ଶ୍ରୀମନ୍ଦିର ସୁରକ୍ଷା ହୁଗୁଳା: ନୀଳଚକ୍ର ଉପରକୁ ଚଢ଼ିଗଲେ ପୂଜକ, ବର୍ଷକ ଭିତରେ ତୃତୀୟ ଘଟଣା

ପୁରୀ : ଶ୍ରୀମନ୍ଦିର ସୁରକ୍ଷାରେ ଯେ ଘଳିଆ ରହିଛି, ତା’ର ଜ୍ବଳନ୍ତ ଉଦାହରଣ ପୁଣିଥରେ ଦେଖିବାକୁ ମିଳିଛି। ମାଳମାଳ ପୁଲିସର ସୁରକ୍ଷା ବ୍ୟବସ୍ଥାକୁ ଭେଦକରି ଶ୍ରୀମନ୍ଦିର ପରିସର ଅଗ୍ନିଶ୍ବର ମନ୍ଦିର ପୂଜକ ଶ୍ରୀମନ୍ଦିର ଉପରେ ଚଢ଼ିବାର ଦୁଃସାହସ କରିଛନ୍ତି। ପୂଜକଙ୍କ ନାଁ ଚନ୍ଦ୍ରଶେଖର ପଣ୍ଡା ବୋଲି ଜଣାପଡ଼ିଛି। ଗତକାଲି ଏହି ଘଟଣା ଘଟିଥିବା ବେଳେ‌ ଜେଟିପିମାନେ ପୂଜକଙ୍କୁ ଧରି ସିଂହଦ୍ବାର ପୁଲିସ ଜିମା ଦେଇଥିଲେ। ସିଂହଦ୍ବାର ପୁଲିସ ପଚରାଉଚରା ପରେ ପୂଜକଙ୍କୁ ଛାଡ଼ି ଦେଇଛି।

ମିଳିଥିବା ସୂଚନା ମୁତାବକ, ଗତକାଲି ବିଜୟା ଦଶମୀ ପାଇଁ ଶ୍ରୀମନ୍ଦିର ଗହଳଚହଳ ଥିଲା। ଏହିସମୟରେ ହଠାତ୍‌ ଅଗ୍ନିଶ୍ବର ମହାଦେବ ମନ୍ଦିର ପୂଜକ ଚନ୍ଦ୍ରଶେଖର ଶ୍ରୀମନ୍ଦିର ଚୂଡ଼ାକୁ ଚଢ଼ିଯିବା ସହ ନୀଳଚକ୍ରକୁ ଧରି ବୁଲୁଥିବା ଦେଖିବାକୁ ମିଳିଥିଲା। ଚୁନରା ସେବକମାନେ ଏହା ଦେଖି ଜେଟିପି, ପୁଲିସଙ୍କୁ ଡକାଇ ବାରମ୍ବାର ତଳକୁ ଓହ୍ଲାଇବାକୁ କହିଥିଲେ। କିନ୍ତୁ, ଚନ୍ଦ୍ରଶେଖର କାହାରି କଥା ଶୁଣିନଥିଲେ। କିଛିସମୟ ଧରି ଶ୍ରୀମନ୍ଦିର ଉପରେ ବୁଲିବା ପରେ ଦକ୍ଷିଣଦ୍ବାର ମୁକ୍ତିମଣ୍ଡପ ଦେଇ ସେ ତଳକୁ ଓହ୍ଲାଇଥିଲେ।

ସୂଚନାଯୋଗ୍ୟ, ପୂର୍ବରୁ ଦୁଇଥର ଏଭଳି ଘଟଣା ଘଟିଲାଣି। ଘଣ୍ଟିଦ୍ବାର ଦେଇ ଭକ୍ତମାନେ ଶ୍ରୀମନ୍ଦିର ଉପରକୁ ଚଢ଼ି ଉନ୍ମତ୍ତକାଣ୍ଡ ଘଟାଉଛନ୍ତି। ତଥାପି ଏହାକୁ ଅଣଦେଖା କରାଯିବାରୁ ଆଜି ପୁଣିଥରେ ଏହିଭଳି ଘଟଣା ଘଟିବା ସହିତ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ପଦାରେ ପଡ଼ିଛି।

ସମ୍ବନ୍ଧିତ ଖବର