ଶ୍ରୀମନ୍ଦିର ସୁରକ୍ଷାରେ ଘଳିଆ, ଦ୍ବାରରେ ଜଗୁନାହାନ୍ତି ପୁଲିସ

ମୋବାଇଲ୍‌, ଗୁଲିଖଟିରେ ସମୟ ଯାଉଛି, ମୋବାଇଲ କଟକଣା ଚୁଲିକୁ ଗଲାଣି

ପୁରୀ : ଆତଙ୍କବାଦୀଙ୍କ ଟାର୍ଗେଟ୍‌ରେ ଶ୍ରୀମନ୍ଦିର। ୪ ବର୍ଷ ତଳେ ଏଭଳି କିଛି ସତର୍କ ସୂଚନା ଜାରି କରିଥିଲା ଗୁଇନ୍ଦା ବିଭାଗ। ସେହି ଅନୁଯାୟୀ ଗୃହ ବିଭାଗ ନିର୍ଦ୍ଦେଶକ୍ରମେ ତତ୍କାଳ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଗଲା। ଚାରିଦ୍ବାରରେ ମାଳ ମାଳ ପୁଲିସ ଜଗିଲେ। ସାଦା ପୋଷାକ ପୁଲିସ ବି ଶ୍ରୀମନ୍ଦିର ଭିତରେ ଓ ବାହାରେ ବୁଲିବେ ବୋଲି ନିଷ୍ପତ୍ତି ନିଆଗଲା। କିନ୍ତୁ ଏବେ ଯଥା ପୂର୍ବଂ ତଥା ପରଂ। ଶ୍ରୀମନ୍ଦିର ସୁରକ୍ଷା ପାଇଁ ନାମକୁ ମାତ୍ର ସୁରକ୍ଷା କର୍ମୀଙ୍କ ନାମ ଗଡ଼ୁଛି। କେହି ବି ଚାରିଦ୍ବାରରେ ଠିକ୍‌ ଭାବେ ଡ୍ୟୁଟି କରୁନାହାନ୍ତି। ଯାହା ସୁରକ୍ଷା ବ୍ୟବସ୍ଥାରେ ଘଳିଆ ସୃଷ୍ଟି କରିଛି। ସେପଟେ ତିନିଜଣ ଅଧିକାରୀ ଏହି ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିବାକୁ ଥିଲେ ବି ଠିକ୍‌ ଭାବେ ଯାଞ୍ଚ ହେଉନଥିବା ଅଭିଯୋଗ ହେଉଛି। ଫଳସ୍ବରୂପ ଶ୍ରୀମନ୍ଦିରରେ କେଉଁ ପରିସ୍ଥିତିରେ କିଛି ବି ଅପ୍ରୀତିକର ପରିସ୍ଥିତି ଦେଖାଦେବାର ଆଶଙ୍କା ବ୍ୟକ୍ତ କରୁଛନ୍ତି ଭକ୍ତ।

ଆତଙ୍କବାଦୀ ସତର୍କ ସୂଚନା ଜାରି ପରେ ଶ୍ରୀମନ୍ଦିର ଚାରିଦ୍ବାରରେ ଓଏସ୍‌ଏପି, ରିଜର୍ଭ ପୁଲିସ ଆଦିଙ୍କୁ ମୁତୟନ କରାଯାଇଛି। ପ୍ରତିଦ୍ବାରରେ ଦୈନିକ ୧୨ରୁ ଅଧିକ ଜଣଙ୍କୁ ସୁରକ୍ଷା ଦାୟିତ୍ବରେ ନିୟୋଜିତ କରାଯାଉଛି। ୮ ଘଣ୍ଟା ଲେଖାଏଁ, ଦୈନିକ ତିନୋଟି ପର୍ଯ୍ୟାୟରେ ଏମାନେ ଡ୍ୟୁଟି କରୁଛନ୍ତି। ସେହିଭଳି ଶ୍ରୀମନ୍ଦିର ଭିତରେ ବି ଅନେକଙ୍କୁ ସୁରକ୍ଷା ଦାୟିତ୍ବରେ ରଖାଯାଇଛି। ଶ୍ରୀମନ୍ଦିର ସୁରକ୍ଷା ଦାୟିତ୍ବ ଓଏସ୍‌ଏପି ନେବାଠାରୁ ଡିଏସ୍‌ପି ରୢାଙ୍କ୍‌ର ଆସିଷ୍ଟାଣ୍ଟ୍‌ କମାଣ୍ଡାଣ୍ଟ୍‌ କୌଶିକ ନାୟକ ମୁଖ୍ୟ ସୁରକ୍ଷା ଅଧିକାରୀ ଭାବେ ଦାୟିତ୍ବ ତୁଲାଉଛନ୍ତି। ସେ ଶ୍ରୀମନ୍ଦିରରେ ସୁରକ୍ଷା ଦାୟିତ୍ବରେ ରହୁଥିବା ରିଜର୍ଭ ପୁଲିସଙ୍କ ମୁଖ୍ୟ ରହିଛନ୍ତି। ଏଥିସହ ଦୁଇଜଣ ଇନ୍ସପେକ୍ଟର ରୢାଙ୍କର ଅଧିକାରୀ ଘନଶ୍ୟାମ ହେମ୍ବ୍ରମ୍‌ ଓ ଯୋଗେଶ ସ୍ବାଇଁ ସୁରକ୍ଷା କ୍ଷେତ୍ରରେ ସହଯୋଗ ପାଇଁ ବି ନିୟୋଜିତ ଅଛନ୍ତି। ଏହାସତ୍ତ୍ବେ ଶ୍ରୀମନ୍ଦିର ରୋଷଘର ଚୁଲି ଓ ଶ୍ରୀଗୁଣ୍ଡିଚା ମନ୍ଦିର ରୋଷଘର ଚୁଲି ଭଙ୍ଗା ଘଟଣା ସୁରକ୍ଷାରେ ଅବହେଳା ବୋଲି ଅଭିଯୋଗ ହେଉଛି। ଏହାଠାରୁ ଆହୁରି ସମ୍ବେଦନଶୀଳ ଘଟଣା ହେଉଛି ଶ୍ରୀମନ୍ଦିର ଗୁମୁଟରୁ ଜଣେ କିନ୍ନର ଡେଇଁ ଆତ୍ମହତ୍ୟା କରିବା। ତିନୋଟି ଘଟଣା ଶ୍ରୀମନ୍ଦିର ଇତିହାସରେ ପ୍ରଥମ। ତଥାପି ସୁରକ୍ଷାକୁ କଡ଼ାକଡ଼ି କରାଯାଉନାହିଁ।

ସୋମବାର ଦିନ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ ବେଳେ ସିଂହଦ୍ବାରରେ କେହି ବି ସୁରକ୍ଷା କର୍ମୀ ନ ଥିବା ଦେଖିବାକୁ ମିଳିଥିଲା। କେବଳ ସେଡ୍‌ ପାଖରେ କିଛି ଓଏସ୍‌ଏପି ଥିଲେ। ଭକ୍ତମାନେ ଅବାଧରେ ଶ୍ରୀମନ୍ଦିର ଭିତରେ ପଶୁଥିଲେ। ସୁରକ୍ଷା କର୍ମୀଙ୍କ ବଦଳରେ ୩ଜଣ ଜେଟିପି ସିଂହଦ୍ବାରରେ ବସିଥିଲେ। ଯେଉଁମାନେ ଖଟିରେ ମାତିଥିଲେ। ସେହିଭଳି ଉତ୍ତରଦ୍ବାର ସ୍ଥିତି ଅନୁଧ୍ୟାନ କରିଥିଲୁ। ଏଠାରେ କେହି ବି ସୁରକ୍ଷା ଦାୟିତ୍ବରେ ନ ଥିଲେ। ଜଣେ ଓଏସ୍‌ଏପି ଥିଲେ, ମୋବାଇଲ୍‌ ଦେଖିବାରେ ମଜ୍ଜି ଯାଇଥିଲେ। ଭକ୍ତଙ୍କୁ ଆଡ଼କୁ କୌଣସି ନଜର ନଥିଲା। ପଶ୍ଚିମଦ୍ବାରରେ କିଛିଟା ସୁରକ୍ଷା କଡ଼ାକଡ଼ି ଥିଲା। କିନ୍ତୁ ଦକ୍ଷିଣଦ୍ବାରରେ ସବୁ ପୁଲିସ ବସି ଥକ୍କା ମାରୁଥିଲେ। କେହି ବି ଦ୍ବାରା ଜଗୁ ନଥିବା ଦେଖିବାକୁ ମିଳିଥିଲା। ଏହା କେବଳ ଆଜିକା ଘଟଣା ନୁହେଁ, ସବୁଦିନ ଏଭଳି ସ୍ଥିତି ଦେଖିବାକୁ ମିଳୁଥିବା ଅଭିଯୋଗ ହୋଇଛି। ଯାହା ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ ଉପହାସ କରୁଛି। ଆଗକୁ କାର୍ତ୍ତିକ ମାସ ଥିବାରୁ ଏ ଦିଗରେ ସତର୍କ ଦୃଷ୍ଟି ଦେବାକୁ ଦାବି ହୋଇଛି।ଏ ସମ୍ପର୍କରେ ମୁଖ୍ୟ ସୁରକ୍ଷା ଅଧିକାରୀ ଶ୍ରୀ ନାୟକଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ସିଂହଦ୍ବାରରେ ଆମେ ଜୁଗୁନାହୁଁ। ବିଦେଶୀ, ଅଣହିନ୍ଦୁ ଓ ସେବାୟତଙ୍କୁ ଚିହ୍ନଟ କରିବା ପାଇଁ ଦ୍ବାର ନିକଟରେ ଜେଟିପି ନିୟୋଜିତ ହୋଇଛନ୍ତି। ଆମେ ସେଡ୍‌ ପାଖରେ ଜଗୁଛୁ ବୋଲି ଶ୍ରୀ ନାୟକ କହିଛନ୍ତି।

ସମ୍ବନ୍ଧିତ ଖବର