‘ବନ୍ଦେ ଉତ୍କଳ ଜନନୀ…’କୁ ବିରୋଧ ପ୍ରଦର୍ଶନ

ବରଗଡ଼: ଓଡ଼ିଶା ଦିବସକୁ ଜିଲ୍ଲାର ବିଭିନ୍ନ ସ୍ଥାନରେ କଳା ଦିବସ ଭାବେ ପାଳନ କରାଯାଇଛି। ବିଭିନ୍ନ ସ୍ଥାନରେ କୋଶଲବାଦୀମାନେ କଳା ପତାକା ଉଡ଼ାଇଛନ୍ତି। ଏପରିକି ଜିଲ୍ଲାସ୍ତରୀୟ ଉତ୍ସବରେ ସେମାନେ କଳା ପତାକା ପ୍ରଦର୍ଶନ କରିବା ସହ ‘ବନ୍ଦେ ଉତ୍କଳ ଜନନୀ’ ଗୀତକୁ ବିରୋଧ କରି ମଂଚ ଉପରକୁ ଚଢ଼ିଛନ୍ତି। ପୁଲିସ୍‌ କୋଶଲବାଦୀମାନଙ୍କୁ ସେଠାରୁ ଉଠାଇ ନେଇଥିଲା। ବରଗଡ଼ ବିଜୁ ପଟ୍ଟନାୟକ ଟାଉନ୍‌ ହଲଠାରେ ଓଡ଼ିଶା ଦିବସ ଓ ବରଗଡ଼ ଜିଲ୍ଳା ପ୍ରତିଷ୍ଠା ଦିବସ ପାଳନ ହୋଇଥିଲା। ଡିଆଇପିଆର୍‌ଓ କଲ୍ୟାଣୀ ଦାଶଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଳାପାଲ ମୋନିଷା ବାନାର୍ଜୀ ଅଧ୍ୟକ୍ଷତା କରିଥିଲେ। ଜିଲ୍ଳା ପରିଷଦ ଅଧ୍ୟକ୍ଷା ମାନିନୀ ଭୋଇ ମୁଖ୍ୟଅତିଥି, ଅତିରିକ୍ତ ଜିଲ୍ଳାପାଳ ମିର୍ଦ୍ଧା ଟପ୍ପୋ ସମ୍ମାନିତ ଅତିଥି ଏବଂ  ଅଧ୍ୟାପକ ଚୂଡ଼ାମଣି ରଥ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ।

ତେବେ ଏଠାରେ ବନ୍ଦେ ଉତ୍କଳ ଜନନୀ.. ଗୀତ ଆରମ୍ଭ ହେବା କ୍ଷଣି ସେଠାରେ ଉପସ୍ଥିତ ଥିବା କୋଶଲ ରାଜ୍ୟ ସମର୍ଥକମାନେ ନାରାବାଜି କରିଥିଲେ। କଳା ପତାକା ପ୍ରଦର୍ଶନ କରିଥିଲେ। ପରେ ମଂଚ ଉପରକୁ ଚଢ଼ି ସ୍ବତନ୍ତ୍ର କୋଶଲ ରାଜ୍ୟ ଗଠନ ପାଇଁ ପ୍ଲା-କାର୍ଡ ପ୍ରଦର୍ଶନ କରିଥିଲେ। ହଲ୍‌ ଭିତରେ ଯାହା ଫଳରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ପୁଲିସ୍‌ କୋଶଲ ସମର୍ଥକମାନଙ୍କୁ ଗିରଫ କରିଥିଲା। ଏହା ପୂର୍ବରୁ କୋଶଲ ରାଜ୍ୟ ସମନ୍ୱୟ ସମିତି, କୋଶଲ ସେନା, ପଶ୍ଚିମ ଓଡ଼ିଶା ଯୁବାମଂଚର ବହୁ ସଦସ୍ୟ  ସ୍ଥାନୀୟ ଗାନ୍ଧୀ ଛକରେ କଳା ପତାକା ଉତ୍ତୋଳନ ସହ କଳାଦିବସ ପାଳନ କରିଥିଲେ। ପରେ ବାଇକ୍‌ ରାଲିରେ ସହର ପରିକ୍ରମା କରି ନାରାବାଜି କରିଥିଲେ। ଆଜି ସାରା ରାଜ୍ୟରେ  ଉତ୍କଳ ଦିବସ ଭାବେ ପାଳନ କରାଯାଇଥିବା  ବେଳେ ବରଗଡ଼ ଜିଲ୍ଲାରେ ଏହାକୁ ତୀବ୍ର ବିରୋଧ କରାଯାଇଛି। କୋସଲ ସେନାର ବୀରବଳ ମହାକୁରଙ୍କ ସମେତ ଆକାଶ ପଣ୍ଡା, ସୁଶାନ୍ତ ମିଶ୍ର, ଅବନୀକାନ୍ତ ପଣ୍ଡା , ସୁନିଲ ଶର୍ମା ସମେତ ବହୁ କାର୍ଯ୍ୟକର୍ତା  ବିକ୍ଷୋଭରେ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର