ସମ୍ବଲପୁର ଦୂରଦର୍ଶନ କେନ୍ଦ୍ର ବିରୋଧରେ ଷଡ଼ଯନ୍ତ୍ରର ପ୍ରତିବାଦ

ପଞ୍ଚମ ଦିନରେ ନୀଳଚକ୍ରର ଧାରଣା

ସମ୍ବଲପୁର: ସମ୍ବଲପୁର ଦୂରଦର୍ଶନ କେନ୍ଦ୍ରକୁ ବନ୍ଦ କରିବା ପାଇଁ ଚାଲିଥିବା ଚକ୍ରାନ୍ତକୁ ବିରୋଧ କରି ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ନୀଳଚକ୍ର ପକ୍ଷରୁ ଚାଲିଥିବା ଧାରଣା ପଞ୍ଚମ ଦିନରେ ପହଞ୍ଚିଛି। ଦାବି ପୂରଣ ନହେବା ଯାଏ ସେମାନେ ଧାରଣାରୁ ଉଠିବେ ନାହିଁ ବୋଲି ନୀଳଚକ୍ରର ସଭାପତି ବଂଶୀଧର କର ଚେତାବନୀ ଦେଇଛନ୍ତି। ସେମାନେ ସମ୍ବଲପୁର କେନ୍ଦ୍ରର କାର୍ଯ୍ୟକ୍ରମ ବିଭାଗ‌େର ଖାଲି ପଡ଼ିଥିବା ସମସ୍ତ ପଦ ପୂରଣ କରିବା ସହ ସମ୍ବଲପୁର କେନ୍ଦ୍ରର ଭାରପ୍ରାପ୍ତ ଦାୟିତ୍ବରେ ଥିବା ଭୁବନେଶ୍ବର ଦୂରଦର୍ଶନ କେନ୍ଦ୍ର ମୁଖ୍ୟ ଦୀପ୍ତି ମିଶ୍ରଙ୍କୁ ସମ୍ବଲପୁର ବଦଳି କରିବାକୁ ଦାବି କରିଛନ୍ତି। ଶ୍ରୀମତୀ ମିଶ୍ର ନିଜେ ଧାରଣାସ୍ଥଳରେ ଉପସ୍ଥିତ ରହି ଦାବିପତ୍ର ଗ୍ରହଣ କରିବା, ‌କେନ୍ଦ୍ରର ଶେଷ କାର୍ଯ୍ୟକ୍ରମ ବିଭାଗ କର୍ମଚାରୀ କ୍ୟାମେରାମ୍ୟାନ୍ ସୁଧାଂଶୁ ପୃଷ୍ଟିଙ୍କ ବଦଳି ବାତିଲ କରିବା, ମୁଜାଫର୍‌ପୁର ପଠା ଯାଇଥିବା ଉଚ୍ଚ କ୍ଷମତା ସମ୍ପନ୍ନ କ୍ୟାମେରାକୁ ଫେରାଇ ଆଣିବାକୁ ଦାବି କରାଯାଇଛି। ସେହିପରି ଦୂରଦର୍ଶନ କେନ୍ଦ୍ରର ବହୁ କର୍ମଚାରୀ ମିଛ ଭାଉଚର ଦେଇ ସରକାରଙ୍କ ଲକ୍ଷଲକ୍ଷ ଟଙ୍କା ହଡ଼ପ କରିଥିବାରୁ ସେଗୁଡ଼ିକ ଆଦାୟ କରିବା ସହ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି। ମଙ୍ଗଳବାର ଅନ୍ୟ ମାନଙ୍କ ମଧ୍ୟରେ ଭକ୍ତପ୍ରସାଦ ନନ୍ଦ, ସଚ୍ଚିଦାନନ୍ଦ ପ୍ରଧାନ, ରବି ନାରାୟଣ ପଣ୍ଡା, ଜୀବର୍ଦ୍ଧନ ରାଉତ, ରବି ନାରାୟଣ ମିଶ୍ର, ଦେବାଶିଷ ସାହୁ, ସୁଶୀଲ ବେହେରା, ସୁବାସ ପଟ୍ଟନାୟକ, ଚତୁର୍ଭୁଜ ଗର୍ଡିଆ, ଜୟନ୍ତୀ ବାଗ, ଭକ୍ତ ପଣ୍ଡା ପ୍ରମୁଖ ଧାରଣାରେ ବସିଥିଲେ।

ସମ୍ବନ୍ଧିତ ଖବର