ଭୁବନେଶ୍ବର : ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ମୁଖ୍ୟାଳୟ ପଶ୍ଚିମ ଓଡ଼ିଶାରେ ସ୍ଥାପନ ଓ ସଂପୂର୍ଣ୍ଣ ପରିଷଦ ଗଠନ କରିବାର ପ୍ରସ୍ତାବ ରାଜ୍ୟ ସରକାରଙ୍କ ବିଚାରାଧୀନ ଅଛି ବୋଲି ଯୋଜନା ଓ ସଂଯୋଜନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି।
ଉପରୋକ୍ତ ଦୁଇଟି ଦାବି ନେଇ ପଶ୍ଚିମ ଓଡ଼ିଶାବାସୀ ଦୀର୍ଘ ଦିନ ହେଲା ଦାବି କରୁଥିବା ବେଳେ ଗୁରୁବାର ବିଧାନସଭାରେ ବିଧାୟକ ସନ୍ତୋଷ ସିଂହ ସାଲୁଜାଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତର ଦେଇ ବିଭାଗୀୟ ମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି ଯେ, ବିଧାୟକମାନଙ୍କ ସୁପାରିଶକ୍ରମେ ପରିଷଦ ଅନୁମୋଦନ କରିଥିବା ୨୦୧୯-୨୦ ଓ ୨୦୨୦-୨୧ର ପ୍ରକଳ୍ପର ଠିକ୍ ଫିଜିବିଲିଟି ରିପୋର୍ଟ ମିଳିଲା ପରେ ସଂପୃକ୍ତ ଜିଲ୍ଲାଗୁଡ଼ିକୁ ପ୍ରକଳ୍ପର କାର୍ଯ୍ୟକାରିତା ପାଇଁ ଅର୍ଥ ଯୋଗାଇ ଦିଆଯାଉଛି। ବିଧାୟକମାନଙ୍କର ଅନୁମୋଦନପ୍ରାପ୍ତ ପ୍ରକଳ୍ପଗୁଡ଼ିକ ମଧ୍ୟରୁ କୌଣସି ଡାଇଭରସନ୍ ପ୍ରୋପୋଜାଲ ଅାସିଲେ ପୂର୍ବରୁ ଅନୁମୋଦିତ ହୋଇଥିବା ପ୍ରକଳ୍ପର ସଂପୂର୍ଣ୍ଣ ବିବରଣୀ ଜିଲ୍ଲା ଅଧିକାରୀଙ୍କ ଠାରୁ ମଗାଯାଇଥାଏ। ଯଦି ଏହା କାର୍ଯ୍ୟ ଉପଯୋଗୀ ହୋଇନଥାଏ ତେବେ ବିଧାୟକଙ୍କ ନୂତନ ପ୍ରସ୍ତାବକୁ ଅନୁମୋଦନ କରିବାକୁ ପଦକ୍ଷେପ ନିଆଯାଏ।
ସେହିପରି ପଶ୍ଚିମ ଓଡ଼ିଶା ବିକାଶ ପରିଷଦକୁ ୧୧ଜଣ ବିଧାୟକ ଏବଂ ଦୁଇ ଜଣ ସାଂସଦ ମନୋନୀତ ହେବାର ନିୟମ ଥିଲେ ହେଁ ଏହାକୁ କାହିଁକି କାର୍ଯ୍ୟକାରୀ କରାଯାଇନି ବୋଲି ବିଧାୟକ ନରସିଂହ ମିଶ୍ର ଓ ମୁକେଶ ମହାଲିଙ୍ଗଙ୍କ ଭିନ୍ନ ଭିନ୍ନ ଲିଖିତ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି ଯେ, ଏହା ଏବେ ବିଚାରାଧିନ ଅଛି।
ପରିଷଦର ପୂର୍ଣ୍ଣାଙ୍ଗ ଗଠନ ପାଇଁ ପଶ୍ଚିମ ଓଡ଼ିଶାର ଅଭିଜ୍ଞତା ସଂପନ୍ନ ବିଭିନ୍ନ କ୍ଷେତ୍ରର ୧୦ଜଣ ବିଶେଷଜ୍ଞଙ୍କୁ ସରକାର କେବେ ସୁଦ୍ଧା ମନୋନୀତ କରିବେ ବୋଲି ଶ୍ରୀ ମହାଲିଙ୍ଗଙ୍କ ଲିଖିତ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ, ୨୦୧୯-୨୦ ଠାରୁ ଆଜି ପର୍ଯ୍ୟନ୍ତ ଜଣେ ବିଶେଷଜ୍ଞ ସଦସ୍ୟଙ୍କୁ ମନୋନୀତ କରାଯାଇଛି। ଅବଶିଷ୍ଟ ସଦସ୍ୟ ମନୋନୀତ କରିବାର ପ୍ରକ୍ରିୟା ବିଚାରାଧିନ ଅଛି। ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ମୁଖ୍ୟ କାର୍ଯ୍ୟାଳୟ ଭୁବନେଶ୍ବରରୁ କେବେ ସ୍ଥାନାନ୍ତର ହେବ ସେନେଇ ଶ୍ରୀ ମହାଲିଙ୍ଗଙ୍କ ପ୍ରଶ୍ନର ଉତ୍ତର ରଖି ମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି ଯେ, ଯୋଜନା ସଂଯୋଜନା ବିଭାଗର ୨.୭.୧୯୯୯ରେ ପ୍ରକାଶ ପାଇଥିବା ବିଜ୍ଞପ୍ତି ନଂ- ୮୬୯୬/ପି ଅନୁଯାୟୀ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ମୁଖ୍ୟ କାର୍ଯ୍ୟାଳୟ ଭୁବନେଶ୍ବରରେ ସ୍ଥାପିତ ହୋଇଅଛି। ଏହାକୁ ସ୍ଥାନାନ୍ତରିତ କରିବା ପ୍ରସଙ୍ଗ ଏବେ ବିଚାରାଧିନ ଅଛି।