ବ୍ରହ୍ମପୁର: ମା’କୁ କେବେ ବି ଭୁଲି ପାରିବା ନାହିଁ। ମା’ର ସେହ୍ନ, ମମତା ଆମ ପାଇଁ ଆଶୀର୍ବାଦ। କିନ୍ତୁ ପ୍ରକୃତି ମାତା, ଯାହା କୋଳରେ ପାଦଥାପି ବଢ଼ୁଛେ ତା’ପ୍ରତି କାହିଁକି ଅନ୍ୟାୟ କରୁଛେ? ମନଇଚ୍ଛା ଗଛକାଟିବା, ମାଟିକୁ କଂକ୍ରିଟ, ପେଭର୍‌ ବ୍ଲକ୍‌ ଆଚ୍ଛାଦନ କରି ପ୍ରକୃତି ମାତା ପ୍ରତି ଅତ୍ୟାଚାର କରୁଛେ। ଜନ୍ମକଲା ମା’କୁ ଯେଭଳି ସମ୍ମାନ ଦେଇଥାଉ, ପ୍ରକୃତି ମାତାର ସୁରକ୍ଷା ମଧ୍ୟ ଆମ ସମସ୍ତଙ୍କ ସମାନ ଦାୟିତ୍ବ ବୋଲି କହିଛନ୍ତି ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର। ଦିଗପହଣ୍ଡି ବ୍ଲକ୍‌ ସିଦ୍ଧେଶ୍ବର ପଞ୍ଚାୟତ ରାଜୀବ ସେବାକେନ୍ଦ୍ରରେ ‘ସମ୍ବାଦ’ ତରଫରୁ ଆୟୋଜିତ ପରିବେଶ ପଞ୍ଚାୟତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ବିଧାୟକ ଶ୍ରୀ ମହାପାତ୍ର କହିଛନ୍ତି, ଆମେ ପୁନଶ୍ଚ ପୃଥିବୀ କଥା ଚିନ୍ତା କରିବା ବଦଳରେ ଆଜି ଯେଉଁ ପୃଥିବୀ ଅଛି ତାକୁ କ’ଣ ସୁରକ୍ଷା ଦେଇ ପାରିବାନି? ଏଥି ପାଇଁ ପ୍ରଥମେ ନିଜ ଭୁଲ୍‌ ସୁଧାରିବାକୁ ପଡ଼ିବ। ବର୍ଷା ନହେଲେ ନଦୀ, ନାଳ ଶୁଖିଯାଉଛି। ଘୋଡ଼ାହାଡ଼ ଡ୍ୟାମ୍‌ ଶୁଖି ଖେଳପଡ଼ିଆ ପାଲଟୁଛି।

Advertisment

ପିଲାମାନେ ସେଠାରେ କ୍ରିକେଟ୍‌ ଖେଳୁଛନ୍ତି। ପ୍ରଥମତଃ ଜଳର ଅପଚୟ ବନ୍ଦ କରିବା, ଯେତିକି ଆବଶ୍ୟକ ସେତିକି ବ୍ୟବହାର କରିବା। ବ୍ୟାପକ ଗଛ ଲଗାଇଲେ ବୃଷ୍ଟିପାତ ବଢ଼ିବ ବୋଲି ବିଧାୟକ କହିଥିଲେ। ଗୋବର ଖତ ଜମିରେ ବ୍ୟବହାର କଲେ ୟୁରିଆ ଆବଶ୍ୟକ ନାହିଁ। ୟୁରିଆ ବ୍ୟବହାର କମାଇଲେ ଆମେ ବିଭିନ୍ନ ରୋଗରୁ ମଧ୍ୟ ରକ୍ଷା ପାଇବା। ଏଣୁ ସମସ୍ତେ ମିଶି ଚାରି ‘ଜ’ର ସୁରକ୍ଷା ଦାୟିତ୍ବ ନେବା, ତାହା ହେଲା ଜଙ୍ଗଲ, ଜମି, ଜଳ ଓ ଜନ୍ତୁ। ଏହା ନହେଲେ ଯମ ଆସିଯିବ ବୋଲି ବିଧାୟକ କହିଥିଲେ।

ମୁଖ୍ୟବକ୍ତା ଆଞ୍ଚଳିକ ବିକାଶ ପରିଷଦର ସଭାପତି ଯୁବ ପରିବେଶବିତ ସାଗର କୁମାର ପାତ୍ର ପଲିଥିନ୍‌ ବ୍ୟବହାର ଯୋଗୁଁ ମାଟି କିଭଳି ବିଷାକ୍ତ ହେଉଛି କହିଥିଲେ। ଗଛ ଲଗାଇବା ସହିତ ତା’ର ଯତ୍ନ ନେଇ ବଡ଼ କରିବାକୁ ଆହ୍ବାନ ଦେଇଥିଲେ। ବନ୍ୟଜନ୍ତୁ ଯେମିତି ଜନବସତିକୁ ନଆସନ୍ତି ସେଥିପାଇଁ ବ୍ୟାପକ ବୃକ୍ଷରୋପଣ କରି ନୂଆଜଙ୍ଗଲ ସୃ‌ଷ୍ଟି କରିବାକୁ ଆହ୍ବାନ ଦେଇଥିଲେ। ସମ୍ମାନିତ ଅତିଥି ସିଦ୍ଧେଶ୍ବର ପଞ୍ଚାୟତ ସରପଞ୍ଚ ବିଜୟ କୁମାର ପ୍ରଧାନ, ନାଏବ ସରପଞ୍ଚଙ୍କ ପ୍ରତିନିଧି ବିଦେଶୀ ଗୌଡ଼, ସମାଜସେବୀ ସନାତନ ସଂଗ୍ରାମ ସିଂ ପରିବେଶ ସୁରକ୍ଷାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ‘ସମ୍ବାଦ’ ଗଞ୍ଜାମଜିଲ୍ଲା ପ୍ରତିନିଧି ସୁଦୀପ୍ତ ଷଡ଼ଙ୍ଗୀ, ଦିଗପହଣ୍ଡି ବ୍ଲକ୍‌ ପ୍ରତିନିଧି ନୀଳମାଧବ ପରମଗୁରୁ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।