ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ଏମ୍‌ସିଏଲ୍‌ ଖଣି କ୍ଷେତ୍ର ଗୋପାଳପୁର ଅଞ୍ଚଳରେ ଚାଲିଥିବା ରାଜ୍ୟର ସବୁଠୁ ବଡ଼ କୋଇଲା କେଳେଙ୍କାରୀ ଦେଖି ଖୋଦ୍‌ ଖଣିମନ୍ତ୍ରୀ ବିସ୍ମିତ ହୋଇ ଯାଇଥିଲେ। କହିଥିଲେ, ମାଫିଆ ଓ ସମ୍ପୃକ୍ତ ବିଭାଗର ଅଧିକାରୀଙ୍କ ବିରୋଧରେ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ହେବ। ଜିଲ୍ଲାବାସୀ ଏକ ବଡ଼ କାର୍ଯ୍ୟାନୁଷ୍ଠାନକୁ ଅପେକ୍ଷା କରିଛନ୍ତି। କିନ୍ତୁ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି, କୋଇଲା ଲୁଟ୍‌ ଘଟଣା ପଦାକୁ ଆସିବାର ୧୬ ଦିନ ବିତିଯିବା ପରେ ବି ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ମାଫିଆଙ୍କ ୧୦ ଜଣିଆ ତାଲିକା ଧରି କାହିଁକି ଚୁପ୍‌ ବସିଛି ? କିଛିଦିନ ତଳେ ୪ ଶ୍ରମିକ ଶ୍ରେଣୀର ଯୁବକଙ୍କୁ କୋଇଲା ଚୋରି ଅଭି‌ଯୋଗରେ ଗିରଫ କରାଯାଇଥିବା ବେଳେ ବଡ଼ କାର୍ପଟଦାରଙ୍କୁ କାହିଁକି ଖୋଲା ଛାଡ଼ି ଦିଆଯାଇଛି। ସେମାନଙ୍କୁ ସୁରକ୍ଷା ଦେଉଛି କିଏ? ଫଳରେ ଖଣି, ବନ ବିଭ‌ାଗ, ପୁଲିସ୍‌ ଓ ପ୍ରଶାସନର ଭୂମିକା ଏବେ ସନ୍ଦେହ ଘେରକୁ ଚାଲିଆସିଛି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ପ୍ରଥ‌ମେ ୱାସେରି ଓ ଏକ କାରଖାନାରେ ଚଢ଼ଉ ଓ ଯାଞ୍ଚ ପରେ ଖାଲିହାତରେ ମିଳିତ ଟିମ୍‌ ଫେରିବା ପରେ ୱାସେରି ବାହାର ଜଙ୍ଗଲରେ ହଜାର ହଜାର ଟନ୍‌ ବେଆଇନ କୋଇଲା ଠାବହେବା ଟିମ୍‌ର ଭୂମିକା ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। 

Advertisment

ଜଙ୍ଗଲରେ ମାଳମାଳ ଖଣି ଓ କୋଇଲା ଲୁଟ୍‌ ଖବର ପ୍ରଥମେ ‘ସମ୍ବାଦ’ ସାମନାକୁ ଆଣିବା ପରେ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ଏପ୍ରିଲ ୫ରେ ସମସ୍ତ କୋଲ୍‌ ୱାସେରି ଓ କୋଇଲା ଡିପୋକୁ ଯାଞ୍ଚକରି ଷ୍ଟକ୍‌ର ହିସାବ ପାଇଁ ଉପଜିଲ୍ଲାପାଳ, ଖଣି ଉପନିର୍ଦ୍ଦେଶକ ଓ ହେମଗିର ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତେଲେନଡିହିର ଚୋରା କୋଇଲା ବାହାର ରାଜ୍ୟ ସହ ସ୍ଥାନୀୟ କୋଲ୍‌ ୱାସେରି ଓ ଡିପୋକୁ ଯାଇଥିବା ସନ୍ଦେହ କରି ଜିଲ୍ଲାପାଳ ଏହି ନିର୍ଦ୍ଦେଶ ଦେଇଥିଲେ। ମିଳିତ ଟିମ୍‌ ଗତ ୯ ତାରିଖ‌‌ରେ ହେମଗିର ଖଣି ଅଞ୍ଚଳ ପୋଡ଼ାଜଲଙ୍ଗାସ୍ଥ ବସୁନ୍ଧରା ମେଟାଲିକ୍‌ (ସ୍ପଞ୍ଜ ଆଇରନ୍‌ କାରଖାନା) ଓ ବରପାଲିସ୍ଥ ଭାଟିଆ ଏନର୍ଜି ଆଣ୍ଡ ମିନେରାଲ୍ସରେ ଚଢ଼ଉ କରିଥିଲେ। ଯାଞ୍ଚବେଳେ ବସୁନ୍ଧରାରେ ଷ୍ଟକଠାରୁ ୨୨୭ ଟନ୍‌ ଓ ଭାଟିଆ ଏନର୍ଜିରେ ୩୩୯ ଟନ୍‌ କୋଇଲା କମ୍‌ ଥିବା ରିପୋର୍ଟ ଆସିଥିଲା।

ପ୍ରଥମ ଥର ଯାଞ୍ଚ ବେଳେ କିଛି ମିଳିଲାନି, ପରେ ବେଆଇନ କୋଇଲା ଠାବ

ଏହା ପରେ ୧୦ ତାରିଖରେ ଟିମ୍‌ କନିକାସ୍ଥ ଆର୍ଯ୍ୟନ କୋଲ୍‌ ୱାସେରି(ଏସିବି)ରେ ଚଢ଼ଉ କରିଥିଲେ। ସେଠାରେ ମଧ୍ୟ ୨୮୦୩ ଟନ୍ କୋଇଲା କମ୍ ଥିବା ସ୍ୱତନ୍ତ୍ର ଟିମ୍ ଦର୍ଶାଇଥିଲା। ଅର୍ଥାତ୍‌ ୩ଟି ସ୍ଥାନରେ ସବୁ ଠିକ୍‌ଠାକ୍‌ ଥିବା ରିପୋର୍ଟ ଦେଇଥିଲା ଟିମ୍‌। ହେଲେ ଏହାର ୫ ଦିନ ପରେ ଆର୍ଯ୍ୟନ କୋଲ୍ ୱାସେରି ନିକଟସ୍ଥ ଜଙ୍ଗଲରେ ପାହାଡ଼ ଉଚ୍ଚର କୋଇଲା ଗଚ୍ଛିତ ଥିବା ‘ସମ୍ବାଦ’ ନଜରକୁ ଆସିଥିଲା। ୨ କିଲୋମିଟର ଦୂରରେ କମ୍ପାନିର ଏକ  ସ୍ଥାନରେ ୯,୯୯୫ ଟନ୍‌ ବେଆଇନ କୋଇଲାକୁ ଲୁଚାଇ ରଖାଯାଇଥିଲା। ଏହା ସହ ୱାସେରିର ଠିକ୍‌ ପଛପଟେ ଦେଢ଼ଲକ୍ଷରୁ ଅଧିକ ଟନ୍ ବିଶୋଧିତ କୋଇଲା ଗଚ୍ଛିତ ରଖାଯାଇଥିବା ଦେଖିବାକୁ ମିଳିଥିଲା।  ଏହା ପରେ ଖଣି ବିଭାଗ ୯,୯୯୫ ଟନ୍‌ କୋଇଲା ଜବତ କରିଥିଲା। ୧୬ ତାରିଖରେ ସ୍ୱତନ୍ତ୍ର ଟିମ୍ ଆର୍ଯ୍ୟନ କୋଲ୍‌ ୱାସେରିକୁ ସିଲ୍‌ କରିବା ସହ ଅନୁମତି ରଦ୍ଦ କରିଥିଲେ। ଖଣି ଉପନିର୍ଦ୍ଦେଶକ ହେମଗିରି ଥାନାରେ ଏତଲା ଦେଲେ। ଏଠି ପ୍ରଶ୍ନ ଉଠୁଛି, ପ୍ରଥମେ ଚୋରା କୋଇଲା ନପାଇ ଖାଲିହାତରେ ଫେରିଥିବା ଟିମ୍‌ ପରେ ଏତେ ପରିମାଣର ବେଆଇନ୍‌ କୋଇଲା ପାଇଲା କିପରି ?

ଖଣିଜ ଲୁଟ୍‌ ପଦାକୁ ଆସିବା ପରେ ୫ ତାରିଖରେ ରାଉରକେଲା କନିଷ୍ଠ ଖଣି ଅଧିକାରୀ ମଙ୍ଗଳଚରଣ ହେମ୍ବ୍ରମ ହେମଗିର ଥାନାରେ ଅଜଣା ମାଫିଆଙ୍କ ନାମରେ ଏତଲା ଦେଇଥିଲେ। ଏହା ମଧ୍ୟରେ ଖଣିଲୁଟ୍‌ କରିଥିବା ୧୦ ଜଣ ମାଫିଆଙ୍କୁ ଚିହ୍ନଟ କରି ସେମାନଙ୍କ ଏକ ତାଲିକା ପ୍ରସ୍ତୁତ କରିଛି ପ୍ରଶାସନ। ତାଲିକାରେ କିଛି ପ୍ରଭାବଶାଳୀ ବ୍ୟକ୍ତି ମଧ୍ୟ ଅଛନ୍ତି। ତାଲିକା ପ୍ରସ୍ତୁତିକୁ ୧୬ ଦିନ ବିତିଗଲାଣି; ସେମାନଙ୍କୁ ଧରିବା ପାଇଁ ତତ୍ପରତା ଦେଖାଯାଉନି।  ଖଣି ବିଭାଗ ଓ ପ୍ରଶାସନ ଖଣି ଚୋରିର କାର୍ପଟଦାରମାନଙ୍କୁ ଧରିବା ପାଇଁ ଯୋଜନା କରୁଛନ୍ତି ନା ସେମାନଙ୍କୁ ସୁରକ୍ଷା ଦେଉଛି, ତାହା ଏବେ ଆଲୋଚ୍ୟର ବିଷୟ ହୋଇଛି।