ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିକୁ କଡ଼ା ବିରୋଧ

ଭୁବନେଶ୍ବର : କରୋନା ପରିସ୍ଥିତି ଲୋକଙ୍କ ଆର୍ଥିକ ସ୍ଥିତିକୁ ଦୋହଲାଇ ଦେଇଥିବାବେଳେ କେନ୍ଦ୍ର ସରକାର ବାରମ୍ବାର ପେଟ୍ରୋଲ ଓ ଡିଜେଲ୍‌ ଦରରେ ବୃଦ୍ଧି କରିଚାଲିଛନ୍ତି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର କମୁଥିବାବେଳେ ମୋଦୀ ସରକାର ବିଭିନ୍ନ ସେସ୍‌ ଓ ଉତ୍ପାଦ ଶୁଳ୍କ ବୃଦ୍ଧି କରିଛନ୍ତି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ବିଜେଡି ଓ କଂଗ୍ରେସ କହିଛନ୍ତି। ଅନ୍ୟପଟେ ରାଜ୍ୟ ସରକାରଙ୍କୁ ଦୋଷ ଲଦି ବିଜେପି କହିଛି ରାଜସ୍ବ ପାଇଁ ବିକଳ୍ପ ବାଟ ନ ଖୋଜି ପେଟ୍ରୋଲ ଓ ଡିଜେଲ ଉପରେ ଭାଟ ବୃଦ୍ଧି ହେବାରୁ ଲୋକମାନଙ୍କୁ ଅଧିକ ଦର ଦେବାକୁ ପଡ଼ୁଛି।

କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଥିଲେ, ରାଜ୍ୟ ସରକାର ଭାଟ ବଢ଼ାଉଥିବାବେଳେ କେନ୍ଦ୍ର ସରକାର ଉତ୍ପାଦ ଶୁଳ୍କ ବଢ଼ାଇଚାଲିଛନ୍ତି। ୟୁପିଏ ସରକାର ସମୟରେ ଅଶୋଧିତ ତୈଳ ଦର ୧୩୦ ଟଙ୍କା ଥିଲା। ସେତେବେଳେ ମାତ୍ର କେଇ ପଇସା ବଢ଼ିଲେ ଉଭୟ ବିଜେପି ଓ ବିଜେଡି ରାଜରାସ୍ତାକୁ ଆସି ଆନ୍ଦୋଳନ କରୁଥିଲେ। ଏବେ କାହିଁକି ସେପରି ଆନ୍ଦୋଳନ ଦେଖିବାକୁ ମିଳୁନି। ବର୍ତ୍ତମାନ୍‌ ଅଶୋଧିତ ତୈଳ ଦର ବ୍ୟାରେଲ୍‌ ପିଛା ୨୫ ଡଲାରରୁ କମ୍‌ ଅଛି। ତଥାପି ଦର କମିବାର ନାଁ ନେଉନି। ଏଥିରୁ ଜଣାପଡ଼ୁଛି ଯେ, ଏଇ ଦୁଇ ଦଳ ମିଶିକରି ଅଛନ୍ତି। ଆଗକୁ ଏହି ପ୍ରସଙ୍ଗରେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ ବୋଲି ସେ ଚେତାବନୀ ଦେଇଥିଲେ।

Image Source: Hindustan Times

ବରିଷ୍ଠ ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀ କହିଥିଲେ, ଅଶୋଧିତ ତୈଳ ଦର ଯେପରି ଭାବରେ ଲଗାତାର କମି ଚାଲିଛି ଏହା ତୁଳନାରେ ପେଟ୍ରୋଲ ଓ ଡିଜେଲ୍‌ ଦର କମିବା ପରିବର୍ତ୍ତେ ବଢ଼ିଚାଲିବା ଦୁର୍ଭାଗ୍ୟଜନକ। କୋଭିଡ୍‌-୧୯ ପାଇଁ ତଲାବନ୍ଦ ଯୋଗୁଁ ଲୋକଙ୍କ ଆର୍ଥିକ ପରିସ୍ଥିତି ଖରାପ ହୋଇଛି। ଏଭଳି ସ୍ଥିତିରେ ଦର ବୃଦ୍ଧି ଯୋଗୁଁ ସାଧାରଣ ଲୋକଟି ବହୁ ସମସ୍ୟାର ସମ୍ମୁଖୀନ ହେଉଛି। କେନ୍ଦ୍ର ସରକାରଙ୍କୁ ଯେପରି ଟଙ୍କାର ଆବଶ୍ୟକତା ରହିଛି। ସେହିପରି ରାଜ୍ୟମାନଙ୍କୁ ମଧ୍ୟ ରାଜସ୍ବ ଭରଣା କରିବାର ଆବଶ୍ୟକତା ରହିଛି। ଯେହେତୁ ରାଜସ୍ବ ବୃଦ୍ଧି ପାଇଁ ରାଜ୍ୟ ସରକାରଙ୍କ ପାଖରେ ଆଉ କିଛି ବିକଳ୍ପ ନାହିଁ ତେଣୁ ସରକାର ପେଟ୍ରୋଲ ଓ ଡିଜେଲ୍‌ ଉପରେ ଭାଟ୍‌ ବୃଦ୍ଧି କରିବାକୁ ବାଧ୍ୟ ହୋଇଛନ୍ତି।

ଉଭୟ ବିଜେଡି ଓ କଂଗ୍ରେସକୁ ଜବାବ ଦେଇ ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର କହିଥିଲେ, ତୈଳ ଦର ବୃଦ୍ଧି ନେଇ କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଆଗରୁ ସ୍ପଷ୍ଟ କରିସାରିଛନ୍ତି। ହଠାତ୍‌ ତୈଳ ଦର କମିଗଲେ ଦେଶବାସୀଙ୍କ ପାଇଁ କ୍ଷତିକାରକ। ଦୀର୍ଘ ୨୧ ବର୍ଷ ଶାସନରେ ରହିଲା ପରେ ବି ବିଜେଡି ସରକାର ରାଜସ୍ବ ବୃଦ୍ଧି ପାଇଁ ଆଉ କିଛି ବିକଳ୍ପ ବାଟ ବାହାର କରି ନ ପାରି କେବଳ ପେଟ୍ରୋଲ୍‌ ଓ ଡିଜେଲ୍‌ ଉପରେ ନିର୍ଭର କରିବା ଦୁଃଖଦାୟକ। ରାଜସ୍ବ ପାଇଁ ଅନ୍ୟ ଉପାୟ ଉପରେ ଗୁରୁତ୍ବ ଦେବାର ଆବଶ୍ୟକତା ରହିଛି ବୋଲି ଶ୍ରୀମତୀ ସାମନ୍ତସିଂହାର କହିଥିଲେ।

ସମ୍ବନ୍ଧିତ ଖବର