ବ୍ରହ୍ମବରଦା : ରସୁଲପୁର ବ୍ଲକ୍‌ ବ୍ରହ୍ମବରଦା ମହାବିଦ୍ୟାଳୟ ପରିସରରେ ଥିବା କେତେକ ଗଛକୁ ବିନା ପରାମର୍ଶରେ ଜନୈକ ଠିକାଦାର କାଟି ଦେଇଛନ୍ତି। ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଗଛ କାଟିଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଦାବି କରିଛନ୍ତି। ଖବର ପାଇ ବନ ବିଭାଗ କର୍ମଚାରୀ ମହାବିଦ୍ୟାଳୟ ପରିସରରେ ପହଞ୍ଚି ଗଛ କଟାକୁ ବନ୍ଦ ରଖିଛନ୍ତି।

Advertisment

publive-image

ସୂଚନା ଅନୁଯାୟୀ, ବ୍ରହ୍ମବରଦା ମହାବିଦ୍ୟାଳୟରେ ଗୃହ ନିର୍ମାଣ ପାଇଁ ରାଜ୍ୟସଭା ସାଂସଦଙ୍କ ଆଞ୍ଚଳିକ ଉନ୍ନୟନ ପାଣ୍ଠିରୁ ୧୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ଏହି କାମ କରୁଥିବା ଠିକାଦାର ବିନା ପରାମର୍ଶରେ ମହାବିଦ୍ୟାଳୟ ପରିସରରେ ଥିବା ଏକାଧିକ ଆକାଶି, ନଡ଼ିଆ, ଝାଉଁ, ଶାଗୁଆନ, କୃଷ୍ଣଚୂଡ଼ା ଭଳି ଗଛକୁ କାଟି ବିକ୍ରି କରି ଦେଇଛନ୍ତି। ମହାବିଦ୍ୟାଳୟ ପରିସରରେ ଥିବା ଅନ୍ୟ କେତେକ ଗଛ କାଟିବାକୁ ଉଦ୍ୟମ କରିଥ‌ିଲେ। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ଚଣ୍ତିଖୋଲ ବନ ବିଭାଗ କର୍ମଚାରୀ ମନୋଜ କୁମାର ନାୟରଙ୍କ ନେତୃତ୍ବରେ ବନ କର୍ମଚାରୀମାନେ ପହଞ୍ଚି ବେଆଇନ ଗଛକଟାକୁ ବନ୍ଦ କରିଥିଲେ। ବିଭାଗୀୟ ଅଧିକାରୀଙ୍କ ଅନୁମତି ଆଣି ଗଛ କାଟିବାକୁ ନିଦେର୍ଶ ଦେଇଥିଲେ।

ଏନେଇ ମହାବିଦ୍ୟାଳୟର ଅଧ୍ୟକ୍ଷ ସୁଦର୍ଶନ ପୃଷ୍ଟିଙ୍କୁ ପଚାରିବାରୁ ସେ ଗଛ କାଟିବା ବିଷୟରେ ଜାଣିଛନ୍ତି, ହେଲେ ସମ୍ପୃକ୍ତ ଠିକାଦାର ଏବିଷୟରେ ଅନୁମତି ନେବାର ଆବଶ୍ୟକତା ଥିଲା ବୋଲି କହିଛନ୍ତି। ଅନ୍ୟପକ୍ଷରେ ସାମନ୍ତରାପୁର ଆରଆଇ ନୃସିଂହ ଚରଣ ବେହେରା ଘଟଣା ସମ୍ପର୍କରେ କିଛି ଜାଣିନାହାନ୍ତି ବୋଲି କହିଛନ୍ତି।