ଭୁବନେଶ୍ବର: ଶୀତଦିନେ ଏଠାରେ ଗରମ ଝାଞ୍ଜିମାଡ଼ ହେଉଛି। ଖରାଦିନେ ସହର ଉତ୍ତପ୍ତ ପିଣ୍ଡ ପାଲଟୁଛି। ବର୍ଷାଋତୁରେ କେତେବେଳେ ମାଟି ଫାଟି ଆଁ କରୁଛି ତ ଆଉ କେବେ ତତଲା ତାଉଆରେ ଭାଜି ହେଉଛି ପରିବେଶ। ଆକାଶ, ପବନ, ମାଟି, ଜଳ ପ୍ରଦୂଷଣ ଯୋଗୁଁ ଲୋକେ ସନ୍ତୁଳି ହେଉଛନ୍ତି। ଏଥିରୁ ମୁକୁଳିବାକୁ ଏବେଠାରୁ ଆମକୁ ପଦକ୍ଷେପ ନେବାକୁ ପଡ଼ିବ। ସହରର ହୃତ୍‌ପିଣ୍ଡ ଭରତପୁର ଜଙ୍ଗଲକୁ ସୁରକ୍ଷା ଦେବାକୁ ହେବ। ଭୂତଳ ଜଳର ଅନିୟନ୍ତ୍ରିତ ବ୍ୟବହାରକୁ ରୋକିବାକୁ ପଡ଼ିବ। ଜଳାଶୟଗୁଡ଼ିକର ସୁରକ୍ଷା, ବ୍ୟାପକ ବନୀକରଣ, ଗାଡ଼ି ସଂଖ୍ୟା ହ୍ରାସ କରିବାର ସମୟ ଆସିଛି। ନ ‌ହେଲେ ଆଗାମୀ ଦିନରେ ଭୁବନେଶ୍ବର ସହର ଜଳବାୟୁ ପରିବର୍ତ୍ତନର ବଡ଼ ବିପର୍ଯ୍ୟୟକୁ ସାମ୍ନା କରିବ ବୋଲି ଉତ୍ତର ଭୁବନେଶ୍ବର ନିର୍ବାଚନମଣ୍ଡଳୀରେ ଅନୁଷ୍ଠିତ ‘ପରିବେଶ ପଞ୍ଚାୟତ’ରେ ମତପ୍ରକାଶ ପାଇଛି।

Advertisment

ଉତ୍ତର ଭୁବନେଶ୍ବର ବିଧାୟକ ସୁଶାନ୍ତ କୁମାର ରାଉତ ଆଲୋଚନାରେ ଯୋଗଦେଇ କହିଲେ, କୌଣସି ସରକାର, ଜନପ୍ରତିନିଧି କିମ୍ବା ବ୍ୟକ୍ତିବିଶେଷ ଚାହିଲେ ଏକୁଟିଆ ପରିବେଶକୁ ସୁରକ୍ଷିତ ରଖିପାରିବେ ନାହିଁ। ଏଦିଗରେ ଆମ ସମସ୍ତଙ୍କୁ କାମ କରିବାକୁ ପଡ଼ିବ। କେବଳ ବୃକ୍ଷରୋପଣ କରିଦେଲେ ହେବ ନାହିଁ, ସେଗୁଡ଼ିକୁ ରକ୍ଷା କରିବା ସହ ଯତ୍ନ ନେବାର ଆବଶ୍ୟକତା ରହିଛି। ଏଥିପାଇଁ ଆମ ସମସ୍ତକୁ ଦାୟିତ୍ବ ନେବାକୁ ହେବ। ସରକାରଙ୍କ ପକ୍ଷରୁ ପୋଖରୀ ପୁନରୁଦ୍ଧାର, ଭୂତଳ ଜଳସ୍ତର ହ୍ରାସକୁ ରୋକିବା, ଜଳାଶୟକୁ ସୁରକ୍ଷିତ ରଖିବା, ଆବର୍ଜନା ପ୍ରଦୂଷଣ ରୋକିବା ଦିଗରେ ପଦକ୍ଷେପ ନିଆଯାଇଛି। କିନ୍ତୁ ସେଥିରେ ସବୁ ବର୍ଗର ଜନତା ସାମିଲ ହେବାର ସମୟ ଆସିଛି। ଆଗାମୀ ପିଢ଼ିଙ୍କ ସୁରକ୍ଷା ପାଇଁ ‘ସମ୍ବାଦ’ ପକ୍ଷରୁ ନିଆଯାଇଥିବା ଏଭଳି ପ୍ରୟାସ ଅତ୍ୟନ୍ତ ସ୍ବାଗତଯୋଗ୍ୟ ବୋଲି ବିଧାୟକ କହିଥିଲେ।

ଉତ୍ତର ଭୁବନେଶ୍ବର ନିର୍ବାଚନମଣ୍ଡଳୀରେ ‘ପରିବେଶ ପଞ୍ଚାୟତ’
ଭୂତଳ ଜଳସ୍ତର ବଢ଼ାଇବାକୁ ପଡ଼ିବ: ପୂର୍ବତନ ପିସିସିଏଫ୍‌

ପୂର୍ବତନ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ(ପିସିସିଏଫ୍‌) ବିଜୟ କେତନ ପଟ୍ଟନାୟକ କହିଲେ, ଘର ନିର୍ମାଣ ସମୟରେ ଆଗ ପାଖରେ ୧୦ ଫୁଟ ଓ ବାକି ୩ ପାର୍ଶ୍ବରେ ୫ ଫୁଟ ଲେଖାଏଁ ଜାଗା ଛଡ଼ାଯିବ, ନ ‌ହେଲେ ଅନୁମତି ମିଳିବ ନାହିଁ ବୋଲି ନିୟମ ରହିଛି। ମାତ୍ର ଏବେ ଏ ନିୟମକୁ ଠିକ୍‌ ଭାବେ ଅନୁଧ୍ୟାନ କରା ନ ଯାଇ ପ୍ଲାନକୁ ଅନୁମୋଦନ କରାଯାଉଛି। ଘର ପାଖରେ ଗଛ ଥିଲେ ଆଜି ଏସି ଲଗାଇବାକୁ ପଡ଼ି ନ ଥାନ୍ତା। ରାସ୍ତାକଡ଼ର ସବୁଆଡ଼େ ପେଭର ବ୍ଲକ ନ ପକାଇ ଖୋଲା ଛଡ଼ାଗଲେ ସେଠାରେ ଘାସ ରହିବା ସହ ମାଟିକୁ ବାନ୍ଧି ରଖିବ। ଫଳରେ ପାଣି ମାଟି ଭିତରକୁ ଯାଇପାରିବ। ବଜ୍ରପାତରେ ବହୁତ ଲୋକ ପ୍ରାଣ ହରାଉଥିବାରୁ ଏବେ ରାଜ୍ୟ ସରକାର ୧୯ ଲକ୍ଷ ତାଳଗଛ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ଏକ ଭଲ ପଦକ୍ଷେପ ବୋଲି ସେ ମତ ଦେଇଥିଲେ। ବକୁଳ ଫାଉଣ୍ଡେସନର ପ୍ରତିଷ୍ଠାତା ସୁଜିତ୍‌ ମହାପାତ୍ର କହିଲେ, ପିଲାଙ୍କ ଖରାଦିନ ଛୁଟି କେବେ ‌ହେବ, ସେ ସମ୍ପର୍କ‌ରେ ଏବେ କିଛି ନିର୍ଦ୍ଦିଷ୍ଟ ମାସ ବା ତାରିଖ ରହୁନାହିଁ। ରାଜନୈତିକ ଦଳଗୁଡ଼ିକ ସାଧାରଣ ନିର୍ବାଚନ ପୂର୍ବରୁ ପ୍ରକାଶ କରୁଥିବା ସଂକଳ୍ପପତ୍ରରେ ଯେପରି ଜଳବାୟୁ ପରିବର୍ତ୍ତନକୁ ସ୍ଥାନିତ କରିବେ, ସେଦିଗରେ ପଦକ୍ଷେପ ନିଆଯାଇଥିଲା। ନେତାଙ୍କଠାରୁ ଜନତାଙ୍କ ପର୍ଯ୍ୟନ୍ତ, ସମସ୍ତେ ସାମିଲ ହେଲେ ଜଳବାୟୁ ପରିବର୍ତ୍ତନର ମୁକାବିଲା ସଫଳ ହୋଇପାରିବା ବୋଲି କହିଥିଲେ। ପରିବେଶ ପଞ୍ଚାୟତରେ ଆହୁରି ଅନେକ ବିଶିଷ୍ଟ ବ୍ୟକ୍ତି, ବରିଷ୍ଠ ନାଗରିକ, ପରିବେଶପ୍ରେମୀ ତଥା ସାଧାରଣ ଲୋକ ଯୋଗଦେଇ ସମସ୍ୟା ଓ ପ୍ରସଙ୍ଗ ଉପରେ ଆଲୋକପାତ କରିଥିଲେ।