ଭଦ୍ରକ : ଭଦ୍ରକର ପୁରୁଣାବଜାର ଅଞ୍ଚଳରେ ସିଏଏ, ଏନଆରସି ଓ ଏନପିଆରକୁ ବିରୋଧକରି ଚାଲୁରହିଥିବା ସତ୍ୟାଗ୍ରହ ଓ ପ୍ରତିବାଦ ସଭାରେ ଆଜି ବଡଧରଣରେ ହେବାର ଯୋଜନା ଥିଲା। ଭଦ୍ରକର ଏଇ ପ୍ରତିବାଦସଭାକୁ ନୂଆଦିଲ୍ଲୀର ଜେଏନୟୁର ଛାତ୍ର ନେତ୍ରୀ ଦୀପସିତା ଧର ଓ ଛାତ୍ରନେତା ଶତରୂପ ଘୋଷ ଆସିବାର କାର୍ଯ୍ୟକ୍ରମ ରହିଥିଲା। ମାତ୍ର ଭଦ୍ରକ ଜିଲ୍ଲା ପ୍ରଶାସନ ଏଇ ଛାତ୍ର ନେତାଙ୍କୁ ଭଦ୍ରକ ଆସି ପ୍ରତିବାଦ ସଭାରେ ଯୋଗଦେବାକୁ ଅନୁମତି ଦେଇ ନାହାନ୍ତି । ଆଜି ଭଦ୍ରକରେ ଅନୁଷ୍ଠିତ ହେବାକୁ ଥିବା ପ୍ରତିବାଦସଭା ଉପରେ ପ୍ରଶାସନ ରୋକ୍ ଲଗାଇଛି।

Advertisment

publive-image

କେନ୍ଦ୍ର ସରକାରଙ୍କର ଏଭଳି ଆଇନକୁ ବିରୋଧ କରି ଭଦ୍ରକର ପୁରୁଣାବଜାର ଅଞ୍ଚଳରେ ଏକ ମାସରୁ ଉର୍ଦ୍ଧ୍ବ ସମୟ ଧରି ଚାଲିଥିବା ସତ୍ୟାଗ୍ରହ ଓ ପ୍ରତିବାଦସଭାରେ ଭଦ୍ରକ ଜିଲ୍ଲା ଏସଏଫଆଇ ଛାତ୍ର ନେତା ବିକାଶ ନାଥ, ଯୁବନେତା ନାସିରୁଦ୍ଧିନ୍ ଖାନ୍, ଆଇନଜୀବୀ ତୁଷାର ମହାନ୍ତି, ଆଇନଜୀବୀ ଜୁଲଫିକର ଅଲ୍ଲୀ, ଆକ୍ରମ ଅଲ୍ଲୀ, ସେକ୍ ନିଆଜ୍ ପ୍ରମୁଖ ଯୋଗଦେଇ ଉଦ୍‌ବୋଧନ ଦେଇଥିଲେ। ଆଜିର ପ୍ରତିବାଦସଭାରେ ସତ୍ୟାଗ୍ରହ କମିଟିର ସଂପାଦକ ନୁର୍ ମୁଜାସମ୍ ଅଧ୍ୟକ୍ଷତା କରିଥିବା ବେଳେ କେନ୍ଦ୍ର ସରକାର ସିଏଏ, ଏନଆରସି ଭଳି ଆଇନକୁ ବିରୋଧ କରିଥିଲେ। ଏଇ ଆଇନ ପ୍ରତ୍ୟାହାର କରାଯାଉ ବୋଲି ସେମାନେ ଦାବି କରିଛନ୍ତି। ଆଜିର ପ୍ରତିବାଦ ସଭା ଓ ସତ୍ୟାଗ୍ରହ ସ୍ଥଳ ଉପରେ ଯୋଗଦେଇଥିବା ଲୋକଙ୍କ ଉପରେ ପୁଲିସ ଓ ପ୍ରଶାସନ ପକ୍ଷରୁ କଡା ନଜର ରଖାଯାଇଥିଲା।