ଭୁବନେଶ୍ବର: କୋରାପୁଟର କୋଡିଙ୍ଗମାଲି ଖଣି‌ର ବକ୍ସାଇଟ୍‌କୁ ଆନ୍ଧ୍ରର ଏକ ଘରୋଇ ସଂସ୍ଥାକୁ ବିକ୍ରି କରିବାକୁ ହୋଇଥିବା ନିଷ୍ପତ୍ତିକୁ ଦୁଇ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ଓ ପବିତ୍ର ସାଉନ୍ତା ଦୃଢ଼ ବି‌ରୋଧ କରିଛନ୍ତି। ସେମାନେ ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇଛନ୍ତି। ଏହି ଖଣି ରାଜ୍ୟ ସରକାରଙ୍କ ଉଦ୍ୟୋଗ ଓଡ଼ିଶା ଖଣି ନିଗମ (ଓଏମ୍‌ସି) ଅଧୀନରେ ରହିଛି। ଆଲୁମିନିୟମ ଶିଳ୍ପର କଞ୍ଚାମାଲ ଆବଶ୍ୟକତା ପୂରଣ କରିବା ଲାଗି ଖଣି ଦିଆଯାଇଥିଲା। କିନ୍ତୁ ଖଣିରୁ ବାହାରୁ ଥିବା ବକ୍ସାଇଟ୍‌କୁ ଆନ୍ଧ୍ରପ୍ରଦେଶର ଏକ ଘରୋଇ କମ୍ପାନିକୁ ବିକ୍ରି କରିବା ଲାଗି ଓଏମ୍‌ସି ନିଷ୍ପତ୍ତି ନେଇଥିବାରୁ ତାହାକୁ ଦୁଇ ବିଧାୟକ ବିରୋଧ କରିଛନ୍ତି।

Advertisment

ଶ୍ରୀ ବାହିନୀପତି କହିଛନ୍ତି ଯେ ଆମ ଖଣିଜ ପଦାର୍ଥ ବାହାର ଲୋକଙ୍କୁ ଦିଆଯିବା ଉଚିତ ନୁହେଁ। ଆମେ ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ଦେଇଛୁ। କିନ୍ତୁ ଏ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ହେଉନି। ଆନ୍ଧ୍ରର କମ୍ପାନି ସହ ହୋଇଥିବା ଚୁକ୍ତି ବାତିଲ କରିବାକୁ ଓଏମ୍‌ସିକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦିଅନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି। ଓଡ଼ିଶାର କୌଣସି ଉଦ୍ୟୋଗକୁ ବକ୍ସାଇଟ୍‌ ଦେଲେ ଆମେ ବିରୋଧ କରିବୁ ନାହିଁ ବୋଲି ସେ କହିଛନ୍ତି। ସ୍ଥାନୀୟ ଆଦିବାସୀମାନେ ଦୀର୍ଘଦିନ ଧରି ଧାରଣାରେ ବସିଛନ୍ତି। ଯଦି କୌଣସି ଅପ୍ରୀତିକର ପରିସ୍ଥିତି ଉପୁଜିବ କିମ୍ବା ଗୁଳି ବିନିମୟ ହେବ ତେବେ କିଏ ଦାୟୀ ରହିବେ ବୋଲି ସେ ପ୍ରଶ୍ନ କରିଛନ୍ତି।
ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉନ୍ତା କହିଛନ୍ତି ଯେ ଆନ୍ଧ୍ର କମ୍ପାନି ଓଡ଼ିଶାରୁ ବକ୍ସାଇଟ ନେଇ ବାହାରକୁ ରପ୍ତାନି କରିବାର ଯୋଜନା ରଖିଛି। ମୂଲ୍ୟ ବୃଦ୍ଧି ହେଲେ ‌ତାହାକୁ ପୁଣି ଅଧିକ ଦାମ୍‌ରେ ଓଡ଼ିଶାକୁ ଆମଦାନି କରିବ। ଏହା ଯଦି ସତ ହୋଇଥିବ ତେବେ ସରକାରଙ୍କ ମେକ୍ ଇନ୍ ଇଣ୍ଡିଆ ଓ ମେକ୍ ଇନ୍ ଓଡ଼ିଶା କେବଳ ସ୍ଲୋଗାନରେ ସୀମିତ ରହିଯିବ। ଏହାଛଡ଼ା ଏ ବାବଦରେ ସରକାର କୋଟି କୋଟି ଟଙ୍କାର ରାଜସ୍ବ ହରାଇବେ ବୋଲି ସେ କହିଛନ୍ତି। ଅଂଶୀଦାରଙ୍କ ସହ ଆଲୋଚନା କରି ମନ୍ତ୍ରୀ ଏହି ପ୍ରସଙ୍ଗରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବେ ଓ ଚୁକ୍ତି ବାତିଲ କରିବେ ବୋଲି ସେ ଆଶା ପ୍ରକଟ କରିଛନ୍ତି।