ବିଦ୍ୟୁତ ବିତରଣ କଂପାନିର ଘରୋଇକରଣକୁ ବିରୋଧ

ସମ୍ବଲପୁର : ଓଡ଼ିଶା ଭଳି ଛୋଟ ରାଜ୍ୟରେ ଓ୍ଵସ୍କୋ, ସାଉଥ୍‌କୋ, ନେସ୍‌କୋ, ସାଉଥ୍‌କୋ ଭଳି ବିଦ୍ୟୁତ ବିତରକ କଂପାନିର କୌଣସି ଆବଶ୍ୟକତା ନାହିଁ। ଏସବୁ କଂପାନି ବଦଳରେ କେରଳ, ହିମାଚଳ ପ୍ରଦେଶ ଆଦି ରାଜ୍ୟ ଭଳି ଗୋଟିଏ କର୍ପୋରେସନ ଗଠନ କରାଯାଉ ବୋଲି ଅଲ୍‌ ଓଡ଼ିଶା ପାଓ୍ଵାର ଇଂଜିନିୟର୍ସ ଫେଡେରେସନ ପକ୍ଷରୁ ଦାବି କରାଯାଇଛି।

ବୁଧବାର ସମ୍ବଲପୁର ହୋଟଲ କାବେରିରେ ଅନୁଷ୍ଠିତ କାର୍ଯ୍ୟକାରିଣୀ ବୈଠକ ପରେ ଫେଡେରେସନର ଅଧ୍ୟକ୍ଷ ଇଂ.ବିଶ୍ୱରଂଜନ ମିଶ୍ର ସାମ୍ବାଦିକମାନଙ୍କୁ ସୂଚନା ଦେଇ କହିଲେ, ବିଦ୍ୟୁତ ସେକ୍ଟର ଘରୋଇକରଣ ଓଡ଼ିଶା ଭଳି ଦିଲ୍ଲୀରେ ମଧ୍ୟ ଫେଲ୍‌ ମାରିଛି। ତେଣୁ ଏହାର ପୁନର୍ବାର ଘରୋଇକରଣ କରାଗଲେ କୌଣସି ଲାଭ ହେବ ନାହିଁ। ଫେଡେରେସନ ଏହାର ତୀବ୍ର ବିରୋଧ କରୁଛି। ଏବେ ରାଜ୍ୟରେ ବିଦ୍ୟୁତ ଚୋରି ବଢ଼ିଛି। ବିଦ୍ୟୁତ ଥାନା କିଛି କାମର ନୁହେଁ। ବିଦ୍ୟୁତ ଚୋରି ରୋକିବାକୁ ହେଲେ ସ୍ୱତନ୍ତ୍ର ନୀତିର ଆବଶ୍ୟକତା ରହିଛି। ପୁଲିସ୍‌-ପ୍ରଶାସନ ଓ ଯନ୍ତ୍ରୀମାନଙ୍କୁ ମିଳିତ ଭାବେ କାମ କରିବାକ୍‌ୁ ପଡ଼ିବ। ରାଜ୍ୟ ସରକାର ଭିତ୍ତିଭୂମି ବିକାଶକୁ ଏବେ ଗୁରୁତ୍ୱ ଦେଉଛନ୍ତି। ତେଣୁ ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ବିଦ୍ୟୁତ କ୍ଷେତ୍ରରେ ମଧ୍ୟ ସମସ୍ୟା ସୃଷ୍ଟି ହେଉଛି। ବାଧ୍ୟ ହୋଇ ପାଓ୍ଵାର କଟ୍‌ ହେଉଛି। ତେବେ ପାଓ୍ଵାର କଟ୍‌ ହେଲେ ଯନ୍ତ୍ରୀମାନଙ୍କୁ ଲୋକଙ୍କ ଆକ୍ରୋଶର ସମ୍ମୁଖୀନ ହେବାକୁ ପଡ଼ୁଛି। ଗତ ୨୦ ବର୍ଷ ତଳେ ଯେତିକି ଉପଭୋକ୍ତା ଥିଲେ, ଏବେ ସେହି ସଂଖ୍ୟାର ୩.୫ ଗୁଣ ବୃଦ୍ଧି ପାଇଛି। କର୍ମଚାରୀ ସଂଖ୍ୟା କିନ୍ତୁ ବୃଦ୍ଧି ପାଇବା ବଦଳରେ ଏକ ତୃତୀୟାଂଶ କମି ଯାଉଛି। ଫଳରେ ଗ୍ରାହକଙ୍କୁ ଉପଯୁକ୍ତ ସେବା ଯୋଗାଇବାରେ ଏହା ପ୍ରତିବନ୍ଧକ ସାଜିଛି।

ତେବେ ଜିଲ୍ଲା ପ୍ରଶାସନ ଏହି ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନେବା ବଦଳରେ ପାଲଟା ଯନ୍ତ୍ରୀମାନଙ୍କୁ ହଇରାଣ କରୁଛନ୍ତି ବୋଲି ଫେଡେରେସନର ଅଧ୍ୟକ୍ଷ ଇଂ.ମିଶ୍ର ଅଭିଯୋଗ ଆଣିଛନ୍ତି। ୧୯୯୯ରୁ ୨୦୧୭ ମସିହା ମଧ୍ୟରେ ବିଦ୍ୟୁତ ବିତରଣ ସଂକ୍ରାନ୍ତରେ ରାଜ୍ୟ ସରକାର ଏବେ ଶ୍ୱେତପତ୍ର ପ୍ରକାଶ କରନ୍ତୁ ବୋଲି ସେ ଦାବି କରିଛନ୍ତି। ବିଦ୍ୟୁତ ବିତରଣ କାର୍ଯ୍ୟର ଘରୋଇକରଣ ନକରିବା, ଫ୍ରାଇନ୍‌ଚାଇଜି ବ୍ୟବସ୍ଥା ବନ୍ଦ କରିବା, ସବୁ ଉପଭୋକ୍ତାଙ୍କ ମିଟର ବସାଇବା ପାଇଁ ସ୍ୱତନ୍ତ୍ର ପାଣ୍ଠି ବ୍ୟବସ୍ଥା କରିବା, ଖାଲି ପଡ଼ିଥିବା ଯନ୍ତ୍ରୀ ଓ ବୈଷୟିକ କର୍ମଚାରୀ ନିଯୁକ୍ତି, ଦରମା ପୁନଃ ନିର୍ଧାରଣ, ଅସ୍ଥାୟୀ ଯନ୍ତ୍ରୀକୁ ସ୍ଥାୟୀ ନିଯୁକ୍ତି, ସବୁ କର୍ମଚାରଙ୍କ ପାଇଁ ସ୍ୱାସ୍ଥ୍ୟ ବୀମା ବ୍ୟବସ୍ଥା ଆଦି ୨୦ଟି ଦଫା ଦାବି କରାଯାଇଛି। ଫେଡେରେସନ ରାଜ୍ୟ ସରକାରଙ୍କ ସହ ଅଲୋଚନା ଜରିଆରେ ଦାବି ପୂରଣ କରିବାକୁ ଗୁରୁତ୍ୱ ଦେଉଛି। ଦାବିପୂରଣ ନହେଲେ ବାଧ୍ୟ ହୋଇ ଆଗାମୀ ଦିନରେ ଆନ୍ଦୋଳାନାତ୍ମକ ପଦକ୍ଷେପ ନିଆଯିବ ବୋଲି ଇଂ.ମିଶ୍ର କହିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ମହାସଚିବ ଇଂ.ବ୍ରହ୍ମ ପ୍ରକାଶ ପାଇଟାଲ, ଅତିରିକ୍ତ ମହାସଚିବ ଇଂ.ଜଗନ୍ନାଥ ବାରିକି ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର