ସୁରକ୍ଷା ଦେଲା ପ୍ରକୃତି: ବର୍ଷାରେ ଭିଜିଲା ଶିମିଳିପାଳ

ବାରିପଦା: ଶେଷରେ ପ୍ରକୃତିକୁ ରକ୍ଷା କଲା ପ୍ରକୃତି। ଶିମିଳିପାଳ ଜୈବ ମଣ୍ଡଳରେ ଲେଲିହାନ ଅଗ୍ନିଶିଖାକୁ ପ୍ରଶମିତ କରିଛି ଅଦିନିଆ ବର୍ଷା। ଆଜି ଜିଲ୍ଲାର ବିଭିନ୍ନ ସ୍ଥାନରେ ଅଳ୍ପରୁ ମଧ୍ୟମ ଧରଣର ବର୍ଷା ରେକର୍ଡ କରାଯାଇଛି। ଜିଲ୍ଲାର ପିଠାବଟା ଉତ୍ତର ଓ ଦକ୍ଷିଣ, ଡୁକୁରା, ବାଙ୍ଗିରିପୋଷି, କରଞ୍ଜିଆ, ଠାକୁରମୁଣ୍ଡା, ପୋଡ଼ାଡ଼ିହା ଆଦି ରେଞ୍ଜ୍‌ରେ ବର୍ଷା ହୋଇଛି। ଅଧିକାଂଶ ରେଞ୍ଜରେ ହାଲ୍‌କା ବର୍ଷା ହୋଇଥିବା ବେଳେ ପିଠାବଟା ରେଞ୍ଜ୍‌ରେ କୁଆପଥର ସହିତ ବର୍ଷା ହୋଇଛି। ସେହିପରି କପ୍ତିପଦା, ଦେଉଳି, ବୈଶିଙ୍ଗା ଆଦି ବନାଞ୍ଚଳରେ ମଧ୍ୟ ବର୍ଷା ରେକର୍ଡ କରାଯାଇଛି। ବର୍ଷା କାରଣରୁ ବନାଗ୍ନି ଲିଭୁଥିବା ଦେଖିବାକୁ ମିଳିଛି। ପିଠାବଟା ରେଞ୍ଜ୍‌ରେ ଆଜି ଦିନବେଳେ ନିଆଁ ଜଳୁଥିବା ଦେଖାଯାଇଥିଲା। ମାତ୍ର ବର୍ଷା ପରେ ଏହା ଲିଭିଯାଇଛି। ଜଙ୍ଗଲ ନିଆଁ ଲିଭିବା ସହିତ ଉତ୍ତପ୍ତ ପରିବେଶ କ୍ରମଶଃ ଶୀତଳ ହୋଇଛି।

ବାରିପଦା ଡିଏଫ୍‌ଓ ସନ୍ତୋଷ କୁମାର ଯୋଶୀଙ୍କ ସୂଚନା ଅନୁଯାୟୀ ଶିମିଳିପାଳରେ ଗତ ଡିସେମ୍ବରରୁ ଆଜି ପର୍ଯ୍ୟନ୍ତ ପ୍ରାୟ ୬ଶହ ଫାୟାର୍ ପଏଣ୍ଟ୍‌ ଥିଲା। ମାତ୍ର ଗତକାଲି ଏହି ସଂଖ୍ୟା ୧୦କୁ ଖସିଆସିଥିଲା। ଆଜି ଏହା ପ୍ରାୟ ଶୂନ ରହିଛି। ତଥାପି ନିଆଁ ଲିଭା କାର୍ଯ୍ୟରେ ୯୦ଟି ସ୍କ୍ବାଡ୍‌, ୮ ଗାଡି ସହିତ ୪୪ଟି ବ୍ଲୋଅର୍ ମେସିନ୍‌ ଲାଗିଛି। ତେବେ ବର୍ଷା କିନ୍ତୁ ନିଆଁ ଲିଭାଇବାରେ ଆହୁରି ଅଧିକ ସହାୟକ ହେବ ବୋଲି ଶ୍ରୀ ଯୋଶୀ କହିଛନ୍ତି।

ସମ୍ବନ୍ଧିତ ଖବର