂଆବର୍ଷର ପ୍ରଥମ ଚିଠି ମହାପ୍ରଭୁ ଶ୍ରୀଜଗନ୍ନାଥ କ୍ଷେତ୍ର ପୁରୀର ବିକାଶରୁ ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ। କହିଛନ୍ତି ଯେ ଏହି ବିମାନ ବନ୍ଦର ଲାଗି ରାଜ୍ୟ ସରକାର ପୁରୀରେ ଜମି ଚିହ୍ନଟ କରିସାରିଛନ୍ତି। ଏହା ଯେପରି ରେକର୍ଡ ସମୟରେ ଶେଷ ହେବ, ସେଥିପାଇଁ ରାଜ୍ୟ ସରକାର ମଧ୍ୟ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବେ। ଏ ପ୍ରତିଶ୍ରୁତି ସେ ଦେବାକୁ ଚାହାନ୍ତି।

ପୁରୀ ହିନ୍ଦୁମାନଙ୍କର ପବିତ୍ର ଚାରିଧାମ ମଧ୍ୟରୁ ଅନ୍ୟତମ ବୋଲି ସୂଚାଇ ନବୀନ କହିଛନ୍ତି ଯେ ସାରା ବିଶ୍ବର କୋଣ ଅନୁକୋଣରୁ ଯାତ୍ରୀମାନେ ଏଠାକୁ ପ୍ରତ୍ୟହ ଆସିଥାନ୍ତି। ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା ସମସ୍ତଙ୍କର ଆକର୍ଷଣର କେନ୍ଦ୍ର। ଦେଶ ବିଦେଶରୁ ଯାତ୍ରୀମାନେ ଆସି ରଥଯାତ୍ରା ପାଇଁ ପୁରୀରେ ସମବେତ ହୋଇଥାନ୍ତି। ମହାପ୍ରଭୁଙ୍କ ରଥଯାତ୍ରା ମଧ୍ୟ ବିଶ୍ବର ୧୯୨ଟି ଦେଶରେ ସମାରୋହ ସହ ପାଳିତ ହୋଇଥାଏ। ତେଣୁ ପୁରୀରେ ଆନ୍ତର୍ଜାତିକ ବିମାନ ବନ୍ଦର ସ୍ଥାପନ କରାଗଲେ, ବିଦେଶରୁ ଯାତ୍ରୀମାନେ ସୁବିଧାରେ ପହଞ୍ଚିପାରିବେ ଓ ତା ସହିତ ସମୁଦାୟ ବିଶ୍ବରେ ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାର ଏବଂ ପ୍ରସାର ଘଟିବ।

ପୁରୀରେ କାହିଁକି ଆନ୍ତର୍ଜାତିକ ବିମାନ ବନ୍ଦର ହେବା ଉଚିତ୍ ବୋଲି ଯୁକ୍ତି ରଖି ନବୀନ ଆହୁରି କହିଛନ୍ତି ଯେ ଏଠାରୁ ମାତ୍ର ୩୫ କିଲୋମିଟର ଦୂରରେ ବିଶ୍ବ ଐତିହ୍ୟସ୍ଥଳ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିର ରହିଛି। ପୁରୀ କୋଣାର୍କ ରାସ୍ତାରେ ରାମଚଣ୍ଡୀ, ଚନ୍ଦ୍ରଭାଗା ବେଳାଭୂମି, ଜାତୀୟ ଓ ଅନ୍ତର୍ଜାତୀୟ ପର୍ଯ୍ୟଟକଙ୍କ ପାଇଁ ଏକ ଅନନ୍ୟ ଅନୁଭବ। ପୁରୀ ମଧ୍ୟ ଚିଲିକା ଏବଂ ଭିତରକନିକା ଜାତୀୟ ଉଦ୍ୟାନ ପରି ଦୁଇ ଦୁଇଟି ରାମସାର୍ ପ୍ରକଳ୍ପ ସହିତ ସିଧାସଳଖ ସଂପୃକ୍ତ। ଏହି ଦୁଇଟି ସ୍ଥାନରେ ଆନ୍ତର୍ଜାତିକ ପରିବେଶ ପର୍ଯ୍ୟଟନ ପାଇଁ ଭରପୂର ସୁଯୋଗ ରହିଛି। ନିକଟରେ ପର୍ଯ୍ୟଟକମାନଙ୍କୁ ପୁରୀ ବେଳାଭୂମିରେ ଏକ ଅନନ୍ୟ ଅନଭୂତି ଦେବା ପାଇଁ ବ୍ଲୁ ଫ୍ଲାଗ୍ ବିଚ୍ ଭାବେ ବିକଶିତ କରାଯାଇଛି।

ଏହାଭିନ୍ନ ଧଉଳି, ରତ୍ନଗିରି, ଉଦୟଗିରି ପରି ପ୍ରସିଦ୍ଧ ବୌଦ୍ଧ ଐତିହ୍ୟସ୍ଥଳ ମଧ୍ୟ ପୁରୀର ଅତି ନିକଟରେ ଅବସ୍ଥିତ। ଏଠାରୁ ସାରା ବିଶ୍ବକୁ ବୌଦ୍ଧ ପର୍ଯ୍ୟଟକମାନେ ଆସିଥାନ୍ତି। ପୁରୀର ବେଳାଭୂମି ଏବଂ ସୁଦୀର୍ଘ ଉପକୂଳ ଅର୍ଥନୈତିକ କାର୍ଯ୍ୟକ୍ରମ ସହିତ ସ୍ବାସ୍ଥ୍ୟ, ଆଧ୍ୟାତ୍ମିକ ତଥା ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ପର୍ଯ୍ୟାପ୍ତ ସୁଯୋଗ ସୃଷ୍ଟି କରିପାରିବ।

କେନ୍ଦ୍ର ସରକାରଙ୍କ ଉପକୂଳ ଜାତୀୟ ରାଜପଥ ସଂପର୍କରେ ଏହି ଅବସରରେ ନବୀନ ଦୃଷ୍ଟି ଆକର୍ଷଣ କରିଛନ୍ତି। କହିଛନ୍ତି ଯେ ଏହି ଜାତୀୟ ରାଜପଥ ପୁରୀ ଉପକୂଳ ଦେଇ ଯାଉଛି। ଏହା ପାରାଦୀପ ଓ ପ୍ରସ୍ତାବିତ ଅସ୍ତରଙ୍ଗ ବନ୍ଦର ସହିତ ମଧ୍ୟ ସଂଯୁକ୍ତ। ତେଣୁ ଏହି କରିଡରରେ ଅର୍ଥନୈତିକ ବିକାଶର ବିପୁଳ ସୁଯୋଗ ରହିଛି। ଆଧ୍ୟାତ୍ମିକ କାର୍ଯ୍ୟକ୍ରମ, ପର୍ଯ୍ୟଟନ ତଥା ଅର୍ଥନୈତିକ କାର୍ଯ୍ୟକଳାପର କେନ୍ଦ୍ର ଭାବରେ ପୁରୀରେ ଥିବା ବିପୁଳ ସୁବିଧାର ଉପଯୋଗ ପାଇଁ ଏହି ବିମାନ ବନ୍ଦର ବିଶେଷ ସହାୟକ ହେବ। ଏଥିସହିତ ପୁରୀ ଆନ୍ତର୍ଜାତିକ ବିମାନ ବନ୍ଦରରେ ଏକ ପ୍ରାଥମିକତା ପ୍ରକଳ୍ପ ଭାବେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ବିଭାଗ ଗ୍ରହଣ କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଅନୁରୋଧ ଜଣାଇଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ଭୁବନେଶ୍ବରରେ ଆନ୍ତର୍ଜାତିକ ବିମାନ ବନ୍ଦରର ସଂପ୍ରସାରଣ ଲାଗି ଆଉ ବିଶେଷ ସୁଯୋଗ ନାହିଁ। ଏଭଳି ପରିସ୍ଥିତିରେ ପୁରୀ ଏବେ ସରକାରଙ୍କ ଫୋକସ୍‌ ଜିଲ୍ଲାର ମାନ୍ୟତା ପାଇଛି। ଅତି ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ରାଜ୍ୟ ସରକାର ଏ ପ୍ରସ୍ତାବ ଦେବା ପୂର୍ବରୁ ଜମି ସଂକ୍ରାନ୍ତରେ ଠୋସ୍ ନିଷ୍ପତ୍ତି ନେଇସାରିଛନ୍ତି ଓ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଏହା ବୁଲି ଦେଖିଛନ୍ତି। ସେହିଭଳି କେନ୍ଦ୍ର ସରକାରଙ୍କ ସହିତ ଆବଶ୍ୟକ ଯୋଗାଯୋଗ ହୋଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର