ଭୁବନେଶ୍ବର: ଝାରସୁଗୁଡ଼ାଠାରେ ପ୍ରସ୍ତାବିତ କାର୍ଡିଆକ୍ କେୟାର ହସ୍ପିଟାଲର ପରିଚାଳନା ଦାୟିତ୍ବରୁ ଏକାଧିକ ସଂସ୍ଥା ଓହରିବାକୁ ଲାଗିଛନ୍ତି। ପୂର୍ବରୁ ଏହାର ପରିଚାଳନା ଦାୟିତ୍ବରୁ କେୟାର ହସ୍ପିଟାଲ ଓହରି ଯାଇଥିବା ବେଳେ ଏବେ ସେବା ପ୍ରଦାନକାରୀ ସଂସ୍ଥା କ୍ବାଲିଟି କେୟାର ଓହରିଯିବାକୁ ନିଷ୍ପତ୍ତି ନେଇଛି। ଏ ନେଇ ସ୍ବାସ୍ଥ୍ୟ ବିଭାଗ ସହିତ ସଂସ୍ଥାର ଏକାଧିକ ଥର ଆଲୋଚନା ହୋଇଛି। କ୍ବାଲିଟି କେୟାର ପକ୍ଷରୁ ଯେଉଁ କ୍ଷତିପୂରଣ ଦାବି କରାଯାଇଛି ତାହାର ହିସାବ ମଧ୍ୟ ହୋଇସାରିଛି। ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏ ସଂପର୍କରେ ଆଇନ ବିଭାଗର ମତାମତ ଲୋଡ଼ା ଯାଇଛି ବୋଲି ଜଣାପଡ଼ିଛି।
ବିଭାଗ ପକ୍ଷରୁ କୁହାଯାଇଛି ଯେ ଏକ ନୂଆ ସେବା ପ୍ରଦାନକାରୀ ସଂସ୍ଥାକୁ ଏହାର ଦାୟିତ୍ବ ଦିଆଯିବ। ନିକଟରେ ମେକ୍ ଇନ ଓଡ଼ିଶା ସମ୍ମିଳନୀରେ ଅନେକ ସଂସ୍ଥା ଅଂଶଗ୍ରହଣ କରିଥିଲେ। ଆଇନ ବିଭାଗର ଅନୁମୋଦନ ପରେ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହେବ। ଆସନ୍ତା ଜାନୁଆରି ୫ତାରିଖ ସୁଦ୍ଧା ନୂଆ ସଂସ୍ଥାର ଚୟନ କରାଯିବା ଉପରେ ଗୁରୁତ୍ବ ଦିଆଯାଇଛି। ଅପରପକ୍ଷରେ ହସ୍ପିଟାଲର ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇସାରିଛି। ନିର୍ମାଣକାରୀ ସଂସ୍ଥା ପକ୍ଷରୁ ଅଗ୍ନିସେବା ସାର୍ଟିଫିକେଟ୍ ପାଇଁ ଆବେଦନ କରାଯାଇଥିଲା ଓ ଅଗ୍ନିଶମ ବିଭାଗ ପକ୍ଷରୁ କ୍ଷେତ୍ର ପରିଦର୍ଶନ ମଧ୍ୟ ହୋଇସାରିଛି। ତେବେ ସାଇଟ୍ ସେଫ୍ଟି ସୁପରଭାଇଜରଙ୍କ ନିଯୁକ୍ତି ହୋଇ ନ ଥିବାରୁ ଅଗ୍ନିସେବା ସାର୍ଟିଫିକେଟ୍ ମିଳିପାରିନାହିଁ। ତେବେ ଝାରସୁଗୁଡ଼ା ଜିଲ୍ଲାପାଳ ଓ ସିଡିଏମ୍ଓ ମିଳିତଭାବେ ସାଇଟ୍ ସେଫ୍ଟି ସୁପରଭାଇଜରଙ୍କ ତୁରନ୍ତ ନିଯୁକ୍ତି ନେଇ ନିଷ୍ପତ୍ତି ନେବାକୁ କୁହାଯାଇଛି।
ସେହିପରି କାର୍ଡିଆକ୍ ହସ୍ପିଟାଲ ପାଇଁ ୮୪ ପ୍ରକାରର ଆଇଟମ୍ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପ୍ରଦାନ କରାଯାଇଛି। ଆଉ ୧୧ଟି ଆଇଟମ୍ର ଟେଣ୍ଡର ନେଇ ବର୍ତମାନ ପାଇଁ କୌଣସି ନିଷ୍ପତ୍ତି ହୋଇ ନ ଥିବା ବେଳେ ୧୭ଟି ଆଇଟମ୍ର ଟେଣ୍ଡର ପ୍ରକ୍ରିୟା ଜାରି ରହିଛି। ୨୧ଟି ଆଇଟମ୍ର ପୁନଃ ଟେଣ୍ଡର କରାଯିବା ସହିତ ନୂଆ ସେବା ସଂସ୍ଥାର ନିଯୁକ୍ତି ପରେ ଆଉ ୨୬ଟି ଆଇଟମ୍ ବିଷୟରେ ନିଷ୍ପତ୍ତି ନିଆଯିବ। କ୍ୟାଥଲାବ୍କୁ ଭିମ୍ସାରକୁ ପଠାଇ ଦିଆଯାଇଛି। ହସ୍ପିଟାଲ ପାଇଁ ଆଉ ଏକ ନୂଆ କ୍ୟାଥଲାବ୍ ପାଇଁ ଟେଣ୍ଡର କରାଯିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ କାର୍ଡିଆକ୍ କେୟାର ହସ୍ପିଟାଲର ପରିଚାଳନା ଦାୟିତ୍ବରୁ କେୟାର ହସ୍ପିଟାଲ ଓହରିଯିବା ପରେ ରାଜ୍ୟ ସରକାର ମେଦାନ୍ତ ଗ୍ରୁପ୍ ସହିତ ଆଲୋଚନା କରିଛନ୍ତି। ଗତ ସେପ୍ଟେମ୍ବର ମାସରେ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ନେତୃତ୍ବରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀମାନେ ମେଦାନ୍ତ ଗ୍ରୁପ୍ର ଅଧ୍ୟକ୍ଷ ନରେଶ ତ୍ରେହାନଙ୍କ ସହିତ ଆଲୋଚନା କରିଥିଲେ। ମେଦାନ୍ତ ଗ୍ରୁପ୍ର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଝାରସୁଗୁଡ଼ା ଗସ୍ତରେ ଆସି ହାର୍ଟ ହସ୍ପିଟାଲ ପାଇଁ ପ୍ରସ୍ତୁତି ଭିତ୍ତିଭୂମିର ତଦାରଖ କରିବାର ଯୋଜନା ରହିଥିଲା। ତେବେ ମେଦାନ୍ତ ଗ୍ରୁପ୍ର ପ୍ରତିନିଧି ଦଳ ଝାରସୁଗୁଡ଼ା ଆସିବା ନେଇ କୌଣସି ସୂଚନା ମିଳିପାରି ନାହିଁ।