ଶିକ୍ଷିତ ବେକାରଙ୍କ ପ୍ରତି ଉପହାସ : ନିରଞ୍ଜନ
ଦାୟିତ୍ବ ଖସାଇବାକୁ ଚାଲ୍‌ : ପ୍ରଦୀପ୍ତ ନାଏକ
କଂଗ୍ରେସ ଭବନରେ ଜୋତା ପଲିସି କରି ପ୍ରତିବାଦ

Advertisment

ଭୁବନେଶ୍ବର : କରୋନା ପାଇଁ ରାଜ୍ୟ ସରକାର ଦୁଇ ବର୍ଷ ଯାଏ ସରକାରୀ ନିଯୁକ୍ତି ଉପରେ କଟକଣା ଲଗାଇଛନ୍ତି। ଗତକାଲି ଅର୍ଥ ବିଭାଗ ସଚିବ ଏହି ପ୍ରସଙ୍ଗରେ ସବୁ ବିଭାଗକୁ ଚିଠି ଦେଲା ପରେ ଏହାକୁ ନେଇ ବିରୋଧୀ ତାତିଛନ୍ତି। ସରକାରଙ୍କ ଏହି ନିଷ୍ପତ୍ତିକୁ ଉଭୟ କଂଗ୍ରେସ ଓ ବିଜେପି ଭର୍ତ୍ସନା କରିଛନ୍ତି। ଶିକ୍ଷିତ ବେକାରଙ୍କ ପ୍ରତି ଏହା ଚରମ ଉପହାସ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଥିଲା ବେଳେ ନିଜ ଦାୟିତ୍ବ ଖସାଇବାକୁ ରାଜ୍ୟ ସରକାରଙ୍କର ଏହା ଚାଲ୍‌ ବୋଲି କହିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ।

ବିରୋଧୀ ଦଳ ନେତା ଶ୍ରୀ ନାଏକ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଦୀର୍ଘ ୨୦ ବର୍ଷ ଭିତରେ କେବଳ ଖର୍ଚ୍ଚ କାଟ କରି ସରକାର ଚଲାଇଛନ୍ତି। ଅନେକ ବିଭାଗରେ ସରକାରୀ ପଦବି ଦୀର୍ଘ ବର୍ଷ ଧରି ଖାଲି ପଡ଼ିବା ପରେ ବି ପୂରଣ ହେଉନି । ବିଶେଷ କରି ଶିକ୍ଷା ଓ ସ୍ୱାସ୍ଥ୍ୟ ବିଭାଗରେ ଅନେକ ପଦବି ଖାଲି ରହିଛି । ରାଜ୍ୟର ଅନେକ ସ୍କୁଲରେ ଶିକ୍ଷକ ନାହାନ୍ତି। ଏବେ କରୋନାକୁ ଏକ ବାହାନା ବନାଇ ଖର୍ଚ୍ଚ କାଟ କରିବା ପାଇଁ ସରକାରୀ ନିଯୁକ୍ତିକୁ ୨ ବର୍ଷ ଲାଗି ବନ୍ଦ କରିବା ନିଷ୍ପତି ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ପ୍ରତି ବର୍ଷ ରାଜ୍ୟରେ ବେକାରୀ ସମସ୍ୟା ବଢିବାରେ ଲାଗିଛି । ଏହି ସମସ୍ୟାର ସ୍ଥାୟୀ ସମାଧାନ କରିବାକୁ ରାଜ୍ୟ ସରକାର ଚାହୁଁ ନାହାନ୍ତି। ସେହିପରି ରାଜ୍ୟରେ ରାଜସ୍ୱ ଆଦାୟ କରିବା ପାଇଁ ଅନେକ ବିକଳ୍ପ ବ୍ୟବସ୍ଥା ରହିଛି। ଓଡ଼ିଶାର ବିଧାୟକମାନଙ୍କର ଏମ୍‌ଏଲ୍‌ଏ ଲାଡ୍ ଫଣ୍ଡକୁ ୨ ବର୍ଷ ପାଇଁ ବନ୍ଦ କରିବା ସହ ବିଧାୟକ ଏବଂ ମନ୍ତ୍ରୀଙ୍କର ଦରମା ଅନ୍ୟୁନ ୧ ବର୍ଷ ପାଇଁ ୩୦ ପ୍ରତିଶତ କମ କରିବାକୁ ଶ୍ରୀ ନାଏକ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି। ଏହା ସହ ରାଜ୍ୟର ବିଭିନ୍ନ ସରକାରୀ ସଂସ୍ଥା ଯଥା ବିକାଶ ପରିଷଦ ଓ ରାଜ୍ୟ ସରକାରଙ୍କ ଉଦ୍ୟୋଗ ଗୁଡିକରେ ସଭାପତି/ଅଧ୍ୟକ୍ଷ ଥିବା ରାଜନୈତିକ ବ୍ୟକ୍ତିବିଶେଷ ମଧ୍ୟ ୩୦ ପ୍ରତିଶତ କମ ଦରମା ନେବାକୁ ଶ୍ରୀ ନାଏକ ଅନୁରୋଧ କରିଛନ୍ତି।

ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ କୋଭିଡ୍‌ ମୁକାବିଲାକୁ ନେଇ ରାଜ୍ୟ ସରକାର ସରକାରୀ କାର୍ଯ୍ୟକ୍ରମରେ ଯେଉଁ ଆର୍ଥିକ କଟକଣା ଜାରି କରିଛନ୍ତି ତାହା କେତେକାଂଶରେ ଗ୍ରହଣୀୟ। ଶିକ୍ଷିତ ବେକାର ଯୁବକ, ଯୁବତୀଙ୍କୁ ସରକାରୀ ଚାକିରି କ୍ଷେତ୍ରରେ ନିଯୁକ୍ତି ପ୍ରଦାନ ପ୍ରକ୍ରିୟା ସମ୍ପୂର୍ଣ୍ଣ ର‌ୂପେ ବନ୍ଦ କରିବା ଗ୍ରହଣୀୟ ନୁହେଁ। ଖୋଦ୍‌ ମୁଖ୍ୟମନ୍ତ୍ରୀ ବର୍ଷକୁ ୨ ଲକ୍ଷ କର୍ମନିଯୁକ୍ତି ଯୋଗାଇ ଦେବା ନେଇ ଆଗରୁ ଘୋଷଣା କରିଥିଲେ। ଆଜିର ଦିନରେ କୋଭିଡ୍‌ ବିପତି ସମୟରେ ଯେତେବେଳେ ସମଗ୍ର ରାଜ୍ୟରେ କର୍ମନିଯୁକ୍ତିର ଘୋର ଅଭାବ ଦେଖାଦେଇଛି, ସେହି ସମୟରେ ଲୋକଙ୍କୁ କର୍ମନିଯୁକ୍ତି ଦେବା ସରକାରଙ୍କର ପ୍ରାଥମିକତା ହେବା ଉଚିତ। କିନ୍ତୁ ସରକାରଙ୍କ ନିଯୁକ୍ତି ବନ୍ଦ ନିଷ୍ପତ୍ତି ଶିକ୍ଷିତ ଯୁବକ, ଯୁବତୀଙ୍କୁ ମାନସିକ ଆଘାତ ଦେଇଛି। ପୁଣି ବର୍ତ୍ତମାନ ସମୟରେ ରାଜ୍ୟ ବାହାରୁ ଲକ୍ଷ ଲକ୍ଷ ଅଣକୁଶଳି, କୁଶଳି ଓ ଅତି କୁଶଳି ଶ୍ରମିକ ଓଡ଼ିଶା ପ୍ରତ୍ୟାବର୍ତ୍ତନ କରୁଛନ୍ତି। ସେମାନେ ମଧ୍ୟ କର୍ମନିଯୁକ୍ତି ଆଶାରେ ସରକାରଙ୍କ ଉପରେ ନିର୍ଭର କରି ରହିଛନ୍ତି। ମନରେଗା ସମସ୍ତଙ୍କୁ କର୍ମନିଯୁକ୍ତି ଦେବାର ଏକମାତ୍ର ବିକଳ୍ପ ନୁହେଁ। ସରକାର ବୁଝିବା ଦରକାର ଯେ ଜୀବିକା ବିପନ୍ନ ହେଲେ ଜୀବନ ବିପନ୍ନ ହେବାର ଆଶଙ୍କା ସବୁଠାରୁ ଅଧିକ। ସରକାରୀ ନିଯୁକ୍ତି ଉପରେ ଦୁଇ ବର୍ଷ ପାଇଁ ହୋଇଥିବା କଟକଣାକୁ ସରକାର ତୁରନ୍ତ ପ୍ରତ୍ୟାହାର କରିବାକୁ ଶ୍ରୀ ପଟ୍ଟନାୟକ ଦାବି କରିଛନ୍ତି।

ଆଜି କଂଗ୍ରେସ ଭବନରେ ଯୁବ କଂଗ୍ରେସ ପକ୍ଷରୁ ଅଭିନବ ଢଙ୍ଗରେ ସରକାରଙ୍କ ଏହି ନିଷ୍ପତ୍ତିର ପ୍ରତିବାଦ କରାଯାଇଥିଲା। ଯୁବ କଂଗ୍ରେସ କର୍ମକର୍ତ୍ତମାାନେ ଜୋତା ପଲିସି କରି ପ୍ରତିବାଦ ଜଣାଇଥିଲେ। ବିଧାୟକ ସୁରେଶ ରାଉତରାୟ ଓ ଯୁବ କଂଗ୍ରେସ ସଭାପତି ସ୍ମୃତି ଲେଙ୍କା ଏହି କ‌ାର୍ଯ୍ୟକ୍ରମରେ ଯୋଗ ଦେଇ ସରକାର ତାଙ୍କ ନିଷ୍ପତ୍ତି ପ୍ରତ୍ୟାହାର କରିବାକୁ ଦାବି କରିଥିଲେ।