ବଲାଙ୍ଗୀରରେ ସଂଗୀତା-ଲଳିତ ଗୋଷ୍ଠୀ ମୁହାଁମୁହିଁ : କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ସାଂସଦଙ୍କୁ ବିରୋଧ

ବଲାଙ୍ଗୀର : ବନ୍ୟା ପରିଦର୍ଶନ ଓ ସ୍ଥିତି ସମୀକ୍ଷା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବଲାଙ୍ଗୀର ଗସ୍ତ ସମୟରେ ସାଂସଦ ସଂଗୀତା ସିଂହଦେଓ ତୀବ୍ର ବିରୋଧର ସମ୍ମୁଖୀନ ହୋଇଛନ୍ତି। ବିଶିଷ୍ଟ ଶ୍ରମିକ ନେତା ତଥା ସଂଗଠକ ଲଳିତ ନାୟକ ଓ ସଂଗୀତାଙ୍କ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ସିଡିଏମଓ କାର୍ଯ୍ୟାଳୟ ସମ୍ମୁଖରେ ଉଭୟ ଗୋଷ୍ଠୀ ଭିତରେ ନାରାବାଜିରେ ହେବା ପରେ କିଛି ସମୟ ଠେଲାପେଲା ବି ହୋଇଥିଲା। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ବଲାଙ୍ଗୀରଠାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି ପ୍ରସଙ୍ଗରେ କିଛି ଦିନ ତଳେ ଏକ ପ୍ରତିନିଧି ଦଳ ଦିଲ୍ଲୀ ଗସ୍ତ କରିଥିଲେ। ମିଳିତ କ୍ରିୟାନୁଷ୍ଠାନ କମିଟିର ଆବାହକ ଲଳିତଙ୍କୁ ସେଠାରେ ସାଂସଦ ଅପମାନିତ କରିଥିବା ସେ ଅଭିଯୋଗ କରିଛନ୍ତି। ସାଂସଦ କରିଥିବା ଅଶୋଭନୀୟ ଆଚରଣର ଏବେ ପ୍ରତିଶୋଧ ନିଆଯାଇଛି ବୋଲି ଲଳିତଙ୍କ ସମର୍ଥକମାନେ କହିଛନ୍ତି।

ସୂଚନାଯୋଗ୍ୟ ଯେ, କେନ୍ଦ୍ରମନ୍ତ୍ରୀଙ୍କ ବଲାଙ୍ଗୀର ଗସ୍ତ ସମୟରେ ବଲାଙ୍ଗୀର ସାଂସଦ ମଧ୍ୟ ସାଙ୍ଗରେ ରହିଥିଲେ। ସମୀକ୍ଷା ବୈଠକରେ ଯୋଗ ଦେବାକୁ ଆସୁଥିବା ବେଳେ ଶ୍ରମିକ ନେତା ଲଳିତ କୁମାର ନାୟକ ଓ ତାଙ୍କର ସମର୍ଥକମାନେ ସିଡିଏମଓ ଅଫିସ ସମ୍ମୁଖରେ ସାଂସଦଙ୍କୁ ରାସ୍ତାରେ ଅଟକାଇ ସଂଗୀତା ଗୋ ବ୍ୟାକ୍‌, ଗୋ ବ୍ୟାକ୍‌ ନାରା ଦେଇଥିଲେ। ସମୀକ୍ଷା ବୈଠକ ଚାଲିବା ସମୟରେ ମଧ୍ୟ ବାହାରେ ନାରାବାଜି ଚାଲିଥିଲା। ଅନ୍ୟପଟେ ବିଜେପି କର୍ମକର୍ତ୍ତାମାନେ ସଂଗୀତା ସିଂହଦେଓ ଜିନ୍ଦାବାଦ ନାରା ଦେଇଥିଲେ। କିଛି ସମୟ ଉଭୟ ଗୋଷ୍ଠୀ ଭିତରେ ମୁହାଁମୁହିଁ ହୋଇଥିଲା। ବୈଠକ ସାରି ଫେରିବା ସମୟରେ ମଧ୍ୟ ସଂଗୀତା ଗୋ ବ୍ୟାକ୍‌ ନାରା ଦିଆଯାଇଥିଲା। ଏହି ସମୟରେ ସାଂସଦଙ୍କ ସମର୍ଥକ ଓ ଲଳିତଙ୍କ ସମର୍ଥକଙ୍କ ଭିତରେ କିଛି ସମୟ ଠେଲାପେଲା ହୋଇଥିଲା।

ସାଂସଦଙ୍କୁ ବିରୋଧ କରିବା ନେଇ ଶ୍ରୀ ନାୟକ କହିଛନ୍ତି, ଗତ କିଛିଦିନ ତଳେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି ନେଇ କେନ୍ଦ୍ର ଆଇନ ମନ୍ତ୍ରୀଙ୍କୁ ଭେଟିବାକୁ ବଲାଙ୍ଗୀରରୁ ଏକ ପ୍ରତିନିଧି ଦଳ ଦିଲ୍ଲୀ ଯାଇଥିଲେ। ମିଳିତ କ୍ରିୟାନୁଷ୍ଠାନ କମିଟିର ଆବାହକ ହୋଇଥିବା ବେଳେ ସେ ମଧ୍ୟ ସେହି ପ୍ରତିନିଧି ଦଳରେ ଯାଇଥିଲେ। ଯେଉଁ ଦିନ ଦଳ ପହଞ୍ଚିଥିଲା, ସେହି ଦିନ ଆଇନ ମନ୍ତ୍ରୀଙ୍କୁ ଭେଟିବାକୁ ଥିଲା। କିନ୍ତୁ ସେହି ଦିନ ତାହା ସମ୍ଭବ ହୋଇ ନଥିଲା। ଏହାପରେ ପରଦିନ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିବା ପରେ ଆଇନ ମନ୍ତ୍ରୀଙ୍କୁ ଭେଟିବାକୁ ନିଷ୍ପତ୍ତି ହୋଇଥିଲା। ସେହି ଅନୁସାରେ ପରଦିନ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ସାକ୍ଷାତ ପାଇଁ ସମସ୍ତଙ୍କର ପାସ୍‌ ହୋଇଥିଲା। ତାପରେ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରକୋଷ୍ଠକୁ ଯିବା ପୂର୍ବରୁ ବଲାଙ୍ଗୀର ସାଂସଦ ପ୍ରତିନିଧି କହିଥିଲେ, ଲଳିତ ନାୟକ ଯାଇ ପାରିବେ ନାହିଁ। ଲଳିତଙ୍କୁ କରିଡରରେ ଅପେକ୍ଷା କରିବାକୁ କୁହାଯାଇଥିଲା। ଏହା ଦେଖି କେନ୍ଦ୍ରମନ୍ତ୍ରୀଙ୍କ ପିଏ ପରବର୍ତ୍ତୀ ସମୟରେ ଆସି ତାଙ୍କୁ ଭିତରକୁ ଡାକି ନେଇଥିଲେ। ମାତ୍ର ଲଳିତ ସେଠାକୁ ଯିବାରୁ ସଂଗୀତା ଚିହିଁକି ଉଠିଥିଲେ। ଆପଣଙ୍କୁ ବାହାରେ ରହିବାକୁ କହିଥିଲି ଓ ଭିତରକୁ କାହିଁକି ଆସିଲେ ବୋଲି ପ୍ରଶ୍ନ କରିଥିଲେ। ପରେ ଆଇନ ମନ୍ତ୍ରୀଙ୍କୁ ସାକ୍ଷାତ ପାଇଁ ଯିବା ସମୟରେ ମଧ୍ୟ ଶ୍ରୀ ନାୟକଙ୍କୁ ସାଙ୍ଗରେ ଯିବାକୁ ସାଂସଦ ମନା କରିଥିଲେ। ବଲାଙ୍ଗୀରର ହାଇକୋର୍ଟ ବେଞ୍ଚ ଆନ୍ଦୋଳନରେ ସେ ନେତୃତ୍ୱ ନେଉଛନ୍ତି। ଏହା ଜିଲ୍ଲାବାସୀଙ୍କ ଏକ ପ୍ରମୁଖ ଦାବି। ନିକଟରେ ରାଜଧାନୀରେ ଆନ୍ଦୋଳନ ମାଧ୍ୟମରେ ବି ବଲାଙ୍ଗୀରବାସୀ ତାଙ୍କ ନେତୃତ୍ୱରେ ସରକାରଙ୍କୁ ଚାପ ପକାଇଥିଲେ। ଏଭଳି ସ୍ଥିତିରେ ଜଣେ ସାଂସଦ ହୋଇ ଏଭଳି ଆଚରଣ ପ୍ରଦର୍ଶନ କରିବା ନିନ୍ଦନୀୟ। ଏହା ଲଳିତ ନାୟକଙ୍କୁ ଅପମାନ ହୋଇ ନଥିଲା, ବରଂ ବଲାଙ୍ଗୀର ଓ ହାଇକୋର୍ଟ ଆନ୍ଦୋଳନରେ ଜଡ଼ିତ ସମସ୍ତଙ୍କୁ ଅପମାନ କରାଯାଇଛି ବୋଲି ଶ୍ରୀ ନାୟକ କହିଛନ୍ତି।

ଅନ୍ୟପଟେ ଘଟଣାକୁ ନେଇ ସାଂସଦ ଶ୍ରୀମତୀ ସିଂହଦେଓ କହିଛନ୍ତି, ବଲାଙ୍ଗୀରରୁ ଗୋପାଳଜୀ ପାଣିଗ୍ରାହୀଙ୍କ ତତ୍ୱାବଧାନରେ ହାଇକୋର୍ଟ ବେଞ୍ଚ ଦାବି ପଉସ୍ଥାପନ ପାଇଁ ପ୍ରତିନିଧି ଦଳ ଯାଇଥିଲେ। ଯେଉଁମାନେ ତାଙ୍କ ସହ ଯାଇ ମନ୍ତ୍ରୀଙ୍କୁ ସାକ୍ଷାତ କରିବାର ଥିଲା, ସେହି ତାଲିକାରେ ଲଳିତଙ୍କ ନାଁ ନଥିଲା। ତାଲିକାରେ ପୂର୍ବରୁ ନାଁ ନଥିବାରୁ ପାସ ହୋଇ ନଥିଲା। ବନ୍ୟା ସମୟରେ ବିରୋଧ ପ୍ରଦର୍ଶନ କେତେଦୂର ଠିକ୍‌ ବୋଲି ସେ ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧିତ ଖବର