ସାକ୍ଷୀଗୋପାଳ: ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ସ୍ନାନଯାତ୍ରା, ରଥଯାତ୍ରା ଓ ନୀଳାଦ୍ରି ବିଜେ ପହଣ୍ଡି ସମୟରେ ଶ୍ରୀଅଙ୍ଗର ସୁରକ୍ଷା ନିମନ୍ତେ ଆବଶ୍ୟକ ବଉଳକାଠକୁ ଆଜି ଶ୍ରୀକ୍ଷେତ୍ରକୁ ପଠାଯାଇଛି। ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସୁରକ୍ଷାରେ ବ୍ୟବହୃତ ହେବାକୁଥିବା ଏହି ବଉଳ ଗଛ ସ୍ଥାନୀୟ ଶ୍ରୀରାମଚନ୍ଦ୍ରପୁର ବଡ଼ବନ୍ଧ ନିକଟସ୍ଥ ସୁରେଶ ଚନ୍ଦ୍ର ତ୍ରିପାଠୀଙ୍କ ବଗିଚାରେ ଚି଼ହ୍ନଟ କରାଯାଇଥିଲା। ପରେ ଶ୍ରୀମନ୍ଦିର ସେବାୟତଙ୍କ ଦ୍ବାରା ଅଣାଯାଇଥିବା ମହାପ୍ରଭୁଙ୍କ ଆଜ୍ଞାମାଳ ଓ ମହାପ୍ରସାଦ ସମର୍ପଣ କରି ବୃକ୍ଷବରଣ କରାଯାଇଥିଲା। ନିୟମାନୁସାରେ ଶ୍ରୀମନ୍ଦିର ଭୋଇ ସେବକ ସର୍ଦ୍ଦାର ରବି ଭୋଇ, ନୀଳକଣ୍ଠ ଭୋଇ, ଧ୍ରୁବ ଚରଣ ଭୋଇ, ରତ୍ନାକର ଭୋଇ ଓ ସୁଦର୍ଶନ କାଣ୍ଡି ପ୍ରମୁଖ ଏହି ବଉଳବୃକ୍ଷ ଚ୍ଛେଦନ କରିଥିଲେ। ଛଅ ହାତ ଲମ୍ବ ଓ ତିନି ଫୁଟ ଗୋଲେଇ ବିଶିଷ୍ଟ ଦୁଇ ଖଣ୍ଡ ଓ ତିନି ହାତ ଲମ୍ବ ମାପରେ ଆଉ ଦୁଇ ଖଣ୍ଡ ବଉଳ କାଠ କଟାଯାଇଥିଲା। ଏହି କାଠକୁ ଏମାର ମଠ ଶଗଡ଼ରେ ପାଟ୍ଟବସ୍ତ୍ର ଗୁଡ଼ାଇ ଶ୍ରୀ ଜଗନ୍ନାଥଙ୍କ ଅଜା ରୂପେ ପରିଚିତ ସ୍ଥାନୀୟ ବକୁଳ ବନର ଅଧିଶ୍ୱର ଶ୍ରୀ ସିଦ୍ଧ ବଳରାମ ଦେବଙ୍କ ମନ୍ଦିର ପ୍ରାଙ୍ଗଣକୁ ଅଣାଯାଇଥିଲା। ସେଠାରେ ସ୍ୱତନ୍ତ୍ର ଦେବନୀତି ଓ ପୂଜାର୍ଚ୍ଚନା ପରେ ବଉଳକାଠ ଶଗଡ଼କୁ ଶ୍ରୀକ୍ଷେତ୍ର ଅଭିମୁଖେ ମେଲାଣି ଦିଆ ଯାଇଥିଲା। ଶଗଡ଼ିଆ ବାନାମ୍ବର ପ୍ରଧାନ ଓ ଶଙ୍କର ବିଶ୍ୱାଳ ଶଗଡ଼କୁ ଶ୍ରୀକ୍ଷେତ୍ର ଅଭିମୁଖେ ବାହି ନେଇଥିଲେ।
ପୁରୀ ସାଂସଦ ଡା. ସମ୍ବିତ ପାତ୍ର ସତ୍ୟବାଦୀ ବିଧାୟକ ଓମ୍ପ୍ରକାଶ ମିଶ୍ର, ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ବେହେରା, ବିଡିଓ ଲିପ୍ସା ରାୟ,ସାକ୍ଷୀଗୋପାଳ ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ବିଶ୍ୱବାସୀ ତ୍ରିପାଠୀ, ଉତ୍ତରପାର୍ଶ୍ୱ ମଠ ମହନ୍ତ ଶ୍ରୀ ନାରାୟଣ ଦାସ ମହାରାଜ, ଶ୍ରୀମନ୍ଦିର ରଥ ନିର୍ମାଣ ତତ୍ତ୍ୱାବଧାରକ ସୁଦର୍ଶନ ମେକାପ ଓ ସତ୍ୟବାଦୀ ସଂସ୍କୃତି ସୁରକ୍ଷା ମଞ୍ଚର ସମ୍ପାଦକ କିଶୋର ଚନ୍ଦ୍ର ମହାପାତ୍ରଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଏଠାରେ ସୂଚନାଯୋଗ୍ୟ ଯେ ଜ୍ୟେଷ୍ଠ ମାସ ଶୁକ୍ଲପକ୍ଷ ପବିତ୍ର ଏକାଦଶୀ ତିଥିରେ ଏହି କାଠ ପୁରୀ ପଠାଯିବାର ପରମ୍ପରା ରହିଛି। ଏହି ବଉଳକାଠରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗର ମାପ ଅନୁଯାୟୀ ସେନାପଟା ଓ ବାହୁଟ ନିର୍ମାଣ କରାଯାଇଥାଏ। ପହଣ୍ଡି ସମୟରେ ଶ୍ରୀଅଙ୍ଗର ସୁରକ୍ଷା ନିମନ୍ତେ ମହାପ୍ରଭୁଙ୍କ ପୃଷ୍ଠଦେଶରେ ସେନାପଟା ଓ ଶ୍ରୀଭୁଜରେ ବାହୁଟକୁ ପାଟ ବସ୍ତ୍ର ଦ୍ୱାରା ଆଚ୍ଛାଦିତ କରି ବାନ୍ଧି ଦିଆଯିବ। ପହଣ୍ଡି ସମୟରେ ଏହି ସେନାପଟା ଓ ବାହୁଟ ମହାପ୍ରଭୁଙ୍କ ଶ୍ରୀଅଙ୍ଗକୁ ସୁରକ୍ଷା ପ୍ରଦାନ କରିଥାଏ।