ରାଜ୍ୟରେ ୨୯୧୧ ଗୋଷ୍ଠୀ ଉଠାଜଳସେଚନ ପ୍ରକଳ୍ପ ନିର୍ମାଣ ପ୍ରସ୍ତାବ ଅନୁମୋଦିତ

ଭୁବନେଶ୍ବର : ରାଜ୍ୟରେ ୨୯୧୧ ଗୋଷ୍ଠୀ ଉଠା ଜଳସେଚନ ପ୍ରକଳ୍ପ ନିର୍ମାଣ ପାଇଁ ପ୍ରସ୍ତାବ ଅନୁମୋଦିତ ହୋଇଛି। ବିଜୁ କୃଷକ ବିକାଶ ଯୋଜନାରେ ଉଠା ଜଳସେଚନ ପ୍ରକଳ୍ପ ନିର୍ମାଣ ପାଇଁ ରାଜ୍ୟସ୍ତରୀୟ ଚୟନ କମିଟି ବୈଠକରେ ଏହି ନିଷ୍ପତ୍ତି ହୋଇଛି। ବିଭାଗୀୟ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ୨୦୨୨ଟି ନଦୀ ଉଠା ଜଳସେଚନ, ୬୨୭ଟି ନଳକୂଅ ପ୍ରକଳ୍ପ ନିର୍ମାଣ ପାଇଁ ଚୟନ କମିଟିରେ ଅନୁମୋଦିତ ହୋଇଛି।

ରାଜ୍ୟରେ କେବିକେ ଅଞ୍ଚଳର ୬ ଜିଲ୍ଲା, ଅଣକେବିକେ ଅଞ୍ଚଳର ୨୧ଟି ଜିଲ୍ଲାକୁ ମିଶାଇ ସମୁଦାୟ ୨୭ ଜିଲ୍ଲାର ୨୨୧ଟି ବ୍ଲକ୍‌ରେ ବିକେବିଓ୍ବାଇ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି। ଏ ବାବଦରେ ୯୮,୧୯୫.୧୧ ଲକ୍ଷ ଟଙ୍କା ଖର୍ଚ ହେବ। ଏଥିଯୋଗୁଁ ନକ୍ସାଙ୍କନ କରାଯାଇଥିବା ୫୬ ହଜାର ୮୯୦ ହେକ୍ଟର ଆୟକଟ ଅଂଶକୁ ଅତିରିକ୍ତ ଜଳସେଚନ ସୁବିଧା ମିଳିବ। ନାବାର୍ଡର ରାଜ୍ୟ ଗ୍ରାମୀଣ ଭିତ୍ତିଭୂମି ଉନ୍ନୟନ ସହାୟତା ପାଣ୍ଠି ଅର୍ଥରେ ଏହାର ନିର୍ମାଣ ହେବ। ଏଥିସହିତ ଜଳବାୟୁ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ପୋଷଣୀୟ ଜଳସେଚନ ସୁବିଧା ପାଇଁ ୨୬୨ ପ୍ରକଳ୍ପ ନିର୍ମାଣ ପ୍ରସ୍ତାବ କାର୍ଯ୍ୟକାରୀ ପାଇଁ ନିଷ୍ପତ୍ତି ହୋଇଥିବା ଉଠାଜଳସେଚନ ବିଭାଗ ଶାସନ ସଚିବ ଅନୁ ଗର୍ଗ ସୂଚନା ଦେଇଛନ୍ତି। ଏଥିରେ ଉଠାଜଳସେଚନ ନିଗର ପରିଚାଳନା ନିର୍ଦେଶିକା ଅର୍ଚନା ପଟନାୟକ, କାର୍ଯ୍ୟନିର୍ବାହୀ ନିର୍ଦେଶକ ଇଂ ବାଲେଶ୍ବର ନାଥ ସାହୁ, ଅତିରିକ୍ତ ଶାସନ ସଚିବ ସୁବ୍ରତ ପଣ୍ଡା, ବିଶ୍ବଜିତ ବିଶ୍ବାଳ ସମେତ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର