ଭୁବନେଶ୍ବର: ଆସନ୍ତା ମାସରେ କେନ୍ଦ୍ର ସରକାର ଚଳିତ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନ କରିବେ। ଏହା ପୂର୍ବରୁ ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଅର୍ଥମନ୍ତ୍ରୀମାନଙ୍କ ସହିତ ପ୍ରାକ୍‌ ବଜେଟ୍‌ ଆଲୋଚନା କରିଛନ୍ତି। ଏହି ଅବସରରେ ଓଡ଼ିଶା ପକ୍ଷରୁ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଯୋଗଦେଇ ବିଭିନ୍ନ ଦାବି ଉପସ୍ଥାପନ କରିଛନ୍ତି। ପ୍ରମୁଖ ଦାବିଗୁଡ଼ିକ ମଧ୍ୟରେ ଓଡ଼ିଶାକୁ ସେମିକଣ୍ଡକ୍ଟର ଶିଳ୍ପକୁ ଆକର୍ଷିତ କରିବା ସହିତ ଏକ ଅନ୍ତର୍ଜାତୀୟ ନିବେଶ କେନ୍ଦ୍ରରେ ପରିଣତ ପାଇଁ ଉପଯୁକ୍ତ ପ୍ରୋତ୍ସାହନ ପ୍ରଦାନ ସହିତ ପାରାଦୀପ ବନ୍ଦରର ସମ୍ପ୍ରସାରଣ ନିମନ୍ତେ କେନ୍ଦ୍ର ସରକାରଙ୍କ ବିଶେଷ ସହାୟତା ମାଗିଛନ୍ତି। ରାଜ୍ୟରେ ଭିତ୍ତିଭୂମି ବିକାଶକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ ପୁଞ୍ଜିନିବେଶ ନିମନ୍ତେ ସ୍ୱତନ୍ତ୍ର ସହାୟତା ଯୋଜନା(ଏସ୍‌ଏସିଆଇ) ୨୦୨୪-୨୫ ଅଧୀନରେ ରାଜ୍ୟକୁ ଅଧିକ ରାଶି ଆବଣ୍ଟନ କରିବାକୁ କହିଛନ୍ତି। କେନ୍ଦ୍ର ବଜେଟରେ କେନ୍ଦ୍ର ପ୍ରାୟୋଜିତ ଯୋଜନା (ସିଏସ୍‌ଏସ୍‌) ଅଧୀନରେ ରାଜ୍ୟୱାରି ବାର୍ଷିକ ଆବଣ୍ଟନର ଆଗୁଆ ସୂଚନା ଦେବାକୁ କୁହାଯାଇଛି। ଏହା ରାଜ୍ୟମାନଙ୍କୁ ସେମାନଙ୍କର ବଜେଟ୍‌କୁ ବାସ୍ତବ ଭିତ୍ତିରେ ପ୍ରସ୍ତୁତ ଏବଂ ପାଣ୍ଠିର ସମୟାନୁବର୍ତ୍ତୀ ଉପଯୋଗ କରିବାରେ ସହାୟକ ହେବ। ଏଥିସହିତ ସମ୍ବଲପୁର ଠାରେ ଦ୍ୱିତୀୟ ଏମ୍ସ (ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ପ୍ରତିଷ୍ଠାନ) ସ୍ଥାପନ ପାଇଁ କେନ୍ଦ୍ର ବଜେଟ ୨୦୨୪-୨୫ରେ ଉପଯୁକ୍ତ ବ୍ୟବସ୍ଥା କରିବାକୁ କୁହାଯାଇଛି।

Advertisment

ସମ୍ବଲପୁରରେ ଦ୍ବିତୀୟ ଏମ୍ସ ପ୍ରତିଷ୍ଠା
ଗ୍ରିନ୍ ଏନର୍ଜି କରିଡର ପାଇଁ କେନ୍ଦ୍ରୀୟ ସହାୟତା
ସୁଭଦ୍ରା ଯୋଜନା ନିମନ୍ତେ ଆଂଶିକ ଅର୍ଥରାଶି
ପାରାଦୀପ ବନ୍ଦରର ସଂପ୍ରସାରଣ
ଉପକୂଳ ରାଜପଥ ଏବଂ କ୍ୟାପିଟାଲ୍ ରିଜିଅନ୍ ରିଙ୍ଗ୍ ରୋଡ୍ ପ୍ରକଳ୍ପ ନିମନ୍ତେ ପଦକ୍ଷେପ

ଓଡ଼ିଶାରେ ଜାତୀୟ ରାଜପଥ, ଉପକୂଳ ରାଜପଥ ଏବଂ କ୍ୟାପିଟାଲ୍ ରିଜିଅନ୍ ରିଙ୍ଗ୍ ରୋଡ୍‌ ପ୍ରକଳ୍ପର ଶୀଘ୍ର ସମାପ୍ତି ନିମନ୍ତେ ପଦକ୍ଷେପକୁ ମଧ୍ୟ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କହିଛନ୍ତି। ସେହିଭଳି ସୁଭଦ୍ରା ଯୋଜନା ମାଧ୍ୟମରେ ମହିଳା ସଶକ୍ତୀକରଣ ପାଇଁ କେନ୍ଦ୍ର ସରକାରଙ୍କ ଆଂଶିକ ସହାୟତା ମଧ୍ୟ ମାଗିଛନ୍ତି। ଏଥିସହିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମ୍‌ଏୱାଇ) ଯୋଜନା ଅଧୀନରେ ଓଡ଼ିଶାର ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳ ପାଇଁ ଅତି କମରେ ୫ ଲକ୍ଷ ଘର ନିର୍ମାଣ ପାଇଁ କେନ୍ଦ୍ର ବଜେଟରେ ଆବଶ୍ୟକ ରାଶି ଆବଣ୍ଟନ କରିବା ଲାଗି ପ୍ରସ୍ତାବ ରଖିଛନ୍ତି। ଓଡ଼ିଶାରେ ନୂତନ ସହରର ବିକାଶ ଏବଂ ଦ୍ରୁତ ସହରୀକରଣ ପାଇଁ କେନ୍ଦ୍ର ସରକାରଙ୍କ ସହାୟତା ସହିତ ଓଡ଼ିଶାରେ ବିଦ୍ୟୁତ୍ କ୍ଷେତ୍ର ସମସ୍ୟାର ସମାଧାନ ନିମନ୍ତେ ସଂଶୋଧିତ ବିତରଣ ସେକ୍ଟର ସ୍କିମ୍ (ଆର୍‌ଡିଏସ୍‌ଏସ୍‌) ଅଧୀନରେ ରାଜ୍ୟର ବିଦ୍ୟୁତ ବିତରଣ ସଂସ୍ଥା (ଡିସ୍‌କମ୍‌) ଗୁଡ଼ିକୁ ଅନ୍ତର୍ଭୁକ୍ତ କରିବା, ସବୁଜ ହାଇଡ୍ରୋଜେନ ଭଳି ନୂତନ ପ୍ରଯୁକ୍ତିବିଦ୍ୟା ପାଇଁ ଆର୍ଥିକ ସହାୟତା ଏବଂ ଓଡ଼ିଶାରେ ଗ୍ରିନ୍ ଏନର୍ଜି କରିଡର ପ୍ରକଳ୍ପ ପାଇଁ କେନ୍ଦ୍ରୀୟ ଅର୍ଥ ପ୍ରଦାନ କରିବାକୁ କହିଛନ୍ତି। ଓଡ଼ିଶା ସରକାରଙ୍କ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ବିଶାଲ ଦେବ ଉପମୁଖ୍ୟମନ୍ତ୍ରୀଙ୍କ ସହ ଏହି ବୈଠକରେ ଯୋଗ ଦେଇଥିଲେ । ଓଡ଼ିଶା ପକ୍ଷରୁ ରାଜ୍ୟର ଅର୍ଥନୀତି, ବିକାଶ ପ୍ରସଙ୍ଗକୁ ନେଇ ଏକ ଲିଖିତ ସ୍ମାରକପତ୍ର କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ନିକଟରେ ଦାଖଲ କରାଯାଇଥିଲା। ପରିଶେଷରେ, କେନ୍ଦ୍ର ଅର୍ଥମନ୍ତ୍ରୀ ରାଜ୍ୟ ପକ୍ଷରୁ ଉପସ୍ଥାପିତ ସମସ୍ତ ଦାବି ଏବଂ ପରାମର୍ଶଗୁଡିକ ଅନୁଧ୍ୟାନ କରି ଉପଯୁକ୍ତ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଥିଲେ।