ପଞ୍ଚାୟତ ନିର୍ବାଚନୀ ଖର୍ଚ୍ଚ ବଢ଼ାଇବାକୁ ପ୍ରସ୍ତାବ

ସବୁ ରାଜନୈତିକ ଦଳକୁ ନେଇ ବୈଠକ
ତ୍ରୁଟିଶୂନ୍ୟ ଭୋଟର ତାଲିକା‌ ପ୍ରସ୍ତୁତି ନେଇ ଗୁରୁତ୍ବାରୋପ
ନିର୍ବାଚନର ୭ଦିନ ପୂର୍ବରୁ ମଦ ବନ୍ଦ ହେଉ

ଭୁବନେଶ୍ବର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ଶନିବାର ଦିନ ରାଜ୍ୟ ନିର୍ବାଚନ କମିସନ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ସମସ୍ତ ରାଜନୈତିକ ଦଳଗୁଡ଼ିକର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।

ଏହି ବୈଠକରେ ପଞ୍ଚାୟତ ନିର୍ବାଚନରେ ନିର୍ଭୁଲ ଏବଂ ଠିକ୍ ଭୋଟର ତାଲିକା ପ୍ରସ୍ତୁତିରେ କମିସନର ଦଳଗୁଡ଼ିଙ୍କର ପରାମର୍ଶ ଓ ସହଯୋଗ ଲୋଡ଼ିଥିଲେ। ସହ‌େଯାଗ ପାଇଁ ପ୍ରତିନିଧିମାନେ ପ୍ରତିଶ୍ରୁତି ଦେଇଥିଲେ। ଆସନ୍ତା ନିର୍ବାଚନରେ ପ୍ରାର୍ଥୀଙ୍କ ନିର୍ବାଚନୀ ଖର୍ଚ୍ଚ ସୀମା ବୃଦ୍ଧି ପାଇଁ ସେମାନେ ପ୍ରସ୍ତାବ ଦେଇଥିଲେ । ସରପଞ୍ଚ ଓ ସମିତି ସଭ୍ୟଙ୍କ ଖର୍ଚ୍ଚ ୮୦ହଜାର ଥିବାବେଳେ ଏହାକୁ ୨ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଉ। ଜିଲ୍ଲା ପରିଷଦ ସଭ୍ୟଙ୍କ ନିର୍ବାଚନୀ ଖର୍ଚ୍ଚ ୨ଲକ୍ଷ ଟଙ୍କା ଥିବାବେଳେ ଏହାକୁ ୫ଲକ୍ଷ ଟଙ୍କାକୁ ବଢ଼ାଯାଉ।
ଏଥର ନିର୍ବାଚନ ଯେପରି ମଦମୁକ୍ତ ହେବ ସେନେଇ ନିର୍ବାଚନ କମିସନ ପଦକ୍ଷେପ ନେବାକୁ ବିଭିନ୍ନ ଦଳ ପ୍ରସ୍ତାବ ଦେଇଛନ୍ତି। ଯେଉଁ ଅଞ୍ଚଳରେ ନିର୍ବାଚନ ହେବ ସେଠାରେ ୭ଦିନ ପୂର୍ବରୁ ମଦ ବିକ୍ରି ବନ୍ଦ କରଯାଉ, ଭୋଟ୍ ଗ୍ରହଣ ସମୟ ସୀମା ସକାଳ ୭ଟାରୁ ଅପରରାହ୍ନ ୨ଟା ପର୍ଯ୍ୟନ୍ତ କରାଯାଉ। ବହୁ ସ୍ଥାନରେ ନକଲି ଭୋଟ୍‌ ପରିଚୟ ପତ୍ର ବ୍ୟବହାର ହେଉଥିବାରୁ ଏହାକୁ ରୋକାଯାଉ, ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟାରେ ୯୨ହଜାର ୫୦ଟି ୱାର୍ଡ ଏବଂ ୬୭୯୮ଟି ଗ୍ରାମପଞ୍ଚାୟତର ନିର୍ବାଚନ ପ୍ରକ୍ରିୟା ଦଳୀୟ ଆଧାରରେ ହେଉନଥିବାରୁ ଏହାର ନିର୍ବାଚନୀ ଖର୍ଚ୍ଚ ରାଜ୍ୟ ସରକାର ବହନ କରନ୍ତୁ ବୋଲି ପ୍ରସ୍ତାବ ଦିଆଯାଇଥିଲା। ଶ୍ରୀ ପାଢ଼ୀ କହିଛନ୍ତି ସମସ୍ତ ପ୍ରସ୍ତାବକୁ ବିଚାର କରି ପରବର୍ତ୍ତୀ ସମୟରେ ପଦକ୍ଷେପ ‌ନିଆଯିବ।

ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକର ଅବଧି, ଭୋଟ୍‌ ଗ୍ରହଣ କେନ୍ଦ୍ର ଚିହ୍ନଟ, ଭୋଟର ତାଲିକା ପ୍ରସ୍ତୁତି, ଭୋଟ ଗ୍ରହଣ ଅବଧି, ନିର୍ବାଚନୀ ଖର୍ଚ୍ଚ ଓ ଯାନବାହନ ବ୍ୟବହାର ଏବଂ ଅନ୍ୟାନ୍ୟ ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା।

ଏଥର ନିର୍ବାଚନରେ ପୂର୍ବଥର ପରି ପ୍ରତ୍ୟେକ ୱାର୍ଡ ପାଇଁ ଗୋଟିଏ ଭୋଟ୍‌ ଗ୍ରହଣ କେନ୍ଦ୍ର କରାଯିବ। ଏହି ଭୋଟ୍‌ ଗ୍ରହଣ କେନ୍ଦ୍ରଗୁଡ଼ିକ ଯେପରି ସରକାରୀ/ଅର୍ଦ୍ଧ ସରକାରୀ ଅନୁଷ୍ଠାନରେ ହେବ ସେଥିପ୍ରତି ଜିଲ୍ଲାପାଳମାନେ ଦୃଷ୍ଟି ଦେବେ। ଏ ସଂକ୍ରାନ୍ତରେ କମିସନ ପ୍ରତ୍ୟେକ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ନୂତନ ତଥା ଠିକ୍ ଓ ତ୍ରୁଟି ଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି କରିବା, ନୂତନ ଭୋଟରଙ୍କ ନାମ ଭୋଟର ତାଲିକାରେ ସ୍ଥାନ ଦେବା ନେଇ ବୈଠକରେ ଆଲୋଚନା ହୋଇଥିଲା। କମିସନଙ୍କ ଦ୍ବାରା ଧାର୍ଯ୍ୟ ତାରିଖ ସୁଦ୍ଧା ଯେଉଁ ପୁରୁଷ ଓ ମହିଳାଙ୍କ ବୟସ ୧୮ବର୍ଷ ହୋଇଥିବ ସେମାନଙ୍କ ନାମ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ କରିବା ପାଇଁ ସୁଯୋଗ ରହିବ। ଏଥିପାଇଁ ୧ ନଭେମ୍ବର ୨୦୨୧କୁ ଯୋଗ୍ୟତା ତାରିଖ ରୂପେ ରଖିବା ପାଇଁ ବୈଠକରେ ଦଳଗୁଡ଼ିକର ମତ ଲୋଡ଼ା ଯାଇଥିଲା। ସମସ୍ତ ସଂଶୋଧନ ପରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ ବୋଲି କୁହାଯାଇଥିଲା।

ବୈଠକରେ ୧୮ଟି ରାଜନୈତିକ ଦଳର ୨୭ଜଣ ପ୍ରତିନିଧିଙ୍କ ସମେତ ରାଜ୍ୟ ନିର୍ବାଚନ କମିସନଙ୍କ ସଚିବ ରବୀନ୍ଦ୍ର ନାଥ ସାହୁ, ସ୍ବତନ୍ତ୍ର ସଚିବ ରଘୁରାମ ଆର୍‌. ଆୟାର, ଉପସଚିବ ଆଜାଦ୍ ହିନ୍ଦ୍‌ ପାଣିଗ୍ରାହୀ, ଆଇନ ଅଧିକାରୀ ମାଧୁରୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର