ରେଳ ମାନଚିତ୍ରରୁ ବାଦ୍‌ ଜିଲ୍ଲାକୁ ସାମିଲ୍‌ କେବେ? ପ୍ରସ୍ତାବରେ ଅଟକିଛି ବ୍ରହ୍ମପୁରରୁ ୩ ନୂଆ ପ୍ରକଳ୍ପ

ବ୍ରହ୍ମପୁର : ଓଡ଼ିଶା ଗସ୍ତରେ ଆସିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। କେନ୍ଦ୍ରମନ୍ତ୍ରୀଙ୍କ ଠାରୁ ଓଡ଼ିଶା ବହୁ ଆଶା ରଖିଥିବାବେଳେ ରେଳ ମାନଚିତ୍ରରୁ ବାଦ୍‌ ପଡ଼ିଥିବା ଦକ୍ଷିଣ ଓଡ଼ିଶାର ଜିଲ୍ଲାଗୁଡ଼ିକୁ ରେଳ ଲାଇନ୍‌ ସଂଯୋଗ ଆଶା ଉଜ୍ଜୀବିତ ହୋଇଛି। ଦକ୍ଷିଣ ଓଡ଼ିଶାର ବ୍ରହ୍ମପୁର ଠାରୁ ୩ଟି ନୂତନ ରେଳ ଲାଇନ୍‌ ପ୍ରସ୍ତାବ ରହିଛି। ଦକ୍ଷିଣ ଓଡ଼ିଶାକୁ ପଶ୍ଚିମ ଓଡ଼ିଶା ସହିତ ସଂଯୋଗ କରିବା ପାଇଁ ବ୍ରହ୍ମପୁର-ସମ୍ବଲପୁର ରେଳ ଲାଇନ୍‌ ପ୍ରକଳ୍ପକୁ କେନ୍ଦ୍ର ରେଳ ମନ୍ତ୍ରାଳୟର ମୋହର ମିଳିଛି। କିନ୍ତୁ ବର୍ତ୍ତମାନ ସୁଦ୍ଧା କାମ ଆଗେଇ ପାରୁନାହିଁ। ଏବେ ଓଡ଼ିଶାକୁ ରେଳ ବିଭାଗ ମିଳିବା ପରେ ବ୍ରହ୍ମପୁର-ସମ୍ବଲପୁର ରେଳ ପ୍ରକଳ୍ପ କାମ ତ୍ବରାନିତ ହେବ ବୋଲି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ନିବାସୀ ସୂଚନା ଅଧିକାର କର୍ମୀ ତଥା ଆଇନଜୀବୀ ବି. ଶଙ୍କର ପାତ୍ର ଆଶା ପୋଷଣ କରିଛନ୍ତି। ସେହିପରି ବ୍ରହ୍ମପୁର-ତାଳଚେର ଏବଂ ବ୍ରହ୍ମପୁର-ରାୟଗଡ଼ା ଦୁଇଟି ନୂତନ ରେଳ ପ୍ରକଳ୍ପ ମଧ୍ୟ ପ୍ରସ୍ତାବରେ ରହିଛି।

ବ୍ରହ୍ମପୁର-ସମ୍ବଲପୁର ରେଳ ପ୍ରକଳ୍ପ ପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ଗତ ୨୦୧୦-୧୧ରେ ପ୍ରାଥମିକ ସର୍ଭେ କରିବା ପାଇଁ ପୂର୍ବତଟ ରେଳ ବିଭାଗକୁ ଅନୁମତି ମିଳିଥିଲା। ସର୍ଭେ ପରେ ରେଳ ମନ୍ତ୍ରାଳୟ ନିକଟରେ ରିପୋର୍ଟ ଦାଖଲ କରାଯାଇଥିଲା। ଏହି ନୂତନ ରେଳ ପ୍ରକଳ୍ପରେ ୧୬ଟି ଷ୍ଟେସନ୍‌ ରହିବ ବୋଲି ପ୍ରସ୍ତାବ ରହିଛି। ଏଥିପାଇଁ ଜଗନ୍ନାଥପୁରରୁ ରେଢ଼ାଖୋଲ ପର୍ଯ୍ୟନ୍ତ ନୂତନ ରେଳପଥ ବିଛାଯିବ। ଏହି ଉଭୟ ଷ୍ଟେସନ୍‌ ମଧ୍ୟରେ ହିଂଜିଳି, ଆସିକା, ଭଞ୍ଜନଗର, ଚକାପାଦ, ଫୁଲବାଣୀ, ସାନମୁଣ୍ଡା, ବୌଦ୍ଧ, କଦଳୀଗଡ଼ ରହିବ। ଫଳରେ ରେଳ ମାନଚିତ୍ରରୁ ବାଦ୍‌ ପଡ଼ିଥିବା କନ୍ଧମାଳ ଓ ବୌଦ୍ଧ ଜିଲ୍ଲା ଏଥିରେ ସାମିଲ ହୋଇପାରିବ। ଏହି ନୂତନ ପ୍ରକଳ୍ପ ୨୪୧ କିଲୋମିଟର୍‌ ହେବ ବୋଲି ସୂଚନା ଅଧିକାର କର୍ମୀ ଶ୍ରୀ ପାତ୍ରଙ୍କ ଦ୍ବାରା ଆର୍‌ଟିଆଇରେ ମଗାଯାଇଥିବା ତଥ୍ୟରୁ ଜଣାପଡ଼ିଛି। ଅନ୍ୟପଟେ ଏହି ରେଳପଥକୁ ଜଗନ୍ନାଥପୁରରୁ ଗୋପାଳପୁରକୁ ସଂପ୍ରସାରଣ କରିବାକୁ ମଧ୍ୟ ପ୍ରସ୍ତାବ ରଖାଯାଇଛି। ଓଡ଼ିଶା ରେଳ ଭିତ୍ତିଭୂମି ବିକାଶ ଲିମିଟେଡ୍ (ଓରିଡିଏଲ୍‌) ଦ୍ୱାରା ଏହାର ଫାଇନାଲ୍‌ ଲୋକେସନ୍‌ ସର୍ଭେ ଜାରି ରହିଛି। ସର୍ଭେ ସରିବା ପରେ ନୀତି ଆୟୋଗ ନିକଟରେ ସର୍ଭେ ରିପୋର୍ଟ ଦାଖଲ କରାଯିବ ବୋଲି ସୂଚନା ମିଳିଛି।

ସେହିପରି ଗୋପାଳପୁର-ରାୟଗଡ଼ା ନୂତନ ପ୍ରକଳ୍ପ ପାଇଁ ମଧ୍ୟ ଗତ ୨୦୧୩ରେ ସର୍ଭେ କରାଯାଇଥିଲା। ନୂତନ ଭାବେ ୧୮୦କିମି ରେଳ ଲାଇନ୍‌ ବିଛାଇବା ପାଇଁ ସର୍ଭେରେ ପ୍ରସ୍ତାବ ରହିଛି। ସେହିଭଳି ଗୋପାଳପୁର-ତାଳଚେର ନୂତନ ରେଳପଥ ପାଇଁ ମଧ୍ୟ ୩ଥର ସର୍ଭେ ହୋଇଛି। ପ୍ରାୟ ୨ଶହ କିମିର ଏହି ନୂତନ ପ୍ରକଳ୍ପ ମଧ୍ୟରେ ୨୨ଟି ଷ୍ଟେସନ୍‌ ନିର୍ମାଣ ପ୍ରସ୍ତାବରେ ରହିଛି। ଓଡ଼ିଶାକୁ ରେଳବାଇ ମନ୍ତ୍ରାଳୟ ମିଳିବା ପରେ ଦକ୍ଷିଣ ଓଡ଼ିଶାର ଏହି ୩ଟି ପ୍ରକଳ୍ପ କାର୍ଯ୍ୟ ତ୍ବରାନ୍ବିତ ହେବ ବୋଲି ସାଧାରଣରେ ଆଶା ସଞ୍ଚାର ହୋଇଛି।

ସମ୍ବନ୍ଧିତ ଖବର