ରାଉରକେଲା: ଆବଶ୍ୟକ ସବୁ ଭିତ୍ତିଭୂମି ଥିବା ସତ୍ବେ ବହୁ ବର୍ଷ ତଳୁ ପ୍ରସ୍ତାବିତ ରାଉରକେଲା ନୂଆ ରେଳ ଡିଭିଜନ୍ କଥା ଏଥର ମଧ୍ୟ ବଜେଟ୍ରେ ଆଦୌ ଉଲ୍ଲେଖ ନାହିଁ। ଉଲ୍ଲେଖନୀୟ ଯେ ସୁନ୍ଦରଗଡ଼ ଜିଲ୍ଲାରୁ ରେଳବାଇ ବାର୍ଷିକ ୭,୦୦୦ କୋଟି ରାଜସ୍ବ ପାଉଛି। ଯାହା ଚକ୍ରଧରପୁର ଡିଭିଜନର ମୋଟ୍ ବାର୍ଷିକ ଆୟର ୪୦%। ଏହି ସ୍ଥିତି ଅନେକ ବର୍ଷ ଧରି ରହି ଆସିଛି। କେବଳ ଏତିକି ନୁହେଁ, ଚକ୍ରଧରପୁର ଡିଭିଜନ୍ ଅଧୀନରେ ଥିବା ମୋଟ୍ ୭୪୨ କି.ମି. ରେଳ ଲାଇନ ମଧ୍ୟରୁ ୪୧୧ କି.ମି. ରେଳଲାଇନ ସୁନ୍ଦରଗଡ଼ ଜିଲ୍ଲାରେ ରହିଛି। ତେଣୁ ରାଉରକେଲାରେ ସ୍ବତନ୍ତ୍ର ରେଳ ଡ଼ିଭିଜନର ଦାବି ସବୁ ଦୃଷ୍ଟିରୁ ଯୁକ୍ତିଯୁକ୍ତ। ଏହାକୁ ଦୃଷ୍ଟିରେ ରଖି ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ବହୁ ବର୍ଷ ତଳେ ରାଉରକେଲା ଉପକଣ୍ଠସ୍ଥ ବନ୍ଧମୁଣ୍ଡାରେ ରେଳବାଇକୁ ପ୍ରାୟ ୩ ହଜାର ୫୦୦ ଏକର ଜମି ପ୍ରଦାନ କରା ଯାଇଥିଲା।
ସେଠାରେ ବର୍ତ୍ତମାନ ୨, ୬୦୦ କ୍ବାର୍ଟର୍ସ ସହ ଏଆର୍ଏମ୍ କାର୍ଯ୍ୟାଳୟ, କ୍ୟାରେଜ୍ ଆଣ୍ଡ ୱାଗନ୍ କାର୍ଯ୍ୟାଳୟ, ଇଲେକ୍ଟ୍ରିକ୍ ସେଡ୍, ରେଳବାଇ ୟାର୍ଡ, ମାର୍ଶଲିଂ ୟାର୍ଡ ଆଦି ଅନେକ ସୁବିଧା ଉପଲବ୍ଧ ରହିଛି। ବାକି ଜମିରୁ କିଛି ଖାଲି ରହିଛି, କିନ୍ତୁ ଅନେକାଂଶ ଅବସରପ୍ରାପ୍ତ ବହୁ ଅଣଓଡ଼ିଆ ରେଳବାଇ କର୍ମଚାରୀ ଓ ଅନ୍ୟମାନଙ୍କ ଜବରଦଖଲକୁ ଚାଲି ଯାଇଛି। ଏହାକୁ ମୁକୁଳାଇବାଲାଗି ରେଳବାଇ ଆଦୌ ଆନ୍ତରିକତା ଦେଖାଉ ନାହିଁ। ଅନ୍ୟପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୮ ମସିହା ଫେବ୍ରୁଆରିରେ ରାଜ୍ୟରେ ତିନିଟି ନୂଆ ରେଳ ଡିଭିଜନ ସ୍ଥାପନ କରି ଓଡ଼ିଶାକୁ ଗୋଟିଏ ରେଳବାଇ ଜୋନ୍, ଅର୍ଥାତ୍ ପୂର୍ବତନ ରେଳବାଇରେ ସାମିଲ କରିବାକୁ ପାଇଁ ପତ୍ର ଲେଖିଥିଲେ।
ଏପରିକି ଉକ୍ତ ବର୍ଷ ମାର୍ଚ୍ଚ ଦ୍ବିତୀୟ ସପ୍ତାହରେ ଓଡ଼ିଶାର ବିଜେଡି ସାଂସଦମାନଙ୍କର ଏକ ପ୍ରତିନିଧି ଦଳ ରେଳମନ୍ତ୍ରୀଙ୍କୁ ଭେଟି ସମାନ ଦାବି ଦୋହରାଇଥିଲେ। ସେମିତି ୨୦୨୨ ନଭେମ୍ବର ମାସରେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଝାରସୁଗୁଡ଼ା ଗସ୍ତ ଅବସରରେ ବିଜେପିର ବରଗଡ଼ ସାଂସଦ ସୁରେଶ ପୂଝାରୀ ରାଉରକେଲାରେ ରେଳ ଡିଭିଜନ ସ୍ଥାପନ ପାଇଁ ଦାବି ଉପସ୍ଥାପନ କରିଥିଲେ। ସେହି ଦଳର ସୁନ୍ଦରଗଡ଼ର ବିଧାୟିକା କୁସୁମ ଟେଟେ, ରାଜ୍ୟ ସମ୍ପାଦକ ଟଙ୍କଧର ତ୍ରିପାଠୀ, ତଥା ବୀରମିତ୍ରପୁରର ବିଧାୟକ ଶଙ୍କର ଓରାମ ମଧ୍ୟ ଏହାକୁ ବିଭିନ୍ନ ସମୟରେ ସମର୍ଥନ କରିଛନ୍ତି। କିନ୍ତୁ ରାଉରକେଲାର ତଥା ଓଡ଼ିଶାର ଏହି ହକ୍କୁ କେନ୍ଦ୍ର ସରକାର ତଥା ରେଳବାଇ ଆଦୌ ଗୁରୁତ୍ବ ଦେଉନାହିଁ।