ଶିକ୍ଷକ ବଦଳି ପ୍ରତିବାଦରେ ଧାରଣା

ଶିକ୍ଷକ ବଦଳି ପ୍ରତିବାଦରେ ଧାରଣା

ଦଶରଥପୁର : ଦଶରଥପୁର ବ୍ଲକ ଦତ୍ତପୁର ପଞ୍ଚାୟତ ଅନ୍ତର୍ଗତ ନାରାୟଣପୁର ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟରୁ ଜୈନିକ ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି କରାଯିବା ପ୍ରତିବାଦରେ ଗ୍ରାମବାସୀ, ପରିଚାଳନା କମିଟି ସଭ୍ୟ/ସଭ୍ୟା ଓ ଛାତ୍ରଛାତ୍ରୀ ବିଦ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି।

ଦଶରଥପୁର ଶିକ୍ଷାମଣ୍ଡଳ ନାରାୟଣପୁର ସରକାରୀ ଉପ୍ରା ବିଦ୍ୟାଳୟର ପ୍ରଥମରୁ ସପ୍ତମ ଶ୍ରେଣୀରେ ୧୧୫ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ୪ଜଣ ଶିକ୍ଷକ ଶିକ୍ଷୟିତ୍ରୀ ନିଯୁକ୍ତ ଅଛନ୍ତି। ବରିଷ୍ଠ ଶିକ୍ଷକ କାଳନ୍ଦୀ ନାୟକଙ୍କୁ ନୀଳକଣ୍ଠେଶ୍ୱର ନୋଡାଲ ଉ.ପ୍ରା ବିଦ୍ୟାଳୟକୁ ବଦଳି କରାଯାଇଛି। ଏହା ଜାଣିବା ପରେ ଗ୍ରାମବାସୀ, ଅଭିଭାବକ, ଛାତ୍ରଛାତ୍ରୀ  ଓ ବିଦ୍ୟାଳୟ ପରିଚାଳନା କମିଟି ସଭ୍ୟ / ସଭ୍ୟାଙ୍କ ମଧ୍ୟରେ ଘୋର ଅସନ୍ତୋଷ ସୃଷ୍ଟି ହୋଇଥିଲା । ଏ ସମ୍ପର୍କରେ ବିଦ୍ୟାଳୟ ପରିଚାଳନା କମିଟି ପକ୍ଷରୁ ମଣ୍ଡଳ ଶିକ୍ଷାଧିକାରୀଙ୍କୁ ଏକ ଲିଖିତ ଦାବିପତ୍ର ପ୍ରଦାନ କରାଯାଇ ଶିକ୍ଷକ ଶ୍ରୀ ନାୟକଙ୍କ ବଦଳି ଆଦେଶ ରଦ୍ଦ କରିବାକୁ ଦାବି କରାଯାଇଥିଲା।

ତେବେ କର୍ତ୍ତୃପକ୍ଷ ଏହି ଦାବିକୁ ଅଣଦେଖା କରିବାରୁ ଶୁକ୍ରବାର ପୂର୍ବାହ୍ନ ୧୦ଟାରେ ଶତାଧିକ ଗ୍ରାମବାସୀ, ଛାତ୍ରଛାତ୍ରୀ ଓ ଅଭିଭାବକ ବିଦ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହିତ ନାରାବାଜି କରିଥିଲେ। ଶ୍ରୀ ନାୟକଙ୍କ ବଦଳି ଆଦେଶ ରଦ୍ଦ ନହେଲେ ବିଦ୍ୟାଳୟ ଫାଟକରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ତାଲା ପକାଇବାକୁ ଉମାକାନ୍ତ ନାୟକ, ଗଣେଶ ସାହୁ, ମନୋଜ ପାଗଳ,  ବିଶ୍ୱଜିତ ନାୟକ, ଗୌରାଙ୍ଗ ଦାସ, ନିରଂଜନ ସେଠି, ଶିବଶଂକର ସାହୁ, ମନୋଜ ସାହୁଙ୍କ ସମେତ ବହୁଜଣ ଚେତାବନୀ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe