ଲୋକସେବା ଭବନରେ ପ୍ରଶାସନିକ ବିଭାଗ-ନିର୍ଦେଶାଳୟ ମିଶ୍ରଣ ନିଷ୍ପତ୍ତିକୁ ସଚିବାଳୟ କର୍ମଚାରୀ ସେବା ସଂଘର ବିରୋଧ

ଭୁବନେଶ୍ବର : ଲୋକସେବା ଭବନରେ ପ୍ରଶାସନିକ ବିଭାଗ-ନିର୍ଦେଶାଳୟ ମିଶ୍ରଣ ନିଷ୍ପତ୍ତିକୁ ଲୋକ ସେବା ଭବନ କର୍ମଚାରୀମାନେ ତୀବ୍ର ବିରୋଧ କରୁଥିବା ଜଣାଯାଇଛି।ଏଥିଲାଗି  ସଚିବାଳୟ କର୍ମଚାରୀ ସେବା ସଂଘର ଜରୁରୀ ବୈଠକ ଜାରି ରହିଛି। ଏଥିରେ ପ୍ରାୟ ୫୦୦ କର୍ମଚାରୀ ସାମିଲ ହୋଇ ବିରୋଧ ଜାରି ରଖିଛନ୍ତି।

ସୂଚନାଯୋଗ୍ୟ ମୁଖ୍ୟଶାସନ ସଚିବଭାବେ ଅସିତ କୁମାର ତ୍ରିପାଠୀ ଦାୟିତ୍ବ ନେବା ପରେ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନରେ ପ୍ରଥମ ସଂସ୍କାର ଆଣିଛନ୍ତି। ରାଜ୍ୟ ପ୍ରଶାସନ କାର୍ଯ୍ୟାନ୍ବୟନରେ ବଡ଼ ଧରଣର ପରିବର୍ତନ କରାଯାଇଛି। ଦୀର୍ଘ ବର୍ଷ ଧରି ଚାଲିଥିବା ପାରମ୍ପରିକ ଢାଞ୍ଚାକୁ ସରକାର ବଦଳାଇ ଦେଇଛନ୍ତି। ଏଣିକି ପ୍ରଶାସନିକ ବିଭାଗ ଓ ନିର୍ଦ୍ଦେଶାଳୟ ଗୋଟିଏ ଛାତ ତଳେ କାମ କରିବେ। ଆଜି ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଧିବଦ୍ଧ ସଂକଳ୍ପ ଜାରି ହୋଇଛି। ଏହା ଫଳରେ ସରକାରୀ କାର୍ଯ୍ୟ ସହଜ ହେବା ସହ ନିଷ୍ପତ୍ତି ପ୍ରକ୍ରିୟା ତ୍ବରାନ୍ବିତ ହେବ ବୋଲି ସରକାର ଆଶା ରଖିଛନ୍ତି।

ଉଭୟ ପ୍ରଶାସନିକ ବିଭାଗ ଓ ସଂପୃକ୍ତ ନିର୍ଦ୍ଦେଶାଳୟ ପାଇଁ ଗୋଟିଏ ଅଫିସ୍ ଏଷ୍ଟାବ୍ଲିସ୍ମେଣ୍ଟ୍, ଇସ୍ୟୁ ଓ ଆକାଉଣ୍ଟ୍ସ୍ ଏବଂ କ୍ୟାସ୍ ବିଭାଗର ପୁନର୍ଗଠନ କରାଯିବ। ଡିଡିଓ, ଏଷ୍ଟାବ୍ଲିସ୍ମେଣ୍ଟ୍ ଅଫିସର୍ ଓ କର୍ମଚାରୀଙ୍କୁ କମ୍ପୋଜିଟ୍ ବିଭାଗର ଆବଶ୍ୟକତା ଅନୁଯାୟୀ ନିୟୋଜିତ କରାଯିବ। ସମୟ ଅପଚୟ ଓ ଗୋଟିଏ କାମକୁ ଦୁଇ ଥର ଯେପରି କରା ନ ଯାଏ, ସେ ଦିଗ ପ୍ରତି ଧ୍ୟାନ ଦେବାକୁ ସରକାର ଗୁରୁତ୍ବ ଦେଇଛନ୍ତି।

ଯଦି କୌଣସି ବିଭାଗରେ କର୍ମଚାରୀ ବଳକା ରୁହନ୍ତି, ତେବେ ସାଧାରଣ ପ୍ରଶାସନ ବିଭାଗକୁ ସେମାନଙ୍କୁ ପଠାଯିବ। ସାଧାରଣ ପ୍ରଶାସନ ବିଭାଗ ସେମାନଙ୍କୁ ଆବଶ୍ୟକତା ଅନୁଯାୟୀ ନିୟୋଜିତ କରିବ। ତେବେ ଅର୍ଥ ବିଭାଗର ଗାଇଡ୍ଲାଇନ୍ ଅନୁଯାୟୀ ତଳ ସ୍ତରରେ ଖାଲି ଥିବା ପଦବି ଉଚ୍ଛେଦ କରାଯିବ ବୋଲି ସରକାର ସ୍ପଷ୍ଟ କରିଛନ୍ତି।

କମ୍ପୋଜିଟ୍ ବିଭାଗରେ କାମ କରୁଥିବା କର୍ମଚାରୀମାନଙ୍କ କ୍ୟାଡର୍ ରୁଲରେ ପରିବର୍ତ୍ତନ ହେବ ନାହିଁ। ପୂର୍ବ ପରି ସେମାନଙ୍କ କ୍ୟାଡର୍ ଅନୁଯାୟୀ ଆବଶ୍ୟକ ସୁବିଧାସୁଯୋଗ ବଜାୟ ରହିବ। କର୍ମଚାରୀଙ୍କ ପଦୋନ୍ନତି, ମୃତ୍ୟୁ, ଇସ୍ତଫା କ୍ଷେତ୍ରରେ ବିଭାଗୀୟ ମୁଖ୍ୟର ବେସ୍ ଲେଭଲ୍ ପଦବି ଉଚ୍ଛେଦ ହେବ। ସଂପୃକ୍ତ ପଦବିଗୁଡ଼ିକ ବିଭାଗୀୟ ମୁଖ୍ୟ ପାଇଁ ଉଦ୍ଦିଷ୍ଟ ସେକ୍ରେଟାରିଏଟ୍ କମନ୍ କ୍ୟାଡର୍ରୁ ପୂରଣ ହେବ। ବିଭାଗୀୟ ମୁଖ୍ୟ କ୍ୟାଡର୍ ଅନ୍ତର୍ଭୁକ୍ତ ଜୁନିୟର୍ ଆସିଷ୍ଟାଣ୍ଟ୍ ପଦବିରେ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ନିଯୁକ୍ତି ହୋଇପାରିବ ନାହିଁ। ଆସନ୍ତା ଆର୍ଥିକ ବର୍ଷରୁ ପ୍ରଶାସନିକ ବିଭାଗ ଏହି କମ୍ପୋଜିଟ୍ ବିଭାଗ ପାଇଁ ଅର୍ଥ ବିଭାଗ ସହ ପରାମର୍ଶ କରି ବଜେଟ୍ ବ୍ୟବସ୍ଥା କରିବେ।

 

ସମ୍ବନ୍ଧିତ ଖବର